ଚେନ ଲୁଟରୁ ମହିଳାଙ୍କ ମୃତୁ୍ୟ ମାମଲା; ୪ଶହ ସିସିଟିଭି ଯାଞ୍ଚ ପରେ ଧରାପଡ଼ିଲା ଅଭିଯୁକ୍ତ

ଚେନ ଲୁଟରୁ ମହିଳାଙ୍କ ମୃତୁ୍ୟ ମାମଲା; ୪ଶହ ସିସିଟିଭି ଯାଞ୍ଚ ପରେ ଧରାପଡ଼ିଲା ଅଭିଯୁକ୍ତ

ଝାଡଖଣ୍ଡରୁ ବାଇକରେ ଆସି କରିଥିଲେ ଲୁଟ୍
ଅଭିଯୁକ୍ତଙ୍କୁ ଧରିବାକୁ ମାନସିକ କରିଥିଲା ପୁଲିସ
ଭୁବନେଶ୍ୱର,୨୫ା୧୧ : ଧଉଳି ଥାନା ଅନ୍ତର୍ଗତ ହରିରାଜପୁର ସୋମନାଥ ମନ୍ଦିର ନିକଟରେ ଜଣେ ମହିଳାଙ୍କ ବେକରୁ ଚେନ ଲୁଟ କରିବା ସମୟରେ ଗାଡ଼ିରୁ ପଡ଼ି ତାଙ୍କର ମୃତୁ୍ୟ ହୋଇଥିଲା । ଏହି ଘଟଣାର ୧୨ ଦିନପରେ ଘଟଣା ଉପରୁ ପରଦା ଉଠାଇବାରେ ସଫଳ ହୋଇଛି ଭୁବନେଶ୍ୱର ଅର୍ବାନ ପୁଲିସ । ଏଥିସହ ମହିଳାଙ୍କ ବେକରୁ ଚେନ ଲୁଟ କରିଥିବା ଅଭିଯୁକ୍ତକୁ ଝାଡ଼ଖଣ୍ଡର ଜାମସେଦପୁର ଅଞ୍ଚଳରୁ ଗିରଫ କରିଥିବା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗିରଫ ଚେନ ଲୁଟେରା ଜଣଙ୍କ ହେଉଛି ଝାଡ଼ଖଣ୍ଡ ଇଷ୍ଟସିଂଭୂମି ଜିଲ୍ଲାର ଭ୍ରୁମା ମାଇନ୍ସ ଥାନା ଅଞ୍ଚଳରେ ରହୁଥିବା ରାଜୁ ନାଇଡ଼ୁ ଓରଫ ଜିଙ୍ଗୁରୁ (୨୬) । ଗିରଫ ଜିଙ୍ଗୁର ସହ ଘଟଣା ଦିନ ବାଇକ ଚଳାଉଥିବା ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଚିହ୍ନଟ କରିଥିବା ଏବଂ ଖୁବଶୀଘ୍ର ତାକୁ ମଧ୍ୟ ଗିରଫ କରାଯିବ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି । ଏପରିକି ଘଟଣାରେ ବ୍ୟବହୃତ ହୋଇଥିବା ସ୍ପିଡ଼ ବାଇକ ମଧ୍ୟ ଚିହ୍ନଟ ହୋଇଛି । ଏହି ମାମଲାଟି ପୁଲିସ ପାଇଁ ବେଶ ଚାଲେଞ୍ଜ ପୂର୍ଣ୍ଣ ଥିଲା ବୋଲି ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟଯେ,  ନଭେମ୍ବର ୧୧ ତାରିଖ ଦିନ ଧଉଳି ଅଞ୍ଚଳରେ ରହୁଥିବା ୟୁ ବିଭୁ ପାତ୍ର ତାଙ୍କ ସ୍ୱାମୀଙ୍କ ସହ ହରିରାଜପୁର ସ୍ଥିତ ସୋମନାଥ ମନ୍ଦିରକୁ ଯାଉଥିବା ବେଳେ, ଦୁଇଜଣ ଦୁବୃର୍ତ୍ତ ଏକ ପଲସର ବାଇକରେ ଆସି ୟୁ ବିଭୁ ପାତ୍ରଙ୍କ ଚେନ ଲୁଟ କରିବାକୁ ଉଦ୍ୟମ କରିଥିଲେ । ଫଳରେ ଚଳନ୍ତା ସ୍କୁଟିରେ ବସିଥିବା ୟୁ ବିଭୁ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରବର୍ତ୍ତୀ ସମୟରେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ୟୁ ବିଭୁଙ୍କର ମୃତୁ୍ୟ ହୋଇଥିଲା । ଯାହାକୁ ନେଇ ପୁଲିସ ତତ୍ପରତା ଦେଖାଇଥିଲା ।
      ରାଜଧାନୀ ଓ ଝାରଖଣ୍ଡରେ ୪ଶହ କ୍ୟାମେରା ଯାଞ୍ଚ : ଘଟଣା ପରଠାରୁ ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଅଣ୍ଟା ଭିଡ଼ିଥିଲା । ଏଥିପାଇଁ ସ୍ପେଶାଲ ସ୍କାର୍ଡ ସମେତ ୬ଟି ସ୍ୱତନ୍ତ୍ର ଟିମ ଗଠନ କରିଥିଲେ ଭୁବନେଶ୍ୱର ଡିସିପି । ଅଭିଯୁକ୍ତ ପୁଲିସ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ ଥିବାରୁ ରାସ୍ତାରେ ଲାଗିଥିବା ସିସି କ୍ୟାମେରା ହିଁ ପୁଲିସ ପାଇଁ ଏକମାତ୍ର ସାହାରା ପାଲଟିଥିଲା । ଏଥିପାଇଁ ଲଗାତାର ୬ ଦିନ ଧରି ସ୍ୱତନ୍ତ୍ର ଟିମର କର୍ମଚାରୀମାନେ ଦିନରାତି ଏକକରି ହରିରାଜପୁର ଅଞ୍ଚଳରୁ ଆରମ୍ଭ କରି ସାମନ୍ତରାପୁର ଚେକଗେଟ, ପିପିଲି ଟୋଲ ଗେଟ ସମେତ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା । ଏପରିକି କିଛି ସ୍ଥାନୀୟ ଲୋକଙ୍କ ଘର ବାହାରେ ଲାଗିଥିବା ସିସିଟିଭିକୁ ପୁଲିସ ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଚେଷ୍ଟା କରିଥିଲା । ପୁଲିସ ପ୍ରଥମେ ଅଭିଯୁକ୍ତ ବ୍ୟବହାର କରୁଥିବା ଗାଡ଼ି ନମ୍ବରକୁ ଚିହ୍ନଟ କରିଥିଲା । ଏଥିପାଇଁ ଗତ ୧୨ ଦିନରେ ପୁଲିସ ଭୁବନେଶ୍ୱରରୁ ନେଇ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲାଗିଥିବା ପ୍ରାୟ ୪ଶହରୁ ଊଦ୍ଧ୍ୱର୍ ସିସିଟିଭି ଯାଞ୍ଚ କରିଥିବା ଡିସିପି କହିଛନ୍ତି । ସିସଟିଭିରେ ମିନିଟ ଟୁ ମିନିଟ ଦୃଶ୍ୟ ଯାଞ୍ଚ କରିବା କେତେ କଷ୍ଟକର ଥିଲା ତାହା ଏହି ତଦନ୍ତରେ ସାମିଲ ଥିବା ପୁଲିସ ଅଧିକାରୀମାନେ ଜାଣିଛନ୍ତି ବୋଲି ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।
     ବାଇକରେ ୪ଶହ କିମି : ଅଭିଯୁକ୍ତ ଦ୍ୱୟ ପେଶାରେ ଲିପ୍ଟ ମେକାନିକ । ସେମାନେ ଉଭୟ ସୁନ୍ଦରପଦାରେ ଥିବା ଏକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ । ଉଭୟ ପେଶାରେ ଲିପ୍ଟ ମେକାନିକ ଥିବା ବେଳେ ବୃତ୍ତିଗତ ଭାବେ କିନ୍ତୁ ଛିନତାଇ କାର୍ଯ୍ୟରେ ଜଡ଼ିତ ରହୁଥିଲେ । ସମୟ ସୁବିଧା ପାଇଲେ ଅଭିଯୁକ୍ତ ଦ୍ୱୟ ଛିନତାଇ କରୁଥିଲେ । ତେବେ ଛିନତାଇ କରିବା ପରେ ଉଭୟ ଭୁବନେଶ୍ୱରରୁ ଝାରଖଣ୍ଡର ଜାମସେଦପୁର ପ୍ରାୟ ୪ଶହ କିମି ରାସ୍ତା ପାର ହୋଇ ଫେରାର ହୋଇଯାଉଥିବା ପୁଲିସ ଜାଣିବାକୁ ପାଇଛି । ଏପରିକି ସେମାନେ କୌଣସି ଛିନତାଇ କରିବା ପରେ ପୁଲିସକୁ ଭୂଆଁ ବୁଲାଇବା ପାଇଁ ଜନଗହଳିପୂର୍ଣ୍ଣ ରାସ୍ତାକୁ ଛାଡ଼ି ନିଛାଟିଆ ରାସ୍ତା ଦେଇ ଯିବାକୁ ପସନ୍ଦ କରୁଥିଲେ । ଯାହା ଫଳରେ ସିସି କ୍ୟାମେରାରେ ତାଙ୍କ ଫଟୋ ଆସିବ ନାହିଁ ବୋଲି ସେମାନେ ଜାଣିଥିଲେ । ଏହି ମାମଲାରେ ମଧ୍ୟ ସେମାନେ ଲୁଟ ପରେ ଜାମସେଦପୁର ବାଇକ ଯୋଗେ ପଳାଇଥିଲେ ।
   ପୁଲିସ କରିଥିଲା ମାନସିକ : ଏହି ଘଟଣା ପୁଲିସ ପାଇଁ ବେଶ ଚାଲେଞ୍ଜ ଥିଲା । ଏପରିକି ଆରମ୍ଭରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପୁଲିସ ଲାଗି ଏକ କଷ୍ଟକର ବ୍ୟାପାର ହୋଇପଡ଼ିଥିଲା । ସେଥିପାଇଁ ମାମଲାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଲାଗି ଶେଷରେ କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ହରିରାଜପୁର ସ୍ଥିତ ସୋମନାଥ ମନ୍ଦିରରେ ମାନସିକ କରିଥିବା ଏହି ଅପରେସନରେ ସାମିଲ ଥିବା ଜୈନିକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
    ଜେଲ ଯାଞ୍ଚକୁ ବି ବାଦ ଦିଆଯାଇ ନଥିଲା : ଏହି ଲୁଟ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପୁଲିସ ପାଇଁ ଏକ କଷ୍ଟକର ବ୍ୟାପାର ଥିଲା । ସିସିଟିଭିରେ ଅଭିଯୁକ୍ତଙ୍କ ଫଟୋ ଚିହ୍ନଟ ହେବା ପରେ ପୁଲିସ ଝାରପଡ଼ା ସମେତ ପୁରୀ, କଟକ, ଚୌଦ୍ୱାର ଓ ନୂଆପଡ଼ା ଜେଲରେ ଚଢ଼ଉ କରି ଅଭିଯୁକ୍ତଙ୍କ ଫଟୋକୁ ଜେଲର ଅନ୍ୟ କଏଦୀ ମାନଙ୍କୁ ଦେଖାଇ ଏମାନଙ୍କ ସଂକ୍ରାନ୍ତରେ ଜାଣିବାକୁ ଚାହିଁଥିଲା । ଏପରିକି ଗତ ୬ ଦିନ ହେବ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଜାମିନରେ ଥିବା ଏକାଧିକ ଛିନତାଇ ମାମଲାର ଅଭିଯୁକ୍ତକୁ ଥାନାକୁ ଡାକି ପୁଲିସ ପଚରାଉଚରା କରିବା ସହ ଦୁଇ ଲୁଟେରା କୌଣସି ଗ୍ୟାଙ୍ଗରେ ସମ୍ପୃକ୍ତ କି ନୁହେଁ ତାହା ସେମାନଙ୍କ ଫଟୋ ଦେଖାଇ ପଚାରିଥିବା ଡିସିପି ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦ୍ୱୟଙ୍କୁ ଧରିବାକୁ ପୁଲିସ ସାଇଣ୍ଟିଫିକ୍ ଟିମର ସହାୟତା ମଧ୍ୟ ନେଇଥିଲା ।  
    ଅଭିଯୁକ୍ତର ହେବ ଟିଆଇ ପ୍ୟାରେଡ: ଅଭିଯୁକ୍ତ ରାଜୁ ନାଇଡ଼ୁର ହେବ ଟିଆଇ ପ୍ୟାରେଡ । ଘଟଣାଦିନ ମୃତା ୟୁ ବିଭୁ ପାତ୍ରଙ୍କ ସ୍ୱାମୀ ହିଁ କେବଳ ଅଭିଯୁକ୍ତଙ୍କୁ ଦେଖିଛନ୍ତି । ତେଣୁ ଅଭିଯୁକ୍ତଙ୍କର ଟିଆଇ ପ୍ୟାରେଡ କରିବାକୁ ତାଙ୍କୁ ସୋମବାର କୋର୍ଟରେ ହାଜର କରାଯିବା ସମୟରେ ଆବେଦନ କରାଯାଇଥିବା ଡିସିପି ପିନାକ ମିଶ୍ର କହିଛନ୍ତି । ଏଥିସହ ଟିଆଇ ପ୍ୟାରେଡ ସରିବା ପରେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯାଇ ଘଟଣା ବାବଦରେ ଅଧିକ ପଚରାଉଚରା କରାଯିବ ।