ଭଲ ଚାଲିନି ଯାଜପୁର ନେତାଙ୍କ ବେଳ

Jajpur Politics

ଭଲ ଚାଲିନି ଯାଜପୁର ନେତାଙ୍କ ବେଳ

ଭୁବନେଶ୍ୱର : ବିଜେଡ଼ି ଶାସନ କାଳରେ ଯାଜପୁର ନେତାମାନେ ବେଶ୍‌ ପ୍ରଭାବ ବିସ୍ତାର କରୁଥିଲେ  । କିନ୍ତୁ ଏବେ ଆଉ ସେକାଳ ପଖାଳ ନାହିଁ  । ଯାଜପୁର ନେତାଙ୍କ ପ୍ରଭାବ ବିଜେଡ଼ିରେ ପୂରା କମିଯାଇଛି  । ଅଞ୍ଚଳରେ ବି କ୍ରେଜ୍‌ କମିଯାଇଛି  ।

ପ୍ୟାରୀ ମୋହନ ମହାପାତ୍ରଙ୍କ ଅମଳରେ ପ୍ରଫୁଲ୍ଳ ଘଡ଼ାଇ ବେଶ୍‌ ପ୍ରଭାବଶାଳୀ ଥିଲେ  । ସେହି ସମୟରେ ସେ ନିଜ ପରିବାର ପାଇଁ ଦୁଇଟି ଟିକେଟ ନେବାରେ ବି ସଫଳ ହୋଇଥିଲେ  । ପ୍ରଫୁଲ୍ଲ ଓ ପୁଅ ପ୍ରୀତିରଞ୍ଜନ ଯାଜପୁରରେ ପ୍ରଭାବ ବିସ୍ତାର କରୁଥିଲେ  । ପ୍ୟାରୀଙ୍କ ପରେ ପରେ କଳ୍ପତରୁ ଦାସଙ୍କ ରାଜ୍‌ ଆରମ୍ଭ ହୋଇଗଲା  । କଳ୍ପତରୁ ସେତେବେଳେ ନିଜେ ରାଜ୍ୟସଭା ଯିବା ସହ ପୁଅ ପ୍ରଣବ ବଳବନ୍ତରାୟଙ୍କୁ ବିଧାୟକ କରିବାରେ ସଫଳ ହୋଇଥିଲେ  । କଳ୍ପତରୁଙ୍କ ରାଜ୍‌ ସରିବା ପରେ ଆରମ୍ଭ ହୋଇଗଲା ପ୍ରଣବ ପ୍ରକାଶ ଦାସଙ୍କ ରାଜ୍‌  । ନବୀନଙ୍କ ପାଖେପାଖେ ରହି ଦଳର ସବୁ ହାନିଲାଭ ସେ ବୁଝୁଥିଲେ  । ବିଜେଡ଼ି ତାଙ୍କ ପାଇଁ ସଂଗଠନ ସାଧାରଣ ସମ୍ପାଦକ ଭଳି ପଦବୀ ବି ସୃଷ୍ଟି କଲା  । ନବୀନଙ୍କ ପରେ ବିଜେଡ଼ିରେ ସେ ହୋଇଯାଇଥିଲେ ନମ୍ବର ଟୁ  । 

ଖାଲି ବବି ନୁହଁନ୍ତି ଡାନି ବି ମନ୍ତ୍ରୀମଣ୍ଡଳରେ ରହି ନିଜର ଦବଦବା ଜାହିର କରିଥିଲେ  । ସେହିପରି ବବିଙ୍କ ସହ ଭଲ ସମ୍ପର୍କ କାରଣରୁ ପ୍ରଣବ ବଳବନ୍ତରାୟ ବି ପ୍ରଭାବଶାଳୀ ପାଲଟି ଯାଇଥିଲେ  । ପ୍ରମିଳା ମଲ୍ଲିକ କେଉଁ କୋଟରୀରେ ନଥିଲେବି ବିଜେଡ଼ିର ଆଗଧାଡ଼ିର ମହିଳା ନେତ୍ରୀଭାବେ ତାଙ୍କର ପତିଆରା ଥିଲା  । ଏବେବି ଦଳ ତାଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ଦେଇଛି  । ଗତ ନିର୍ବାଚନରେ ପ୍ରମିଳା ବାଜିମାତ୍‌ କରିଥିବାବେଳେ ବବି, ଡାନି ଓ ଜିତୁ ହାରି ଯାଇଛନ୍ତି  । ହାରିବା ସହ ସେମାନଙ୍କର ରାଜନୀତିକ ପତିଆରା କମିଯାଇଛି  । ତେବେ ତିନି ନେତା ମାଲଦାର ହୋଇଥିବାରୁ ବ୍ୟବସାୟ ଉପରେ ଧ୍ୟାନ ଦେଉଥିବା ଜାଣିବାକୁ ମିଳିଛି  ।