କାହିଁକି ହଟିଲା ନବୀନଙ୍କ ସୁରକ୍ଷା
Naveen Patanaik, Odisha
ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ସୁରକ୍ଷାକୁ କମାଇ ଦିଆଯାଇଛି । ଏହାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡ଼ି ମଧ୍ୟ ଏହାକୁ ଏକ ପ୍ରସଙ୍ଗ କରିଛି । ତେବେ ନବୀନଙ୍କ ସୁରକ୍ଷା କାହିଁକି ହଟିଲା, ଏହା ହଟିବା ପଛରେ ଏକ ବଡ଼ କାରଣ ରହିଛି । ବାସ୍ତବରେ ସରକାର ନବୀନଙ୍କୁ ନ୍ୟୁନ କରିବା ପାଇଁ ସୁରକ୍ଷା ହଟାଇନାହାନ୍ତି । ରାଜ୍ୟ ସରକାରଙ୍କର ଗାଇଡ଼ଲାଇନ ଅନୁସାରେ ହିଁ ନବୀନଙ୍କ ସୁରକ୍ଷା କମାଇ ଦିଆଯାଇଛି । ନବୀନ ଏବେ ବିରୋଧୀ ଦଳ ନେତା ଅଛନ୍ତି । ବିରୋଧୀ ଦଳ ନେତା ହେଉଛନ୍ତି କ୍ୟାବିନେଟ ପାହ୍ୟାର । ତେଣୁ କ୍ୟାବିନେଟ ମନ୍ତ୍ରୀଙ୍କୁ ମିଳୁଥିବା ସୁରକ୍ଷା ହିଁ ନବୀନଙ୍କୁ ଦିଆଯିବା କଥା । ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଗିରିଧର ଗମାଙ୍ଗ ଏବଂ ହେମାନନ୍ଦ ବିଶ୍ୱାଳଙ୍କ ଭଳି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ସରକାରଙ୍କ ଅମଳରେ ଯେଉଁଭଳି ସୁରକ୍ଷା ଦିଆଯାଉଥିଲା ଏବେ ସମାନ ସୁରକ୍ଷା ଦିଆଯାଉଛି । ସେହିପରି ନବୀନଙ୍କ ଅମଳରେ ଭୂପିନ୍ଦର ସିଂ, ନରସିଂହ ମିଶ୍ର, ଜୟ ନାରାୟଣ ମିଶ୍ର, କନକବର୍ଦ୍ଧନ ସିଂହଦେଓ, ବସନ୍ତ ପଣ୍ଡାଙ୍କ ଭଳି ଅନେକ ବିରୋଧୀ ଦଳ ନେତା ଥିଲେ । ସେମାନଙ୍କୁ ବି ଯେଉଁ ସୁରକ୍ଷା ଦିଆଯାଉଥିଲା ନବୀନଙ୍କୁ ସେହି ସୁରକ୍ଷା ଦିଆଯାଉଛି । ହଁ ଏକଥା ସତଯେ, ନବୀନ ଓଡ଼ିଶାର ଜଣେ ଲୋକପ୍ରିୟ ନେତା । ବିଜେଡ଼ି ଭଳି ପ୍ରମୁଖ ଦଳର ସଭାପତି । ତାଙ୍କୁ କିଛି ଅଧିକ ସୁରକ୍ଷା ଦିଆଯିବା କଥା । ତେବେ ନବୀନ ଏନେଇ ଯଦି ସରକାରଙ୍କୁ ଆବେଦନ କରିବେ ତାହେଲେ ହିଁ ଦିଆଯାଇପାରିବ । ତାଙ୍କ ପ୍ରତି ବିପଦ ଥିବା ନବୀନ ଅନୁଭବ କରି ଯଦି ସରକାରଙ୍କୁ ଆବେଦନ କରିବେ ତେବେ ଯାଇ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇପାରିବ ।