ସନ୍ନ୍ୟାସୀ ହୋଇ ପୁଷ୍କରିଣୀକୁ ଗଲେ ନାରାୟଣ ଗୋସେଇଁ
ରସୁଲପୁର : ପ୍ରସିଦ୍ଧ ସିଂହାପୁର ତ୍ରିଦିବସୀୟ ନାରାୟଣ ଗୋସାଇଁଙ୍କ ସ୍ଥଳ ବିଜେ ଯାତ୍ରା ଶେଷ ହୋଇଯାଇଛି । ପ୍ରଭୁ ନାରାୟଣ ଗୋସାଇଁ ୩ ଦିନରେ ୧୩ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ମଧୁ ପୁଷ୍କରିଣୀର ଗଭୀର ଜଳକୁ ୩୬୨ ଦିନ ପାଇଁ ଫେରି ଯାଇଛନ୍ତି । ପରମ୍ପରା ଅନୁଯାୟୀ ୩ ଦିନରେ ପ୍ରଭୁଙ୍କୁ ମଦନ ମୋହନ ବେଶ, ଆଦିତ୍ୟ ନାରାୟଣ, ମୀନ, କଚ୍ଛପ, ବରାହ, ନରସିଂହ, ପର୍ଶୁରାମ, ବାମନ ରାମ, ହରିହର, କଳୀୟ ଦଳନ, ସୁନା ବେଶ ଓ ସନ୍ନ୍ୟାସ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସନ୍ନ୍ୟାସ ବେଶ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବା ଦେଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧାଡ଼ି ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ହରିବୋଲ,ହୁଳହୁଳି ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ପରମ୍ପରା ଅନୁଯାୟୀ ସକାଳ ୮,୩୦ମି ସମୟରେ ପ୍ରଭୁ ନାରାୟଣ ଗୋସାଇଁଙ୍କୁ ବିଜୟ ମନ୍ଦିରର ରନô ସିଂହାସନରୁ ଆଣି ଉତର ପାବଚରେ ରାଜବଂଶର ଦାୟଦ ରାଣୀ ଅପର୍ଣ୍ଣାଧୀର ନରେନ୍ଦ୍ର ସିଂହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ପରେ ସେବାୟତ ମାନେ ପ୍ରଭୁଙ୍କୁ ଜଳ କ୍ରୀଡା କରାଇ ପୁଷ୍କରିଣୀର ଅଗ୍ନିକୋଣରେ ସ୍ୱସ୍ଥାନରେ ଶୟନ କରାଇଥିଲେ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ପୁଷ୍କରିଣୀ ର ଚତଃପାଶ୍ୱର୍ରେ ପ୍ରଭୁଙ୍କୁ ହରିବୋଲ, ହୁଳହୁଳି ଶବ୍ଦରେ ଭାବ ବିହ୍ୱଳ ହୋଇ ଲୋତକ ପୂର୍ଣ୍ଣ ଅନନ୍ଦାଶ୍ରୁ ରେ ବିଦାୟ ଦେଇଥିଲେ । ଆଞ୍ଚଳିକ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା, ସଦସ୍ୟ, ପୁଲିସ ପ୍ରଶାସନ, ବିଦୁ୍ୟତ୍ ଶକ୍ତି ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗ, ସ୍ଥାନୀୟ ସ୍ୱେଛସେବୀ ସଂଗଠନ ବିପଦର ବନ୍ଧୁ ପରିବାର, ଚାଳକ ସଂଘ, ସମସ୍ତ ଜନସାଧାରଣଙ୍କୁ ପରିଚାଳନା ରେ ଅକୁଣ୍ଠ ସହଯୋଗ କରିଥିବାରୁ କାର୍ଯ୍ୟ କାରୀ ସଭାପତି ଭୀଷ୍ମ ପ୍ରସାଦ ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯାତ୍ରା ପାଞ୍ଚଦିନ ଧରି ଚାଲି ଆଜି ଶେଷ ହୋଇଛି ।