ନଭେମ୍ବରରେ ରାଜ୍ୟ ଗସ୍ତ କରିବେ ତ ନବୀନ ?

Naveen Patanaik, Odisha

ନଭେମ୍ବରରେ ରାଜ୍ୟ ଗସ୍ତ କରିବେ ତ ନବୀନ ?

ଭୁବନେଶ୍ୱର : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ଘଟୁଛି  । ତୃଣମୂଳସ୍ତରର ବିଜେଡ଼ି ନେତା ଓ ନେତ୍ରୀମାନେ ଦଳ ଠାରୁ ମୋହମାୟା ତୁଟାଇ ଦେଉଛନ୍ତି  । ଦଳୀୟ ହତାଦରର ଶିକାର ହେଉଥିବା ନେତାମାନେ ନିଜ ରାଜନୀତିକ ଭବିଷ୍ୟତ ପାଇଁ ବିଜେପି ଆଡ଼କୁ ମୁହାଁଇବା ଆରମ୍ଭ କରିଛନ୍ତି  । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି  । ବିଜେଡ଼ିର ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ପ୍ରତି ବି ଗାଁ ନେତାମାନଙ୍କର ଆଉ ପୂର୍ବଭଳି ଆଗ୍ରହ ନାହିଁ  । ଯାହା ଏବେ ବିଜେଡ଼ିର ମାମଲତକାରଙ୍କ ରକ୍ତଚାପ ବଢ଼ାଇ ଦେଇଛି  । ଏହି ଅବସ୍ଥାରୁ ମୁକୁଳିବା ପାଇଁ ଦଳ ଯେତେ ବାଟ ଖୋଜିଲେ ବି ମିଳୁନାହିଁ  । ସେପଟେ ନଭେମ୍ବରରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା  । କିନ୍ତୁ ଏଯାଏଁ ଏନେଇ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ  ।

ସାରା ରାଜ୍ୟରେ ଶକ୍ତି ବୃଦ୍ଧି ପାଇଁ ବିଜେପି ପଞ୍ଚାୟତସ୍ତରର ନେତାଙ୍କୁ ଟାର୍ଗେଟ୍‌ କରିଛି  । ଦଳ ଦୁଇ ରାଜ୍ୟସଭା ସାଂସଦଙ୍କୁ ନେଇଥିଲେବି ଅସଲରେ ସରପଞ୍ଚ, ସମିତି ସଭ୍ୟ, ବ୍ଳକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟଙ୍କ ଉପରେ ହିଁ ବିଜେପିର ଆଖିରହିଛି  । ଏନେଇ ବିଜେପି ଗୁପ୍ତ ରଣନୀତି କରିଛି  । ବଡ଼ବଡ଼ ନେତାଙ୍କୁ ଆଣିବା ଅପେକ୍ଷା ପଞ୍ଚାୟତସ୍ତରୀୟ ନେତାଙ୍କୁ ଆଣି ବିଜେଡ଼ିର ମେରୁଦଣ୍ଡ ଭାଙ୍ଗିବାକୁ ଅମିତ ଶାହା ରଣନୀତି କରିଛନ୍ତି  । ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି  ।

ଇତିମଧ୍ୟରେ ବିଜେପି ତାହାର ରଣନୀତିରେ ସଫଳ ହୋଇଛି  । ପୂର୍ବରୁ ଧର୍ମଶାଳା, ଖୋର୍ଦ୍ଧା, ଗଞ୍ଜାମ ଆଦି ଅଞ୍ଚଳର ସ୍ଥାନୀୟ ବିଜେଡ଼ି ନେତାମାନେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇସାରିଛନ୍ତି  । ଏପରିକି ନବୀନଙ୍କ ହିଞ୍ଜିଳିରେ ବି ଏହାର ନଜିର ଦେଖିବାକୁ ମିଳିଛି  । ଅନେକ ବିଜେଡ଼ି ସରପଞ୍ଚ, ସମିତିସଭ୍ୟ ଓ ବ୍ଳକ ଅଧ୍ୟକ୍ଷ ବିଜେପି ବିଧାୟକଙ୍କ ସହ ଭିତିରିଆ ସମର୍ଥନ ରଖି କାମ କରିବା ଆରମ୍ଭ କରିଦେଇଛନ୍ତି  । ଆଜି ଗଁଦିଆ ବ୍ଲକ୍‌ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ ବିଜେଡି ଛାଡି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନଠାରେ ସେ ବିଜେପିରେ ସାମିଲ୍‌ ହୋଇଛନ୍ତି । ରୀନାଙ୍କ ସହ ୩୦ଜଣ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ବି ପଦ୍ମ ଧରିଛନ୍ତି  । ଢେଙ୍କାନାଳର ଟାଣୁଆ ବିଜେଡ଼ି ନେତା ସୁଧୀର ସାମଲଙ୍କୁ ସେମାନେ ଦାୟୀ କରିଛନ୍ତି  । ଭାତ ହାଣ୍ଡିରୁ ଗୋଟିଏ ଭଳି ଏହା ଏକ ଉଦାହରଣ ମାତ୍ର  ।