ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା


ପ୍ରତିବର୍ଷ ଢେଙ୍କାନାଳକୁ ଗଜଲକ୍ଷ୍ମୀ ପୂଜା ଦେଖିବାକୁ ମୁଁ ଗାଁରୁ ଆସିଥାଏ  । କୁମାରୀ ପୂର୍ଣ୍ଣମୀଠାରୁ ଢେଙ୍କାନାଳ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥାଏ  । ପ୍ରତ୍ୟେକ ବଜାର ଓ ସାହିରେ ଗୋଟିଏ ମେଢ ହୁଏ  । ପ୍ରଥମେ ଏହି ପୂଜା ସାତଦିନ ଧରି ଅନୁଷ୍ଠିତ ହେଉଥିଲା  । ବର୍ତ୍ତମାନ ଏଗାର ଦିନ ଧରି ଅନୁଷ୍ଠିତ ହେଉଅଛି  । ଢେଙ୍କାନାଳ ସହରର ଗୋଟିଏ ପାର୍ବତ୍ୟ ଉପତ୍ୟାକା  । ଏହାର ପୂର୍ବ ଦିଗରେ ମେଘା ପର୍ବତ, ଉତ୍ତର ଦିଗରେ ରଞ୍ଜା ପର୍ବତ, ପଶ୍ଚିମଦିଗରେ କୋରିଆଁ ପର୍ବତ ଓ ଦକ୍ଷିଣ ଦିଗରେ ପାଣିଓହଳା ପର୍ବତ  । ଏହି ଚାରି ପର୍ବତର ମଝି ଅଂଶରେ ଥିବା ପ୍ରାୟ ଅଠଚାଳିଶ ବର୍ଗ କିଲୋମିଟର ସମତଳ ଓ ଢାଲୁ ସ୍ଥାନରେ ଢେଙ୍କାନାଳ ସହର ଅବସ୍ଥିତ  । ପ୍ରାଚୀନ ଯୁଗରେ ଏହି ଅଞ୍ଚଳରେ ସାତଗୋଟି ଶବର ସାହି ବା ନାଳୀ ଥିଲା  । ସେଗୁଡିକ ହେଉଛି ଢେଙ୍କାନାଳୀ, ଗୁଡିଆ ନାଳୀ, ଚାରିନାଳି, ମଥୁରା ନାଳି, ଦୁଧିଆ ନାଲି, ଘୁମୁରା ନାଳୀ ଓ କଣ୍ଟାନାଳୀ  । ଏହି ଶବର ଅଧ୍ୟୁ୍ୟଷିତ ଭୂଖଣ୍ଡଳରେ ଢେଙ୍କା ନାମକ ଜଣେ ଅମିତ ବଳଶାଳୀ ଶବର ରାଜତ୍ୱ କରୁଥିଲା  । ନବମ ଶତାବ୍ଦୀରେ  କୋଦାଳକ (କୁଆଁଳୋ)ରେ ରାଜତ୍ୱ କରୁଥିବା ଶୁକ୍ଳବଂଶୀ ରାଜା କୁଳସ୍ତମ୍ଭ ଢେଙ୍କାକୁ ପରାସ୍ତ ଓ ନିହତ କରି ବିକ୍ରମାଦିତ୍ୟ ଉପାଧିରେ ଭୂଷିତ ହୋଇଥିଲେ  । ଶୁକ୍ଳୀ ସାମ୍ରାଜ୍ୟର ପତନ ପରେ ବେଶାଳିଆର ଭଞ୍ଜବଂଶ ଏହି ପାର୍ବତ୍ୟ ଉପତ୍ୟକାରେ ଶାସନ କଲେ  । ଗଜପତି ପ୍ରତାପ ରୁଦ୍ରଦେବଙ୍କ ଠାରୁ ସନନ୍ଦ ଲାଭ କରି ହରିବିଦ୍ୟାଧର ୧୫୩୧ରେ କଳମୂଳ ପାଟଣାରେ ରାଜା ହେଲେ  । ସେ ସ୍ଥାନୀୟ ଜମିଦାରଙ୍କୁ ପରାସ୍ତ କରି କଳମୂଳ ରାଜ୍ୟର ସୀମା ବୃଦ୍ଧି କରିଥିଲେ  । ୧୫୮୧ ମସିହାରେ ହରି ବିଦ୍ୟାଧର ବେଶାଳିଆ ରାଜା ଶ୍ରୀଧର ଭଞ୍ଜଙ୍କୁ ପରାସ୍ତ ଓ ନିହତ କରି ଏହି ପାର୍ବତ୍ୟ ଉପତ୍ୟକା ଅଧିକାର କଲେ  । ସେହିବର୍ଷ ସେ କରମୂଳରୁ ରାଜଧାନୀ ଏଠାକୁ ଉଠାଇ ଆଣିଲେ ଏବଂ ଢେଙ୍କା ନାମରେ ନିଜ ରାଜ୍ୟର ନାମ ଢେଙ୍କାନାଳ ରଖିଲେ  । ଢେଙ୍କା ଶବର ଖୋଳିଥିବା ପୋଖରୀ ବର୍ତ୍ତମାନ ଗୋଡିପୋଖରୀ ନାମରେ ଜିଲାପାଳଙ୍କ   ବାସଭବନ ସମ୍ମୁଖରେ ରହିଛି  । ଏହି ପୋଖରୀର ପୂର୍ବ ପାଶ୍ୱର୍ ହୁଡାରେ ଢେଙ୍କାର ଇଷ୍ଟଦେବୀ ଜେନାଦେଇ ଠାକୁରାଣୀ ବିରାଜିତା  ।
୧୯୨୩ ମସିହାରେ ଢେଙ୍କାନାଳ ସହରରେ ପ୍ରଥମେ ହନୁମାନ ସାହି (ମହାବୀର ବଜାର)ରେ ବ୍ରଜକିଶୋର ପଟ୍ଟନାୟକ କୁମାର ପୂର୍ଣ୍ଣମୀରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ କଲେ  । ପ୍ରତ୍ୟେହ ସନ୍ଧ୍ୟାରେ ଗଜଲକ୍ଷ୍ମୀଙ୍କ ସମ୍ମୁଖରେ ରାସଲୀଳା ପ୍ରଦର୍ଶନ ହେଉଥିଲା  । ସେହି ସମୟରେ ବଜ୍ର ବାବୁଙ୍କ  ରାସଲୀଳା ଦଳ ସମଗ୍ର ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିଲା  । ୧୯୨୫ରେ ବଜ୍ରବାବୁଙ୍କର ସହଯୋଗୀ ଗତିକୃଷ୍ଣ ପଟ୍ଟନାୟକ ମୀନା ବଜାର ଠାରେ ଗଜଲକ୍ଷ୍ମୀ ପୂଜାର ଦ୍ୱିତୀୟ ଆସ୍ଥାନ ପ୍ରତିଷ୍ଠା କଲେ  । ଦୁଇଟି ଯାକ ଆସ୍ଥାନରେ ମହାସମାରୋହରେ କିଛି ବର୍ଷ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବା ପରେ ପ୍ରଜା ଆନେ୍ଦାଳନ ଯୋଗୁ ବନ୍ଦ ହୋଇଗଲା  । ପୁନର୍ବାର ସଚ୍ଚିଦାନନ୍ଦ ସିଂହ ୧୯୪୦ ମସିହାେରେ ସାଆନ୍ତ ସାହି (ଜବାହରଚୋ÷କ) ଠାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ କଲେ  । ସେ ପରଲୋକ ଗମନ କରିବାରୁ ତାହା ମଧ୍ୟ ଦୁଇବର୍ଷ ପରେ ବନ୍ଦ ହୋଇଗଲା  । ୧୯୪୩ରେ ପୁନର୍ବାର ମୀନାବଜାର ଠାରେ ନଟବର ଦେବତାଙ୍କ ଉଦ୍ୟମରେ ଲକ୍ଷ୍ମୀ ପୂଜା ଆରମ୍ଭ ହେଲା  । ୧୯୪୬ରେ ଜବାହର ଚୋ÷କରେ ପୁନର୍ବାର ପୂଜା ଆରମ୍ଭ ହେଲା  । ସ୍ୱାଧୀନତା ପରେ ୧୯୪୮ରେ ଲକ୍ଷ୍ମୀ ବଜାର, ୧୯୪୯ରେ ଗଣେଶ ବଜାର, ୧୯୫୦ରେ ମହାବୀର ବଜାର, ୧୯୫୧ରେ କାଞ୍ଚନ ବଜାର, ୧୯୫୨ରେ ଆନନ୍ଦ ବଜାର, ୧୯୫୩ରେ କାରିଗର ସାହି, ୧୯୫୫ରେ ବାଜ ଚୋ÷କ ଓ ଗୁଡିଆନାଳୀ, ୧୯୫୭ରେ ରାଧାକୃଷ୍ଣ ବଜାର, ୧୯୫୮ରେ ଜୁବୁଲି ଟାଉନ-୧, ୧୯୫୯ରେ କୈବଲ୍ୟ ବଜାର, ୧୯୬୦ରେ ଜୁବୁଲି ଟାଉନ-୨, ୧୯୬୧ରେ ସିମୁଳିଆ ଓ ଷ୍ଟେସନବଜାର, ୧୯୬୩ରେ ରତ୍ନବଜାର, ୧୯୬୬ରେ ଚନ୍ଦନ ବଜାର, ୧୯୬୭ରେ କଲେଜ ରୋଡ, ୧୯୬୯ରେ ବସଷ୍ଟାଣ୍ଡ ଓ ଗାନ୍ଧୀ ବଜାର, ୧୯୭୧ରେ କୋରିଆ, ୧୯୭୫ରେ ଦୁର୍ଗାବଜାର, ୧୯୭୬ରେ କାଳିକାନଗର, ୧୯୭୮ରେ ନେହେରୁ ବଜାର, ୧୯୭୯ରେ ରାମେଶ୍ୱରପୁର ଓ ଜୁବୁଲି ଟାଉନ , ୧୯୮୨ରେ ଭଗବାନପୁରଙ୍କ ୧୯୮୬ରେ ସରଜଙ୍ଗ ସାହି ପ୍ରଭୃତି ସାହି ଓ ବଜାରରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇ ବର୍ତ୍ତମାନ ଚାଳିଶଗୋଟି ଆସ୍ଥାନରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହେଉଅଛି  । 
ଓଡିଶାର ସଂସ୍କୃତି ଓ ପରମ୍ପରାରେ ଉଦ୍ବୁଦ୍ଧ ହୋଇ ଢେଙ୍କାନାଳବାସୀ ଶହେ ବର୍ଷରୁ ଅଧିକ କାଳ ଧରି ଗଜଲକ୍ଷ୍ମୀ ପୂଜାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାରେ ଅଧିଷ୍ଠିତ କରାଇ ପାରିଛନ୍ତି  । ପୂଜାମଣ୍ଡପ ସମୂହରେ ମହାଲକ୍ଷ୍ମୀ ଭିନ୍ନ ଭିନ୍ନ ଭାବ ଓ ଭଙ୍ଗୀରେ ଆବିର୍ଭୂତା ହୋଇ ପୂଜା ଗ୍ରହଣ କରିବାର ଦୃଶ୍ୟ ଚିତ୍ତାକର୍ଷକ  । କେଉଁଠାରେ ଗଜଲକ୍ଷ୍ମୀ ତ କେଉଁଠାରେ ପଦ୍ମାଳୟା, କେଉଁଠାରେ ମନ୍ଦିରବାସିନୀ ତ କେଉଁଠାରେ ଦେବବନ୍ଦିତା, କେଉଁଠାରେ ସାଗର ସମ୍ଭୂତା ଓ କେଉଁଠାରେ ଶାମୁକା ମଧ୍ୟସ୍ଥା, କେଉଁଠାରେ ଅନ୍ନଦାତ୍ରୀ ତ କେଉଁଠାରେ ବିଷ୍ଣୁପାଟରାଣୀ  । ମୂର୍ତ୍ତି ସହିତ ବାହନ ଓ ପାଶ୍ୱର୍ଦେବତା ଉକ୍ରଳୀୟ ଶିଳ୍ପକଳାର ଚରମ ନିଦର୍ଶନ  । ସ୍ଥଳ ବିଶେଷରେ ଅନେକ ପୋ÷ରାଣିକ ଦୃଶ୍ୟ ନିର୍ମାଣ କରାଯାଇ ଲୋକ ପରମ୍ପରାର ସାଂସ୍କୃତିକ ବୈଚିତ୍ର୍ୟ ପ୍ରତିଫଳିତ ହୋଇଥାଏ  । ପ୍ରତ୍ୟେକ ପୂଜାମଣ୍ଡପରେ ଅର୍ଚ୍ଚନ, ବନ୍ଦନ, ଭଜନକୀର୍ତ୍ତନ, ଲକ୍ଷ୍ମୀ ସହସ୍ରନାମ, ଲକ୍ଷ୍ମୀ ପୁରାଣ, କବଚ, କୀଳକ, ସ୍ତବ, ସ୍ତୋତ୍ର ପାଠ ପରିବେଶକୁ ଗମ୍ଭୀର ଓ ଭକ୍ତି ରସାଣିତ କରିଥାଏ  । ହରିଜନ ଓ ଆଦିବାସୀ ସାହିମାନଙ୍କରେ ଅନୁଷ୍ଠିତ ପୂଜା ଆସ୍ଥାନ ମାନଙ୍କରୁ କଲ୍ୟାଣମୟ ଚେତନା ସ୍ପନ୍ଦିତ ହୋଇଥାଏ  । ସତେ ଯେପରି ଜଗଜ୍ଜନନୀ ସ୍ୱୟଂ ଆବିର୍ଭୂତା ହୋଇ ଜାତିବର୍ଣ୍ଣର ପ୍ରାଚୀର ଉଠାଇ ଦେଇଛନ୍ତି  । ପ୍ରତ୍ୟେକ ପୂଜାମଣ୍ଡପ ଗୋଟିଏ ଗୋଟିଏ ଲକ୍ଷ୍ମୀ ମନ୍ଦିରରେ ପରିଣତ ହୋଇଥାଏ  । ପୂଜା ସମୟରେ ଲୋକବାଦ୍ୟ, ଘଣ୍ଟ, ଘଣ୍ଟା, ଶଙ୍ଖ, ଭେରି, ମୃଦଙ୍ଗ, ମର୍ଦ୍ଦଳ, ତୁରୀ, ଢୋଲକୀ, ବଡ଼କାଠ ପ୍ରଭୃତି ବାଦ୍ୟବାଦନ ମନରେ ଅହେତୁକ ଭାବ ସଞ୍ଚାର କରିଥାଏ  । ସୁଖର କଥା, ସାଂପ୍ରଦାୟିକ ସଂକୀର୍ଣ୍ଣତାରୁ ଊଦ୍ଧ୍ୱର୍ରେ ରହି ଢେଙ୍କାନାଳ ସହରବାସୀ ଏକମନ ଏକ ପ୍ରାଣରେ ଲକ୍ଷ୍ମୀ ପୂଜାକୁ ଓଡ଼ିଆ ସଂସ୍କୃତିର ମହାମିଳନୋତ୍ସବ ରୂପେ ମହିମାବନ୍ତ କରିଥାନ୍ତି  ।
ଢେଙ୍କାନାଳ ଲକ୍ଷ୍ମୀପୂଜାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ବୈକୁଣ୍ଠ ଭବନ ସଦୃଶ ଅଲୋ÷କିକ ସାଜସଜ୍ଜା, ବର୍ଣ୍ଣାଢ୍ୟ ଆଲୋକମାଳା ଓ ନଭଶ୍ଚୁମ୍ଭୀ ତୋରଣ ରାଜି  । ପ୍ରତ୍ୟେକ ପୂଜା ମଣ୍ଡପରେ ଲୋକାକର୍ଷକ ଶୈଳୀରେ ଜରି, ସୋଲ, ରଙ୍ଗୀନ କାଗଜରେ ପ୍ରସ୍ତୁତ ରସବନ୍ତ କଳାଚାତୁର୍ଯ୍ୟ  । ପୂଜା ଆସ୍ଥାନର ପ୍ରଚ୍ଛଟପଦ ବିଦୁ୍ୟତ୍ ଆଲୋକରେ ଉଦ୍ଭାସିତ ହୋଇଥାଏ  । ପ୍ରତିଟି ମଣ୍ଡପରେ ପ୍ରାକୃତିକ ଦୃଶ୍ୟ ସହିତ ବିଜ୍ଞାନର ବିସ୍ମୟ ସଂଯୋଜିତ ହୋଇ ଅଲୋ÷କିକ ଭାବଧାରା ପରିବେଶିତ ହୋଇଥାଏ  । ପ୍ରତ୍ୟେକ ବଜାରବାସୀ ସେମାନଙ୍କ ପୂଜାମଣ୍ଡପ ସହିତ ନିଜ ନିଜର ବଜାର ବଜାର ବା ସାହି ଅଞ୍ଚଳକୁ ବର୍ଣ୍ଣାଢ୍ୟ ଆଲୋକମାଳାରେ ବିଭୂଷିତ କରିଥାଆନ୍ତି  । କେତେକ ସ୍ଥାନରେ ବୈଦୁ୍ୟତିକ ବିସ୍ମୟ ସମ୍ବଳିତ ଦୃଶ୍ୟ ସୃଷ୍ଟି କରାଯାଇ ଦର୍ଶକମାନଙ୍କୁ ବିମୋହିତ କରିବାର ପ୍ରୟାସ କରାଯାଇଥାଏ  । ଆଲୋକର ବର୍ଣ୍ଣାଳୀ ସାଙ୍ଗକୁ ସୁଉଚ୍ଚ ନଭଶ୍ଚୁମ୍ବୀ ତୋରଣ ସହରାଞ୍ଚଳରେ ଉକ୍ରଳୀୟ ସଂସ୍କୃତିର ବିଜୟ କେତନ ଉଡାଇଥାଏ  । ତୋରଣ ସମୂହ ତାଜମହଲ, ଇଣ୍ଡିଆଗୋଟ, ଚାରମିନାର, କାଶୀବିଶ୍ୱନାଥ ମନ୍ଦିର ପ୍ରଭୃତି ସଦୃଶ  ନିର୍ମିତ ହୋଇ ଆକର୍ଷଣୀୟ ହୋଇଥାଏ ଏବଂ ତୋରଣ ଗୁଡିକ ସ୍ମରଣୀୟ ଦୃଶ୍ୟ ସମ୍ବଳିତ, ବର୍ଣ୍ଣବିଭା ବିଭୂଷିତ ତଥା ଚଳିଷ୍ଣୁମାନ ବିଦୁ୍ୟତ୍ ପ୍ରଦୀପରେ ଆଲୋକିତ ହୋଇଥାଏ  । ତୋରଣ ସମୂହରେ ଅଙ୍କିତ ମୟୂର, ଦେବଦେବୀ ଚିତ୍ରାବଳୀ ଓ ପ୍ରାକୃତିକ ଦୃଶ୍ୟ ଅଧିକ ହୃଦୟାହ୍ଲାଦକର ହୋଇଥାଏ  । ଆଲୋକ ତୋରଣ ଗୁଡିକ ସର୍ବାଧିକ ଦର୍ଶକଙ୍କର ମନୋରଞ୍ଜନ କରିଥାଏ  ।
ଢେଙ୍କାନାଳର ଲକ୍ଷ୍ମୀପୂଜା ମହୋତ୍ସବଟିକୁ ସର୍ବାଙ୍ଗ ସୁନ୍ଦର କରିଥାଏ ବିଭିନ୍ନ ସ୍ଥାନ ଓ ଆସ୍ଥାନମାନଙ୍କରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ  । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଗଜଲକ୍ଷ୍ମୀ ମଣ୍ଡପରେ ପ୍ରତି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥାଏ କୁମାରୋତ୍ସବର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଓଡ଼ିଶୀ ନୃତ୍ୟ, ଗୋଟି ପୁଅ ନୃତ୍ୟ, ନୃତ୍ୟ ବିଚିତ୍ରା, ବାଦ୍ୟବିଚିତ୍ରା, ନୃତ୍ୟାଭିନୟ, ଏକାଙ୍କିକୀ, ନାଟକ ଓ ବିଭିନ୍ନ ଲୋକନୃତ୍ୟ  । ବିଭିନ୍ନ ପୂଜାମଣ୍ଡପରେ ଓଡ଼ିଶୀ କୀର୍ତ୍ତନ, ପାଲା, ଦାସକାଠିଆ, ଘୋଡାନାଚ, ଘୁମୁରାନାଚ ପ୍ରଭୃତି ଅନୁଷ୍ଠିତ ହୋଇଥାଏ  । ନବରଙ୍ଗ ନାଟକକୁ ରାଜରାସ୍ତାରେ ଦଣ୍ଡାୟମାନ ହୋଇ ହଜାର ହଜାର ଦର୍ଶକ ଉପଭୋଗ କରିଥାନ୍ତି  । ଲକ୍ଷ୍ମୀପୂଜା ଉପଲକ୍ଷେ ସହରରେ ବିଭିନ୍ନ ଯାତ୍ରାଦଳ ମଧ୍ୟ ଅଭିନୟ ପ୍ରଦର୍ଶନ କରିଥାନ୍ତି  । ରଥଗଡା ଓ ଆନା ସମ୍ମୁଖ ହାଇସ୍କୁଲ ଖେଳପଡିଆରେ ବିଭିନ୍ନ ପ୍ରକାର ଦୋଳି, ସର୍କସ, ମ୍ୟାଜିକ, କଣ୍ଢେଇନାଚ ପ୍ରଭୃତିରେ ଅସମ୍ଭବ ଭିଡ଼ ହୋଇଥାଏ  ।
ଲକ୍ଷ୍ମୀପୂଜା ଅବସରରେ ଅଠଚାଳିଶ ବର୍ଗ କିଲୋମିଟର ବ୍ୟାପୀ ସମଗ୍ର ଢେଙ୍କାନାଳ ସହରାଞ୍ଚଳ ଏକ ସୁବୃହତ ବାଣିଜ୍ୟମେଳାର ରୂପଧାରଣ କରିଥାଏ  । ସ୍ଥାୟୀ ବ୍ୟବସାୟୀ ବୃନ୍ଦ ସେମାନଙ୍କର ଦୋକାନ ଓ ପ୍ରତିଷ୍ଠାନକୁ ଗ୍ରାହକ ବୃନ୍ଦଙ୍କର ଆକର୍ଷଣ ନିମିତ୍ତ ସୁନ୍ଦର ଭାବରେ ସଜାଇ ବିଭିନ୍ନ ରଙ୍ଗର ଆଲୋକରେ ଆଲୋକିତ କରିଥାନ୍ତି  । ସେମାନଙ୍କ ବ୍ୟତୀତ ଦୂରଦେଶାଗତ ବ୍ୟବସାୟୀବୃନ୍ଦ ଭିନ୍ନ ଭିନ୍ନ ପ୍ରକାରର ମନୋହାରିଣୀ ବିପଣୀମାଳାରେ ରାଜଦଣ୍ଡକୁ ସୁଶୋଭିତ ଓ ଆକର୍ଷଣୀୟ କରିଥାନ୍ତି  । ମନୋହାରିଣୀ ବିପଣୀମାଳା ସହିତ ବଜାର ମଝିରେ ଥିବା ଚା, ଜଳଖିଆ, ଚାଟ, ଠୁଙ୍କାପୁରୀ, ରାବିଡି, ରସାବଳୀ, ପାନଦୋକାନ ପ୍ରଭୃତି ଦର୍ଶକବୃନ୍ଦଙ୍କର ଅନ୍ୟତମ ଆକର୍ଷଣ ପାଲଟିଯାଏ  । ଦର୍ଶକ ଓ ଭକ୍ତ ବୃନ୍ଦ ବିଭିନ୍ନ ପୂଜାମଣ୍ଡପରେ ଲୋକମାତାଙ୍କୁ ଦର୍ଶନ କରିବା ସହିତ ଯାତ୍ରା ପ୍ରାଙ୍ଗଣରେ ସୁସଜ୍ଜିତ ମନୋହାରିଣୀ ବିପଣୀମାଳାରୁ ଖେଳଣା ଠାରୁ ଘରକରଣା, ନିତ୍ୟ ବ୍ୟବହାର୍ଯ୍ୟ ଓ ସୋ÷ଖୀନ ପଦାର୍ଥ କ୍ରୟ କରିଥାନ୍ତି  । ଅନେକ ଦୁଷ୍ପ୍ରାପ୍ୟ ଜିନିଷ, ଯଥା :- ନୀଳଗିରିର ପଥର ବାସନ, ଖିଚିଂର ପଥର ମୂର୍ତ୍ତି, ବିଭିନ୍ନ ସ୍ଥାନର ଟେରାକୋଟା ଓ ଢୋକ୍ରା ମୂର୍ତ୍ତି, କଂସାବାସନ, ପିପିଲିର ବିଭିନ୍ନ ପ୍ରକାର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ର, କେନ୍ଦୁଝରର ମଠ, ସମ୍ବଲପୁରୀ ଶାଢି, ବରହମପୁରର ପାଟ ପ୍ରଭୃତି ଢେଙ୍କାନାଳ ଲକ୍ଷ୍ମୀପୂଜା ପ୍ରଭୃତି ଢେଙ୍କାନାଳ ଲକ୍ଷ୍ମୀପୂଜାରେ ମିଳେ  । ଓଡ଼ିଶା ବ୍ୟତୀତ କଲିକତା, ମୁମ୍ବାଇ, ବାରଣାସୀ ପ୍ରଭୃତି ସ୍ଥାନରୁ ବ୍ୟବସାୟୀମାନେ ଦୁର୍ଲଭ ପଦାର୍ଥ ବିକ୍ରୟ କରିବା ନିମିତ୍ତ ଢେଙ୍କାନାଳ ଲକ୍ଷ୍ମୀ ପୂଜାକୁ ଆସିଥାନ୍ତି  । ତେଣୁ ଗ୍ରାହକମାନେ ଏଠାରୁ ସେସବୁ କ୍ରୟ କରିଥାନ୍ତି  । ସନ୍ଧ୍ୟାଠାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଦର୍ଶକ ଓ କ୍ରେତାଙ୍କର ଭିଡ ଲାଗି ରହେ  ।
ପ୍ରାକୃତିକ ଶୋଭାମୟୀ ଢେଙ୍କାନାଳ ସହର ଲକ୍ଷ୍ମୀ ପୂଜା ଅବସରରେ ବୈକୁଣ୍ଠ ଭବନର ରୂପଧାରଣ କରେ  । କଟକ ସମ୍ବଲପୁର ଜାତୀୟ ରାଜପଥରେ ଅବସ୍ଥିତ ଢେଙ୍କାନାଳ ସହରର ପୂର୍ବରେ କାଠଗଡ଼ା ଠାରୁ ପଶ୍ଚିମରେ କୋରିଆଁ ପର୍ଯ୍ୟନ୍ତ ସୁଦୀର୍ଘ ଏଗାର କିଲୋମିଟର ବ୍ୟାପୀ ବଜାର ଅଲୋ÷କିକ ଶିଳ୍ପନୈପୁଣ୍ୟ ବିମଣ୍ଡିତ ସାଜସଜା, ରଙ୍ଗବେରଙ୍ଗର ବର୍ଣ୍ଣାଢ୍ୟ ଆଲୋକ ସଜ୍ଜା ଓ ଅପରୂପ ବର୍ଣ୍ଣ ବୈଚିତ୍ରରେ ଇନ୍ଦ୍ରଭବନ ସମ ଦୀପ୍ତିମନ୍ତ ହୋଇଉଠେ  । ସବୁଠୁ ଅଧିକ ଆକର୍ଷଣୀୟ ହୋଇଥାଏ ଶେଷଦିନର ମିଳିତ ଭସାଣି ଉତ୍ସବ  । ସମସ୍ତ ମେଢ ଢେଙ୍କାନାଳର ଇଷ୍ଟ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ କ୍ରମିକ ନମ୍ବର ଅନୁସାରେ ମିଳିତ ଶୋଭାଯାତ୍ରାରେ ରାଜପ୍ରସାଦ, ଜର୍ଜକୋର୍ଟ ଛକ,  ଷ୍ଟାଡିୟମ ଛକ, କଚେରି ରୋଡ, ମହାବୀର ବଜାର, ଲକ୍ଷ୍ମୀବଜାର, ଜବାହର ଚୋ÷କ, ମୀନାବଜାର, କଞ୍ଚନ ବଜାର, ଆନନ୍ଦବଜାର, ବାଜିଚୋ÷କ, ଚଳନ ବଜାର, ରାଧାକୃଷ୍ଣ ବଜାର, କାରିକର ସାହି, ରତ୍ନବଜାର, କୋରିଆଁ ଦେଇ ପରିକ୍ରମା ପୂର୍ବକ ସହର ଉପକଣ୍ଠ ବଡ଼ଯୋଡ଼ାରେ ମୂର୍ତ୍ତି ବିସର୍ଜନ କରିଥାନ୍ତି  । ଢେଙ୍କାନାଳ ଲକ୍ଷ୍ମୀ ପୂଜାର ଏହି ଶେଷ ଦୃଶ୍ୟ ଦର୍ଶନ କରିବାକୁ ପାଞ୍ଚଲକ୍ଷରୁ ଅଧିକ ଯାତ୍ରୀ ଓ ଦର୍ଶକ ଏକତ୍ରିତ ହୋଇଥାନ୍ତି  । ଶାନ୍ତି, ଶୃଙ୍ଖଳା, ସଦ୍ଭାବ, ମୈତ୍ରୀ, ପ୍ରୀତି, ଭ୍ରାତୃତ୍ୱ ଓ ସୋ÷ଜନ୍ୟର ମଧୁର ସମାବେଶରେ ଢେଙ୍କାନାଳ ଲକ୍ଷ୍ମୀପୂଜା ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି  ।
ଆନନ୍ଦନଗର, କାଠଗଡା
ଢେଙ୍କାନାଳ, ୭୫୯୦୦୧
ମୋ- ୮୮୯୫୨୩୦୭୨୨