ହିମାଚଳ ଓ ପଞ୍ଜାବ ବନ୍ୟା ଦେଖିଲେ ମୋଦି : ସହାୟତା ପାଇଁ ଦେଲେ ୩୧୦୦ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହିମାଚଳ ପ୍ରଦେଶ ଓ ପଞ୍ଜାବ ଗସ୍ତ କରି ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳର ପରିସ୍ଥିତି ଦେଖିଛନ୍ତି । ବାଦଲ ଫଟା ବର୍ଷା, ଭାରୀ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସୃଷ୍ଟ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଥମେ ହିମାଚଳ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରେ ବୁଲି ଦେଖିଥିଲେ । ପରେ ସେ କାଙ୍ଗଡ଼ାରେ ଏକ ସରକାରୀ ବୈଠକ କରିଥିଲେ । ବୈଠକରେ ହିମାଚଳ ପ୍ରଦେଶରେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟର ସମୀକ୍ଷା କରାଯିବା ସହିତ କ୍ଷୟକ୍ଷତିର ମୂଲ୍ୟାଙ୍କନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶ ପାଇଁ ୧୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ । ଏହା ସହିତ ଏସଡିଆରଏଫ ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଦ୍ୱିତୀୟ କିସ୍ତି ଅର୍ଥ ଆଗୁଆ ଜାରି କରାଯିବ ବୋଲି କହିଥିଲେ । ସେହିପରି ପଞ୍ଜାବ ପାଇଁ ମଧ୍ୟ ୧୬୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ସମଗ୍ର ଅଞ୍ଚଳ ଓ ଲୋକଙ୍କୁ ପୁଣି ଥରେ ନିଜ ଗୋଡ଼ରେ ଛିଡ଼ା କରାଇବା ପାଇଁ ଏକ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରିବାକୁ କହିଥିଲେ । କୃଷି ସମ୍ପ୍ରଦାୟକୁ ସହାୟତା ପ୍ରଦାନ କରିବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ସ୍ୱୀକାର କରି, ବିଶେଷକରି ଯେଉଁ ଚାଷୀମାନଙ୍କର ବର୍ତ୍ତମାନ ବିଦୁ୍ୟତ୍ ସଂଯୋଗ ନାହିଁ ସେମାନଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ କ୍ଷତିଗ୍ରସ୍ତ ଘରଗୁଡ଼ିକୁ ଜିଓଟ୍ୟାଗ୍ କରାଯିବ । ଏହା କ୍ଷୟକ୍ଷତିର ସଠିକ୍ ମୂଲ୍ୟାଙ୍କନ ଓ ପ୍ରଭାବିତ ଲୋକଙ୍କୁ ଶୀଘ୍ର ସହାୟତା ପ୍ରଦାନ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟରେ ମୃତୁ୍ୟବରଣ କରିଥିବା ଲୋକଙ୍କ ନିକଟତମ ପରିବାରକୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।