ରଥଯାତ୍ରା ସୂଚନା ସୁରକ୍ଷା ବ୍ୟବସ୍ଥାରେ ୨୦୫ ପ୍ଲାଟୁନ ପୁଲିସ ନିୟୋଜିତ

ରଥଯାତ୍ରା ସୂଚନା ସୁରକ୍ଷା ବ୍ୟବସ୍ଥାରେ ୨୦୫ ପ୍ଲାଟୁନ ପୁଲିସ ନିୟୋଜିତ

ଅଣସର ଘରେ ସୁସ୍ଥ ପରେ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି । ଦତ୍ତ ମହାପାତ୍ର ସେବାୟତଙ୍କ ଦ୍ଵାରା ଏହି ନୀତି ସମ୍ପନ୍ନ ହେବ । ଆସନ୍ତାକାଲି ସକାଳୁ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନର ସାନ୍ନିଧ୍ୟ ଲାଭ କରିବେ ଭକ୍ତ  ।  କାଲି ସକାଳ ୬ଟାରେ ଚକାଅପସର, ୬ଟା ୧୦ରେ ମଙ୍ଗଳଆଳତୀ, ମଇଲମ, ଅବକାଶ ଓ ସାଢେ ୭ଟାରେ ଦଶଅବତାର ଠାକୁର ବାହୁଡା ବିଜେ, ସକାଳ ୮ଟାରେ ଅଣସର ତାଟି ଓ ପଟିଦିଅଁ ବିସର୍ଜନ ହେବ ।  ତାପରେ ଆରମ୍ଭ ହେବ ଭିତରକାଠ ନିକଟରେ ପରମାଣିକ ଦର୍ଶନ । ଏହା ପ୍ରାୟ ୯ଟା ପର୍ଯ୍ୟନ୍ତ ଚାଲିବ ।   ଏଥିସହ ରଥଯାତ୍ରା ପାଇଁ ପୁଲିସ ପ୍ରସ୍ତୁତି ଶେଷ କରିଛି  ।

ଆଜି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ୍‌ ହଲ୍‌ଠାରେ ବୈଠକ ହୋଇଥିଲା  ।  ପୁଲିସ ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି ଯେ ଚଳିତବର୍ଷ ପୁଲିସ ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି  ।  ଟ୍ରାଫିକ୍‌ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, କୋଷ୍ଟାଲ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି  ।  ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ୍‌ ଆଣ୍ଡ୍‌ କଣ୍ଟ୍ରୋଲ୍‌ ସିଷ୍ଟମ୍‌ କରାଯାଇଛି  ।  ଏହି ଇଣ୍ଟିଗ୍ରେଟେଡ୍‌ କଣ୍ଟ୍ରୋଲ ରୁମ୍‌ରେ ରହି ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ଉତ୍ତରା ଛକରୁ ପୁରୀ ସହର, ପୁରୀରୁ କୋଣାର୍କ ଓ ପୁରୀ ସହରାଞ୍ଚଳର କୌଣସିଠାରେ ଟ୍ରାଫିକ୍‌ ଜାମ୍‌  ସମସ୍ୟା‌ର ମୁକାବିଲା ପାଇଁ ନିଷ୍ପତ୍ତି ନେଇହେବ। ସେହିପରି ଆଣ୍ଟି ଡ୍ରୋନ୍‌ ସିଷ୍ଟମ୍‌, ବହୁ ସଂଖ୍ୟାରେ ଆଣ୍ଟି ସାବୋଟାଜ୍‌ ଟିମ୍‌, ଡଗ୍‌ ସ୍କ୍ବାଡ୍‌ ମୁତୟନ ରହିଛି   ।