NEETରେ କପି ଦେବାକୁ ଡିଲ୍ ହୋଇଥିଲା ମୁଣ୍ଡ ପିଛା : ୧୦ ଲକ୍ଷ, ୩ ଗିରଫ
ସର୍ବଭାରତୀୟ ସ୍ତରରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ନିଟ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ତେବେ ଏହି ପରୀକ୍ଷାରେ କପି ଯୋଗାଇ ପାସ୍ କରାଇ ଦେବାକୁ ୧୬ ଛାତ୍ରଙ୍କ ସହ ହୋଇଥିଲା ଡିଲ୍ । ମୁଣ୍ଡ ପିଛା ଫାଇନାଲ୍ ହୋଇଥିଲା ୧୦ ଲକ୍ଷ । ଏପରି ଏକ ରାକେଟକୁ ଧରି ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ସ୍କୁଲ ଶିକ୍ଷକ ଓ ତାଙ୍କର ଦୁଇ ସହଯୋଗୀ ଥିବା ଜଣାଯାଇଛି। ସେମାନଙ୍କ ନିକଟରୁ ୭ ଲକ୍ଷ କ୍ୟାସ୍ ଜବତ ହୋଇଛି। ଏପରି ଏକ ଘଟଣା ଗୁଜରାଟର ଗୋଧ୍ରାରେ ଘଟିଛି।
ଗତ ରବିବାର ଗୋଧ୍ରାର ଏକ ସ୍କୁଲରେ ନିଟ୍ ପରୀକ୍ଷା ପାଇଁ ସେଣ୍ଟର ହୋଇଥିଲା। ଉକ୍ତ ସମୟରେ ପୁଲିସ୍ ସେଠାରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଉକ୍ତ ସ୍କୁଲର ଶିକ୍ଷକ ତୁଷାର ଭଟ୍ଟ ଓ ତାଙ୍କର ଦୁଇ ସହଯୋଗୀ ପର୍ଶୁରାମ ରୟ ଓ ଅରିଫ ଭୋରା ଅଛନ୍ତି। ଏଥିସହ ପୁଲିସ୍ ଭଟ୍ଟଙ୍କ କାର୍ରୁ ୭ ଲକ୍ଷ କ୍ୟାସ୍ ଜବତ କରିଛି।
ପୁଲିସ୍ ସୂଚନା ଅନୁଯାୟୀ, ଏହି ପ୍ରବେଶିକା ପରୀକ୍ଷାରେ ପାସ୍ କରିବା ନିମନ୍ତେ ଡିଲ୍ କରିଥିବା ପରିକ୍ଷାର୍ଥୀଙ୍କୁ କେବଳ ଯେଉଁ ପ୍ରଶ୍ନର ଉତ୍ତର ଆସୁଛି ତାହା ଲେଖିବାକୁ କୁହାଯାଉଥିଲା । ନଚେତ ଅନ୍ୟ ପ୍ରଶ୍ନକୁ ଛାଡ଼ି ଦେବାକୁ କୁହାଯାଇଥିଲା। ଉକ୍ତ ପରିକ୍ଷାର୍ଥୀମାନେ ଉତ୍ତର ଖାତା ଦେବା ପରେ ସମ୍ପୃକ୍ତ ଶିକ୍ଷକ ସେଥିରେ ଉତ୍ତର ଲେଖି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।