ଟ୍ୟାକ୍ସ ଫ୍ରି ହେଲା ସିନେମା ‘ଛାୱା’ :ସିନେମା ଟିକେଟ୍ ହେବ ଶସ୍ତା

ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଛାୱା’କୁ ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି କରାଯାଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟରେ ସିନେମାକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ଘୋଷଣା କରିଥିବା କଥା ସୂଚନା ମିଳୁଛି । ସିନେମାରେ ଅଭିନେତା ଭିକ୍କି କୌଶଲ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ସୁପୂତ୍ର ବୀର ସମ୍ଭାଜୀ ମହାରାଜଙ୍କ ଜୀବନୀକୁ ଅତି ଉଚ୍ଚକୋଟିର ଭାବେ ପରିବେଷଣ କରାଯାଇଛି ଯେ ଯିଏ ବି ସିନେମା ଦେଖୁଛନ୍ତି ପ୍ରଶଂସା ନକରି ରହିପାରୁନାହାନ୍ତି । ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଭିକ୍କି କୌଶଲ ନଜର ଆସିଥିବା ବେଳେ ଔରଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖାନ୍ନା ନଜର ଆସିଛନ୍ତି । ମୁଖ୍ୟ ଅଭିନେତାଙ୍କ ଅଭିନୟ ଏତେ ଜୀବନ୍ତ ହୋଇଛି ଯେ ଦର୍ଶକଙ୍କ ତାଳିରେ ଫାଟିପଡୁଛି ପ୍ରେକ୍ଷାଳୟ ।
ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଥିଲେ ଯେ , ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ସିନେମା ଛାୱାକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ମୁଁ ଘୋଷଣା କରୁଛି । ସେପଟେ ଫିଲ୍ମର କ୍ରେଜ୍ ଖାଲି ମଧ୍ୟପ୍ରଦେଶରେ ନୁହଁ ସାରା ଦେଶରେ ଦେଖିବାକୁ ମିଳୁଛି । ଖାସ୍ କରି ମହାରାଷ୍ଟ୍ରରେ , ସିନେମା ଘରମାନଙ୍କରେ ବୀର ସମ୍ଭାଜୀ ମହାରାଜଙ୍କ ପରାକାଷ୍ଠାକୁ ଦେଖି କାନ୍ଦି ପକାଉଛନ୍ତି ମରାଠା ମାନୁଷ୍ । ମରାଠୀ ଭାଷାରେ ମହାରାଜଙ୍କର କରୁଛନ୍ତି ଗୁଣଗାନ । ମହାରାଷ୍ଟ୍ରର ସଂସ୍କୃତି ଏବଂ ପରମ୍ପରା କେତେ ଉଚ୍ଚକୋଟିର ଏହା ତ ସମସ୍ତେ ଜାଣନ୍ତି । ଭାରତବର୍ଷର ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାରେ କୌଣସି ସ୍ତରରେ କମ୍ କରନ୍ତି ନାହିଁ ମରାଠା । ତେବେ ମଧ୍ୟପ୍ରଦେଶରେ ସିନେମାକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ପ୍ରଥମେ ହିନ୍ଦୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲା । ଏହି ଫିଲ୍ମକୁ ପ୍ରେକ୍ଷାଳୟରେ ଫେବୃୟାରୀ ୧୪ ତାରିଖ ଦିନ ରିଲିଜ୍ କରାଗଲା । ଛାୱା ଅର୍ଥାତ୍ ମରାଠୀ ଭାଷାରେ ବାଘର ଛୁଆ । ଛତ୍ରପତି ସାମ୍ବାଜୀ ମହାରାଜଙ୍କ ଏହି ଚରିତ୍ର ପାଇଁ ଏବେ ସବୁଠି ପ୍ରଶଂସା ଓ ଚର୍ଚ୍ଚା ସାଉଁଟିଛନ୍ତି ଅଭିନେତା ଭିକ୍କି କୌଶଲ । ଏହି ଚରିତ୍ରରେ ଓହ୍ଲାଇବା ପାଇଁ ଭିକ୍କିଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିଥିଲା । ସାମ୍ବାଜୀ ଚରିତ୍ରରେ ପରଫେକ୍ଟ ଦେଖାଯିବା ପାଇଁ ଦିନରାତି ଏକ କରି କସରତ ସହ ଘୋଡା ଚାଳନା, ଖଣ୍ଡା ଚାଳନାଠୁ ଆରମ୍ଭ କରି ଡାଏଟ ଉପରେ ମଧ୍ୟ ଧ୍ୟାନ ଦେଇଥିଲେ । ଦିନକୁ ୬ ରୁ ୮ ଘଣ୍ଟାର ଲାଠି ଚାଳନା,ଖଣ୍ଡା ଚାଳନା ଓ ଘୋଡା ଚାଳନା ଶିଖୁଥିଲେ ଅଭିନେତା । ଏଥିସହ ୨୫ କେଜି ଓଜନ ମଧ୍ୟ ବଢ଼ାଇଥିଲେ । ଏହି ସବୁ ଦିଗ ଉପରେ ଧ୍ୟାନ ଦେବା ପରେ ଛାୱା ଭୂମିକା ପାଇଁ ନିଜକୁ ଗଢ଼ି ତୋଳିଥିଲେ ଅଭିନେତା ।