ମୋଦୀଙ୍କୁ ଏଭଳି କହିଲେ ନବୀନ

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ୩ଟି ନିର୍ବାଚନୀ ସଭାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ସମାଲୋଚନା କରିବା ପରେ ରାତିରେ ନବୀନ ପାଲଟା ଜବାବ ଦେଇଛନ୍ତି । ଏକ ଭିଡିଓ ଜାରି କରି ମୋଦିଙ୍କୁ ପାଲଟା ଜବାବ ଦେବାକୁ ପ୍ରୟାସ କରିଛନ୍ତି । ପ୍ରଥମଥର ପାଇଁ ମୋଦି ଓ ନବୀନ ମୁହିାଁମୁହିଁ ହେବା ରାଜ୍ୟରେ ବିଜେଡି ଓ ବିଜେପି ରାଜନୀତିକ ବାତାବରଣକୁ ଅଧିକ ଉଷ୍ମ କରିଛି ।
ଭିଡିଓରେ ନବୀନ ଅସ୍ପଷ୍ଟ ଭାବେ କହିଛନ୍ତି ଯେ, “ ମୋର କ’ଣ ମନେଅଛି କି ନାହିଁ ଓଡ଼ିଶାବାସୀ ୨୪ବର୍ଷ ହେଲା ଭଲଭାବେ ଜାଣିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଆପଣ ଓଡ଼ିଶାକୁ କେତେ ମନେରଖିଛନ୍ତି ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ହେଲାପରେ ବି ଓଡ଼ିଆ ଭାଷାକୁ ଭୁଲିଗଲେ । ସଂସ୍କୃତକୁ ହଜାରେ କୋଟି ଟଙ୍କା, ଓଡ଼ିଆ ଭାଷାକୁ ଶୂନ । ଓଡ଼ିଶୀ ସଙ୍ଗୀତକୁ ଭୁଲିଗଲେ । ମୁଁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଦୁଇଥର ପ୍ରସ୍ତାବ ପଠାଇଥିଲି । ଆପଣ ଦୁଇଥର ପ୍ରତ୍ୟାଖ୍ୟାନ କଲେ । ଓଡ଼ିଶାରେ ବହୁ ବରପୁତ୍ର ଅଛନ୍ତି । କେତେ ନାଁ ଆଜି ଆପଣ ବି କହିଲେ । କେହି ଜଣେ ହେଲେ ଭାରତ ରତ୍ନ ପାଇଁ କ’ଣ ଠିକ୍ ଲାଗିଲେ ନାହିଁ । ଆପଣ ଭାରତ ରତ୍ନ ବାଂଟିବାବେଳେ ବିଜୁ ପଟ୍ଟନାୟକଙ୍କୁ ଭୁଲିଗଲେ । ଚାଷୀଙ୍କ ପାଇଁ ଏମଏସପି ଦୁଇଗୁଣ, କୋଷ୍ଟାଲ ହାଇୱେ କରିବାକୁ ବି ଭୁଲିଗଲେ । ଓଡ଼ିଶାର ସମ୍ପଦ କୋଇଲା ନେଉଛନ୍ତି । କିନ୍ତୁ ରୟାଲଟି ବଢ଼ାଇବାକୁ ୧୦ବର୍ଷ ହେଲା ଭୁଲିଗଲେ । କେବଳ ନିର୍ବାଚନବେଳେ ଓଡ଼ିଶାକୁ ମନେପକାଇଲେ କିଛି ଲାଭ ନାହିଁ । ୨୦୧୪ ଓ ୨୦୧୯ରେ ନିଜେ କରିଥିବା ପ୍ରତିଶ୍ରୁତିକୁ ମନେ ରଖିଛନ୍ତି କି? ଦରବୃଦ୍ଧିକୁ ହ୍ରାସ, ଦୁଇକୋଟି ନିଯୁକ୍ତି, ଏଲପିଜି, ପେଟ୍ରୋଲ-ଡିଜେଲ ଦର ହ୍ରାସ, ମୋବାଇଲ କନେକ୍ସନ, ଜିଏସଟି ଛାଡ଼ କରିବା କଥା ସବୁ ଓଡ଼ିଶାବାସୀ ମନେ ରଖିଛନ୍ତି । ଜୁନ୍ ୧୦ରେ ତ ନୁହେଁ ଆଉ ୧୦ବର୍ଷରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିବ ନାହିଁ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ବିଜୁ ଜନତା ଦଳ ଓଡ଼ିଶାରେ ୬ଷ୍ଠ ଥର ସରକାର କରିବ ବୋଲି ନବୀନ କହିଛନ୍ତି ।” ଦୀର୍ଘ ୧୦ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ମୋଦି ଓ ନବୀନ ପରସ୍ପରକୁ ଆକ୍ଷେପ କରି ଏଭଳି ବୟାନବାଜି କରିବା ରାଜ୍ୟ ରାଜନୀତିକୁ ସରଗରମ କରିଛି ।