ମୃତୁ୍ୟକୁ ଡାକୁଛି ଦେଓଦା ନଦୀବନ୍ଧ ରାସ୍ତା
ବ୍ରହ୍ମବରଦା: ରାଜ୍ୟ ସରକାର ପ୍ରତି ନଦୀବନ୍ଧ ରାସ୍ତାକୁ ସୁଦୃଢ଼ ଓ ପ୍ରଶସ୍ତିକରଣ କରିବାପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏନେଇ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି । ଏହାର ରକ୍ଷଣାବେକ୍ଷଣ ସହିତ ସ୍ଥାୟୀ ମରାମତି ପାଇଁ ମଧ୍ୟ ସରକାରଙ୍କ ତରଫରୁ ଗାଇଡ ଲାଇନ ରହିଛି । କିନ୍ତୁ ଏତେ ସବୁ ସରକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ଧର୍ମଶାଳା ବ୍ଲକ୍ ଅଧିନ ଦେଓଦା ପଂଚାୟତ ସ୍ଥିତ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ଅନ୍ୟକିଛି ବଖାଣୁଛି ।
ଦିନକୁ ଦିନ ଏହି ନଦୀବନ୍ଧ ରାସ୍ତାଟି ଶୋଚନୀୟ ହେବା ସହ ରାସ୍ତାସାରା ଖାଳଖମାରେ ଭର୍ତ୍ତି ହୋଇଛି । ବିଶେଷ କରି ଦେଓଦା ଗ୍ରାମ ନିକଟ ନଦୀବନ୍ଧ ରାସ୍ତାରେ ସୃଷ୍ଟି ହୋଇଥିବା ଏକ ବିରାଟ ଗାତ ମୃତୁ୍ୟକୁ ଯେପରି ହାତଠାରି ଡାକୁଛି । ଯାହାଦ୍ୱାରା ଉଭୟ ରସୁଲପୁର ଓ ଧର୍ମଶାଳା ବ୍ଲକ ଅଞ୍ଚଳର ହଜାର ହଜାର ଲୋକେ ଦୈନିକ ଏହି ରାସ୍ତା ଦେଇ ଯିବାଆସିବା କରିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବାଇକ ଚାଳକମାନେ ରାତ୍ରି ସମୟରେ ନଦୀବନ୍ଧ ରାସ୍ତା ଦେଇ ଗଲାବେଳେ ସାମାନ୍ୟ ଟିକେ ଅସାବଧାନତା ହେଲେ ଗର୍ତରେ ପଡି ମୃତୁ୍ୟ ମୁଖରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ତା ଛଡା କେତେକ ଚୋରା ବାଲି ମାଫିଆ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାକୁ କାଟି ନଦୀ ଭିତରକୁ ରାସ୍ତାଗଡା ତିଆରି କରି ଦୈନିକ ନଦୀରୁ ସହ ସହ ଟ୍ରିପ ବାଲି ଚୋରି କରି ଟ୍ରାକ୍ଟର ଯୋଗେ ନଦୀବନ୍ଧ ରାସ୍ତା ଦେଇ ଯିବାଆସିବା କରିଥାନ୍ତି । ଫଳରେ ନଦୀବନ୍ଧ ରାସ୍ତା ସଂକୀର୍ଣ୍ଣ ହେବାସହ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଜାରକା ଜଳସେଚନ ବିଭାଗ ଅଧିନରେ ଯାଉଥିବା ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାଟି ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ ନିମ୍ନମାନର କାମ ଓ ବାଲିମାଫିଆଙ୍କ ପ୍ରାଦୁର୍ଭାବ ଯୋଗୁ ଏହି ନଦୀବନ୍ଧ ରାସ୍ତାର ଏମିତି ଦୁର୍ଦ୍ଦଶା ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଜାରକା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କାମଦେବ ଦାସଙ୍କୁ ଫୋନ ଯୋଗେ ପଚାରିବାରୁ ସେ ଏବିଷୟରେ ଅବଗତ ନଥିବା ସହ ଯଦି ସେପରି କିଛି ହୋଇଥିବ ତା ହେଲେ ତୁରନ୍ତ ମରାମତି ହେବବୋଲି କହିଥିଲ ।