କଂଗ୍ରେସକୁ ଫେରିବେ ଭୂପିନ୍ଦର!

କଂଗ୍ରେସକୁ ଫେରିବେ ଭୂପିନ୍ଦର!

ଭୁବନେଶ୍ୱର: ପୁଣି କଂଗ୍ରେସକୁ ଫେରିବେ ଭୂପିନ୍ଦର ସିଂ  । ବିଜୁ ଜନତା ଦଳରେ ଗୁରୁତ୍ୱ ନଥିବାରୁ ଭୂପିନ୍ଦର ଏମିତି ଯୋଜନା କରୁଥିବା ଚର୍ଚ୍ଚା ହେଉଛି  । ଏମିତିକି ଦେଶରେ ଓ ରାଜ୍ୟରେ କଂଗ୍ରେସ ବଢୁଛି ବୋଲି ସେ କହିବା ସହ ବିଜେଡ଼ିର ରଣନୀତିକୁ ସମାଲୋଚନା କରିବାକୁ ପଛାଇନାହାନ୍ତି  ।
ଗଣମାଧ୍ୟମକୁ ସେ କହିଛନ୍ତିଯେ, ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ, ଦଳ ନୁହେଁ  । ମୋର ଭବିଷ୍ୟତ କ’ଣ ହେବ ସେନେଇ ଲୋକେ ନିଷ୍ପତ୍ତି ନେବେ  । ଆପଣ ଯେଉଁ ଚିହ୍ନରେ ଛିଡା ହେବେ ଆମେ ଆପଣଙ୍କ ସହ ରହିବୁ ବୋଲି ଲୋକମାନେ କହୁଥିବା ବରିଷ୍ଠ ବିଜେଡି ନେତା ଭୁପିନ୍ଦର ସିଂ କହିଛନ୍ତି  । ସେହିଭଳି କଂଗ୍ରେସକୁ ଟେକିବାରେ ସେ ହେଳା କରିନାହାନ୍ତି  । ଏମିତିବି ଭକ୍ତ ଚରଣ ଦାସ ଏବେ ପିସିସିର ମଙ୍ଗ ଧରିଥିବାବେଳେ ଗୋଟିଏ ଜିଲ୍ଲାର ହୋଇଥିବାରୁ ଭୂପିନ୍ଦରଙ୍କ ସହ ତାଙ୍କର ସୁସମ୍ପର୍କ ରହିଛି  । ଭୂପିନ୍ଦର କହିଛନ୍ତିଯେ, କଂଗ୍ରେସର ଭବିଷ୍ୟତ ଦେଶରେ ଓ ରାଜ୍ୟରେ ବଢୁଛି । ରାଜ୍ୟରେ ବିଜେଡି ଯଦି ଠିକ ଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନ ନେବ ତେବେ  କଂଗ୍ରେସ ଆହୁରି ଆଗକୁ ବଢିବ । ରାଜ୍ୟରେ ଲୋକେ ଅନୁଭବ କରୁଛନ୍ତି ଯେ, ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ ତେଣୁ ଲୋକେ କଂଗ୍ରେସ କଥା ଚିନ୍ତା କଲେଣି  ।
ବିରୋଧୀ ଦଳ ଭାବେ ବିଜେଡି ଠିକ ଭାବେ ପ୍ରସଙ୍ଗ ଉପସ୍ଥାପନ କରୁନଥିବାରୁ ତାର ଫାଇଦା କଂଗ୍ରେସ ନେଉଛି  । ଲୋକେ ବିଜେଡିଠୁ ଦୁରେଇ ନାହାନ୍ତି କିନ୍ତୁ ଲୋକେ ବିରୋଧୀ ଦଳଠୁ ଯାହା ଆଶା କରୁଛନ୍ତି ତାହା ବିଜେଡିଠୁ ପାଉନାହାନ୍ତି ବୋଲି ଭୂପିନ୍ଦର କହିଛନ୍ତି  । ସେହିପରି ୨୦୨୪ ନିର୍ବାଚନ ପରେ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରିନାହିଁ  । ବିଶେଷକରି ସଂସଦରେ ଆମ ଷ୍ଟାଣ୍ଡ କ୍ଲିଅର ହୋଇପାରିନି । ଏହାକୁ ଦଳର ନେତା ଗମ୍ଭୀରତାର ସହ ନେବା ଦରକାର । ଏହା ହେଉଛି ଲୋକଙ୍କ ମତ  । ଆମେ ଯଦି ଲୋକଙ୍କ କଥାକୁ ଖାମଖିଆଲ ଭାବେ ନେବା ତାହାଲେ ଦଳ ପାଇଁ କ୍ଷତି ହେବ ବୋଲି ଭୂପିନ୍ଦର କହିଛନ୍ତି  । ତାଙ୍କର ଏହି ମନ୍ତବ୍ୟକୁ ଅନୁଶୀଳନ କଲେ ସେ କଂଗ୍ରେସ ଆଡ଼କୁ ଢଳୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି  ।