ଆନନ୍ଦପୁର ନିର୍ବାଚନ ମଣ୍ଡଳୀ, କଂଗ୍ରେସକୁ ଭରସା ଜୟଦେବ
ଆନନ୍ଦପୁର: କଂଗ୍ରେସ ତାର ଦ୍ୱତୀୟ ପର୍ଯ୍ୟାୟ ତାଲିକାରେ କେନ୍ଦୁଝର ଜିଲ୍ଲାର ସମସ୍ତ ୬ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଆନନ୍ଦପୁର ନିର୍ବାଚନ ମଣ୍ଡଳୀକୁ ଛାଡିଦେଲେ ଅନ୍ୟ ୫ ଗୋଟି ନିର୍ବାଚନ ମଣ୍ଡଳୀରେ ଦଳ ନୁଆ ମୁହଁ ଦେଇଛି । ତେବେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଦଳ ଭେଟରାନ ଲିଡର ଜୟଦେବଙ୍କୁ ଭରସା କରିଛି । ଜୟଦେବ ଏହି ନିର୍ବାଚନ ମଣ୍ଡଳୀରୁ ୪ଥର ବିଧାୟକ ହୋଇଥିବା ବେଳେ ମନ୍ତ୍ରୀ ଏବଂ ପିସିସି ସଭାପତି ଆସନ ଅଳଙ୍କୃତ କରିଛନ୍ତି । ୧୯୮୦, ୧୯୮୫ , ୧୯୯୫ ଏବଂ ଶେଷଥର ପାଇଁ ୨୦୦୪ ମସିହାରେ ଜିତିଥିବା ବେଳେ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ପରାଜୟର ସ୍ୱାଦ ଚାଖି ଆସୁଛନ୍ତି । ମାତ୍ର ପରାଜୟ ହେଉଥିଲେ ହେଁ ନିର୍ବାଚନ ମଣ୍ଡଳୀରେ ସର୍ବଦା ଦ୍ୱିତୀୟ ସ୍ଥାନରେ ରହି ଆସିଛନ୍ତି । ୨୦୦୯ ମସିହାରେ ୪୮୯୬୦ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ଜୟଦେବ । ସେହିପରି ୨୦୧୪ ରେ ୬୦୨୯୬ ଖଣ୍ଡ ଭୋଟ ଏବଂ ୨୦୧୯ ମସିହାରେ ୪୫୬୫୭ ଖଣ୍ଡ ଭୋଟପାଇ ଦ୍ୱିତୀୟ ସ୍ଥାନରେ ରହିଆସୁଥିବା ବେଳେ ବିଜେପି ତୃତୀୟ ସ୍ଥାନରେ ରହି ଆସୁଛି । ଏବେ କିନ୍ତୁ ପରିସ୍ଥିତି ଭିନ୍ନ । ୨୦୨୪ରେ ଦଳ ପୁଣି ଭେଟେରାନ ଜୟଦେବଙ୍କୁ ଭରସାକୁ ନେଇ ଆନନ୍ଦପୁର ପାଇଁ ଟିକେଟ ଦେଇଛି । ଏହି ନିର୍ବାଚନ ମଣ୍ଡଳୀରେ ଆଜି ପର୍ଯ୍ୟନ୍ତ ଜୟଦେବଙ୍କ ପ୍ରତିଦ୍ୱନ୍ଦୀ କେହି ଉଭା ହୋଇନଥିବା ବେଳେ କଂଗ୍ରେସର ଅପ୍ରତିଦ୍ୱନ୍ଦୀ ନେତା ଭାବେ ନିଜର ପତିଆରା ଜାହିର କରି ଆସୁଛନ୍ତି । ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ଆନନ୍ଦପୁର ନିର୍ବାଚନ ମଣ୍ଡଳୀଟି ୨୦୦୯ରୁ ବିଜେଡିର ଦୁର୍ଗ ହୋଇଛି । ଏହି ଦୁର୍ଗକୁ ଭାଙ୍ଗି ପାରୁନଥିଲେ ମଧ୍ୟ ବିଜେଡିକୁ ଏକା ଜୟଦେବ ହିଁ ଟକ୍କର ଦେଇ ଆସୁଛନ୍ତି । ତେବେ ଚଳିତ ବର୍ଷ ନିର୍ବାଚନ ଟିକେ ଭିନ୍ନ ରଙ୍ଗର ହେବାକୁ ଯାଉଛି । କାରଣ ଏଥର ବିଜେଡିର ଦୁଇ ବିରୋଧୀ କଂଗ୍ରେସ ଏବଂ ବିଜେପି ଆଗ ଅପେକ୍ଷା ଅଧୀକ ଶକ୍ତିଶାଳୀ ହୋଇଛନ୍ତି । ଯାହା ଶାସକ ବିଜେଡି ପାଇଁ ଚିନ୍ତା ବଢ଼ାଇ ଦେଇଛନ୍ତି । କଂଗ୍ରେସ କିନ୍ତୁ ଶାସକ ଦଳର ଗୋଷ୍ଠି କନ୍ଦଳରୁ ଏଥର ଫାଇଦା ନେବାକୁ ପୁରା ଦମ ଲଗାଇଦେଇଥିବା ବେଳେ ଏଥର ନିର୍ବାଚନ ଜୟଦେବଙ୍କ ପାଇଁ ସମ୍ନାନର ପ୍ରଶ୍ନ ହୋଇଛି ।