୧.୩୭ ଲକ୍ଷ କୋଟିର ନିବେଶକୁ ମଞ୍ଜୁରୀ
HLCA
।। ପ୍ରଭାନ୍ୟୁଜ୍ ।।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ ଆଜି ନୂଆ ରେକଡର଼୍ ସୃଷ୍ଟି ହୋଇଛି । ଗୋଟିଏ ଦିନରେ ୧ ଲକ୍ଷ ୩୬ ହଜାର ୬୨୨ କୋଟି ଟଙ୍କାର ନିବେଶକୁ ମଞ୍ଜୁରୀ ମିଳିଛି । ୨୦ଟି ପ୍ରମୁଖ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବାବେଳେ ଏହାଦ୍ୱାରା ୭୪୩୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ପୂର୍ବ ଭାରତରେ ନିବେଶ ପାଇଁ ଏବେ ଓଡ଼ିଶା ପ୍ରମୁଖ ନିବେଶସ୍ଥଳୀରେ ପରିଣତ ହୋଇଛି । ନିକଟରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ, ମୁମ୍ବାଇ ଓ ସିଙ୍ଗାପୁରରେ ଉତ୍କର୍ଷ ଓଡ଼ିଶା ରୋଡ଼ଶୋ' ବି କରିଥିଲେ । ଗତ ୬ ମାସ ମଧ୍ୟରେ ରାଜ୍ୟ ସରକାର ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ୭୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଯାହାଦ୍ୱାରା ୧.୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ଆଜି ଇସ୍ପାତ, ରସାୟନ, ଆଲୁମିନିୟମ୍, ଗ୍ରୀନ ଏନର୍ଜୀ, ଶକ୍ତି, ବୟନ ଶିଳ୍ପ ଭଳି ୯ କ୍ଷେତ୍ରର ୨୦ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହିସବୁ ପ୍ରକଳ୍ପ ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ସମ୍ବଲପୁର, ଗଞ୍ଜାମ, କଳାହାଣ୍ଡି, ମାଲକାନାଗିରି, ଢେଙ୍କାନାଳ, ଭଦ୍ରକ ଓ ଜଗତସିଂହପୁରରେ ହେବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତିଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗଭୀର ସମନ୍ୱୟ ପାଇଁ ଆମେ ଏକ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିପାରିଛୁ । ଯାହାକି ନିବେଶକମାନଙ୍କୁ ଆକର୍ଷିତ କରିଛି । ଓଡ଼ିଶା ଏକ ଉଲ୍ଲେଖନୀୟ ବିକାଶ ଦିଗରେ ଗତି କରୁଛି । ଉତ୍କର୍ଷ ଓଡ଼ିଶା-୨୦୨୫ ଏକ ନୂଆ ଯୁଗର ଅୟମାରମ୍ଭ କରିବ । ଓଡ଼ିଶାକୁ ଏହା ପ୍ରମୁଖ ନିବେଶକସ୍ଥଳୀରେ ପରିଣତ କରିବ ବୋଲି ସେ କହିଛନ୍ତି ।