ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜାଣନ୍ତୁ କ’ଣ ?
Mohan Charan Majhi
ଭୁବନେଶ୍ୱର : ପ୍ରସିଦ୍ଧ ଶକ୍ତି ପୀଠ ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡିକ ଜାରି ରହିଛି । ଏହାସହିତ ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ପଡିଲେ ନୂତନ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଯିବ । ବିରଜା ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ଯେଉଁ ସବୁ ପ୍ରକଳ୍ପ ହାତକୁ ନିଆଯାଇଛି, ସେ ସବୁ ପ୍ରକଳ୍ପ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ । ଓଡିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ଏହା ଏକ ପ୍ରମୁଖ ତୀର୍ଥ କ୍ଷେତ୍ର । ମହାଭାରତ, ଆଦି ଶଙ୍କରାଚାର୍ଯ୍ୟଙ୍କ ଶକ୍ତି ପୀଠ ସ୍ତବ ଏବଂ ବାମନ ପୁରାଣରେ ମଧ୍ୟ ମା’ ବିରଜାଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି । ନାଭି ଗୟା ଭାବରେ ବିରଜା ପୀଠର ପ୍ରସିଦ୍ଧି ରହିଛି । ମା’ ବିରଜାଙ୍କ ପ୍ରତି ସାରା ଓଡିଶାର ଜନସାଧାରଣଙ୍କ ପ୍ରଗାଢ ଭକ୍ତି ଓ ନିଷ୍ଠା ରହିଛି ।