ଯାଜପୁର ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ : ୧୫୧୬ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୧୩୦୬
 ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ଆଜି ବିଭିନ୍ନ ହସ୍ପିଟାଲରେ ନୂଆ ରୋଗୀଙ୍କ ଆଡମିଶନ ସଂଖ୍ୟା ବହୁ ପରିମାଣରେ କମିଛି, ଏବଂ ନୂଆ ଅଞ୍ଚଳ କଲେରାରେ ପ୍ରଭାବିତ ହୋଇଥିବାର ସୂଚନା ମିଳିନାହିଁ । ଗତକାଲି ସୁଦ୍ଧା ଯେଉଁମାନେ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଟକ ବଡ଼ ମେଡିକାଲରେ ଆଡମିଶନ ହୋଇଥିଲେ ସେମାନେ ଧିରେ ଧିରେ ଆରୋଗ୍ୟ ଲାଭ କରି ଘରକୁ ଫେରୁଛନ୍ତି । ଭଦ୍ରକ ଓ କଟକ ଜିଲ୍ଲାରେ କାଁ ଭାଁ କେତେକ ଘଟଣା ଘଟିଥିଲେ ମଧ୍ୟ ତାହା ସାଧାରଣ ଏବଂ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିନାହିଁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ହେଲ୍ଥ ଟିମ୍, ରାପିଡ୍ ଆକ୍ସନ ଟିମ୍, ଜନସ୍ୱାସ୍ଥ୍ୟ ଟିମ୍ କୁ ନେଇ ଏକ କଣ୍ଟ୍ରୋଲ ରୁମ ୨୪ଘଣ୍ଟା କାର୍ଯ୍ୟ କରୁଛି । ତୃଣମୂଳସ୍ତରୀୟ କର୍ମଚାରୀମାନେ ପୂର୍ଣ୍ଣ ସଜାଗ ଏବଂ ତତ୍ପରତାର ସହ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଛନ୍ତି । ଜନ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାକ୍ତର ନୀଳକଣ୍ଠ ମିଶ୍ର ଜଣାଇଛନ୍ତି ଯେ, ଯାଜପୁର ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୫୧୬ ଜଣ ଡାଇରିଆ ଆକ୍ରାନ୍ତ ଆଡ୍ମିଶନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୨୧୦ ଜଣଙ୍କର ଚିକିତ୍ସା ଚାଲିଛି । ସେମାନେ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଚିକିତ୍ସକମାନେ ଆଶା ପ୍ରକଟ କରିଛନ୍ତି ।
ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିଦେ୍ର୍ଦଶକ ଡାକ୍ତର ବୃନ୍ଦା ଡି. ଏବଂ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡାକ୍ତର ବିଜୟ ମହାପାତ୍ର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯକ୍ରମ ଏବଂ ହସ୍ପିଟାଲମାନଙ୍କରେ ସଂକ୍ରମିତ ଲୋକମାନଙ୍କର ଚିକିତ୍ସା ତଦାରଖ କରିଥିଲେ । କ୍ଷେତ୍ରସ୍ତରୀୟ କାର୍ଯ୍ୟକୁ ଅଧିକ ଲକ୍ଷ୍ୟଭେଦୀ କରିବା ନିମନ୍ତେ ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ ତିନୋଟି ଟିମ୍ ପଠାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସ୍ୱାସ୍ଥ୍ୟସେବା ମହାନିଦେ୍ର୍ଦଶକଙ୍କ ନିଦେ୍ର୍ଦଶ କ୍ରମେ ଏକ ୭ ଜଣିଆ ସ୍ୱାସ୍ଥ୍ୟ ଟିମ୍ ଏବଂ ୩  ଜଣିଆ ଖାଦ୍ୟ ନିରାପତ୍ତା ଟିମ୍ ଓଡ଼ିଶାକୁ  ପଠାଯାଇଛି । ଠିକ୍ ସେହିପରି ଭାରତ ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ)ଙ୍କ ପକ୍ଷରୁ ଏକ ୪  ଜଣିଆ ସ୍ୱତନ୍ତ୍ର ଖାଦ୍ୟ ଗୁଣବତ୍ତା ଟିମ୍ ପଠାଯାଇଛି ।  ସ୍ୱାସ୍ଥ୍ୟ ଟିମ୍ ରେ ଆଞ୍ଚଳିକ ନିଦେ୍ର୍ଦଶାଳୟର ବରିଷ୍ଠ ଅଧିକାରୀ ଡାକ୍ତର ନିଲମ୍ ସୋମାଲକର, ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପ୍ରଫେସର ଡାକ୍ତର ଶିବାନୀ ଲାହିରି, ଭୁବନେଶ୍ୱର ଏମ୍ସର ମାଇକ୍ରୋଲୋଜିଷ୍ଟ  ପ୍ରଫେସର  ଡାକ୍ତର ସୃଜନ ମହାନ୍ତି, ଶିଶୁରୋଗ ପ୍ରଫେସର ଡାକ୍ତର ଭାଗିରଥୀ ଦ୍ୱିବେଦୀ, କେନ୍ଦ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ଡାକ୍ତର ସତ୍ୟଜିତ ସୁବୁଦ୍ଧି, କୋଲକାତା ସ୍ଥିତ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ରର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରେମଜିତ୍ ଘୋଷ  ଏବଂ  ଡାକ୍ତର ଗୌତମ ଚୌଧୁରୀ ପ୍ରମୁଖ ଅନ୍ତର୍ଭୁକ୍ତ । ଏଫ୍ଏସ୍ଏସ୍ଏଆଇ ଟିମ୍ରେ କୋଲକାତା ସ୍ଥିତ ଜାତୀୟ ଖାଦ୍ୟ ଗବେଷଣାଗାରର ଡାକ୍ତର ଗୀତାଞ୍ଜଳି ଶର୍ମା, ବୈଷୟିକ ଅଧିକାରୀ ମିସ ନୟନା, ଏଫ୍ଏସ୍ଏସଏଆଇର ପୂର୍ବାଞ୍ଚଳ ଉପ-ନିଦେ୍ର୍ଦଶକ ଡାକ୍ତର ଶଶିକାନ୍ତ ଭୂୟାଁ ପ୍ରମୁଖ ସଦସ୍ୟ ଅଛନ୍ତି । ଏହି କମିଟିମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜନ ସ୍ୱାସ୍ଥ୍ୟ ସ୍ଥିତି ପରଖିବା ସହ ରୋଗର କାରଣ ଏବଂ ନିରାକରଣ ସମ୍ବନ୍ଧରେ କ୍ଷେତ୍ରସ୍ତରୀୟ ଅଧିକାରୀ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ ବୋଲି ଜଣା ପଡ଼ିଛି ।                        
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
