ନବୀନଙ୍କ ଟିମରୁ ବବି ଆଉଟ୍ ! ବଡ଼ ଦାୟିତ୍ୱ ଦେବେ ନା ହାତ ଛାଡ଼ିଦେବେ
Naveen Patanaik, Odisha
ଭୁବନେଶ୍ୱର : ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । ଏକଦା ସେ ଥିଲେ ଦଳର ନମ୍ବର ଟୁ । ନବୀନଙ୍କ ଆଖିକାନ ନାକ ସବୁକିଛି ଥିଲେ । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଦଳରେ ବବିଙ୍କର ଦବଦବା ଦେଖିବାକୁ ମିଳିଥିଲା । ଦଳର ସାଂଗଠନିକ ସମ୍ପାଦକ ଭାବେ ସବୁ ଜିଲ୍ଲା ବୁଲି ସେ ନେତାଙ୍କୁ ଏକାଠି କରୁଥିଲେ । ତେବେ ବବି ଦାସ ଚବିଶ ନିର୍ବାଚନ ପରେ ମୁଣ୍ଡ ଟେକି ବାଟ ଚାଲିପାରୁନାହାନ୍ତି । ସେ ନିଜେ ସମ୍ବଲପୁରରେ ହାରିଥିବାବେଳେ ତାଙ୍କ ମା’ ମଧ୍ୟ କୋରେଇରେ ପରାସ୍ତ ହୋଇଛନ୍ତି । ଦଳର ବିପର୍ଯ୍ୟୟ ପାଇଁ ଅନେକ ନେତା ତାଙ୍କୁ ହିଁ ଦାୟୀ କରୁଛନ୍ତି । ଏବେ ନବୀନ ତିନୋଟି ବଡ଼ କମିଟି ଗଠନ କରିଛନ୍ତି । କିନ୍ତୁ ସେହି କମିଟିରେ ତାଙ୍କୁ ନିଆଯାଇନାହିଁ ।
ଆସନ୍ତା ୨୭ରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିବେ । ଦଳର ଏକ ଉଚ୍ଚସ୍ତରୀୟ ବୈଠକରେ ନବୀନ କ’ଣ ଘୋଷଣା କରିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ନବୀନ ୨୦ଟି ଜିଲ୍ଲାର ସାଂଗଠନିକ ବୈଠକ କରିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେଠାରୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଦଯାତ୍ରା, ସଭ୍ୟ ସଂଗ୍ରହ, ପଦାଧିକାରୀ ଚୟନ ଓ ନୂଆ କମିଟି ଗଠନ ମଧ୍ୟ କରାଯିବ । ନିକଟରେ ନବୀନ ତିନୋଟି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରିଛନ୍ତି । କମିଟିରେ ବହୁ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ସବୁ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଥିବାବେଳେ ବିଜେଡ଼ିର ରଣନୀତି ନେଇ ନବୀନ ନେତାଙ୍କୁ ଟିପସ ଦେବେ । ନବୀନ ନିବାସରେ ଏଥିପାଇଁ ଭିକେ ପାଣ୍ଡିଆନ୍ ରଣନୀତି କରୁଛନ୍ତି । ବିଜେଡ଼ିର ରଣନୀତି ଉପରେ ବିଜେପିର ମଧ୍ୟ ନଜର ରହିଛି । ନିକଟରେ କଂଗ୍ରେସ ଓ ବିଜେଡ଼ି ମେଣ୍ଟ ନେଇ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ବି ଦଳ ଗୁରୁତର ସହ ଗ୍ରହଣ କରିଛି ।