ବିଜେଡ଼ି ଉପରେ ପଡୁଛି ନେତାଙ୍କ ଲୁହ

Naveen Patanaik, Odisha

ବିଜେଡ଼ି ଉପରେ ପଡୁଛି ନେତାଙ୍କ ଲୁହ

ଭୁବନେଶ୍ୱର : ଦଳର ଗଦାଗଦା ନେତାଙ୍କୁ ଖତଗଦାକୁ ଫିଙ୍ଗିଦେଲେ  । ଦିନରାତି ଖଟି ଯିଏ ଦଳକୁ ମଜବୁତ କରିଥିଲେ ସେମାନଙ୍କୁ ବାସି ପାଣିରେ ବି ପଚାରିଲେନି  । ୟେଦଳରୁ ସେଦଳରୁ ନେତା ଗୋଟେଇଥିଲେ  । କୃତଘ୍ନ ଭଳି ନିଜ ଦଳର ନେତାଙ୍କୁ ପ୍ରଶାସନିକ କଳ ଲଗାଇ କନ୍ଦେଇ ପକାଇଲେ  । ସତ କହିଲେ ମୁହଁରେ ସେଲୋଟେପ୍‌ ଲଗାଇ ଦେଉଥିଲେ  । ମୁହଁ ଖୋଲିଲେ ବେପାର ବୁଡେ଼ଇବାର ଧମକଠୁ ନେଇ ଜେଲରେ ଠୁଙ୍କିବା ପର୍ଯ୍ୟନ୍ତ ସବୁ ପ୍ରକାର ଧମକ ବି ଦିଆଯାଉଥିଲା  । ପାୱାର ଥିବାବେଳେ ବିଜେଡ଼ିର ଅହଙ୍କାର ମଦମତ୍ତ ମାମଲତକାରମାନେ ଯେଉଁ ଦୌରାତ୍ମ୍ୟ କରିଥିଲେ ତାହାର ଫଳ ଚବିଶରେ ମିଳିସାରିଛି  । ଅନ୍ୟ ପାଇଁ ଯେଉଁ ଗାତ ଖୋଳିଥିଲେ ସେଇ ଗାତରେ ପଡ଼ି ଛଟପଟ ହେବା ଆରମ୍ଭ କରିଛନ୍ତି  । ଗାଏମୋଟ କହିଲେ ବିଜେଡ଼ିର ନିର୍ଯ୍ୟାତିତ ନେତାଙ୍କ ଲୁହ ଏବେ ଦଳ ଉପରେ ପଡ଼ିବା ଆରମ୍ଭ କରିଛି  । ଆଗାମୀ ଦିନରେ ନେତାଙ୍କ ଲୁହରେ ମାମଲତକାରମାନେ ଭାସିଯିବେ ବୋଲି ଜଣେ ନିର୍ଯ୍ୟାତିତ ନେତା ଆମ ପ୍ରତିନିଧିଙ୍କୁ କହିଛନ୍ତି  । 

ଏଇ ନିକଟରେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେଡ଼ିକୁ ବାଏବାଏ କରିଛନ୍ତି  । ୨୦୧୪ରେ କଂଗ୍ରେସ ଥିବା ପ୍ରକାଶ ୨୦୧୯ ବେଳକୁ ବିଜେପି ହୋଇଯାଇଥିଲେ  । ହେଲେ ୨୦୨୪ ବେଳକୁ ସେ ବିଜେଡ଼ି ହୋଇଗଲେ  । ନିର୍ବାଚନର ମାସକ ପୂର୍ବରୁ ତାଙ୍କ ହାତରେ କଟକ-ବାରବାଟୀ ଟିକେଟ ଧରାଇ ଦିଆଗଲା  । କଟକ ବାରବାଟୀରେ ବିଜେଡ଼ିକୁ ମଜବୁତ କରିବା ପାଇଁ ତାଙ୍କର ଧାପେ ବି ଉଦ୍ୟମ ନଥିଲା  । ଅନେକ ଆଶାୟୀଙ୍କୁ ଗୋଇଠା ମାରି ପ୍ରକାଶଙ୍କୁ ଟିକେଟ ଦେବାର ଫଳ ଦଳ ଭୋଗିସାରିଛି  । ଭିକେ ପାଣ୍ଡିଆନ୍‌ ହିଁ ତାଙ୍କୁ ବିଜେଡ଼ିକୁ ଆଣିଥିଲେ  । ଶଙ୍ଖ ଭବନରେ ସାଂସଦ ମାନସ ମଙ୍ଗରାଜ ତାଙ୍କୁ ଦଳରେ ମିଶାଇଥିଲେ  । ନିର୍ବାଚନ ପରେ ପ୍ରକାଶ ନୀରବ ରହିଥିବାବେଳେ ଏବେ ବିଜେପିକୁ ଯିବାପାଇଁ ସଜବାଜ ହେଉଛନ୍ତି  । କେବଳ ବୈଜୟନ୍ତ ପଣ୍ଡାଙ୍କୁ ହରାଇବା ପାଇଁ ପ୍ରକାଶଙ୍କୁ ହିଁ ପାଣ୍ଡିଆନ୍‌ ବିଜେଡ଼ିକୁ ନେଇଥିଲେ  ।

ବ୍ରହ୍ମପୁରରେ ଚନ୍ଦ୍ରଶେଖର ସାହୁଙ୍କ ଭଳି ଟାଣୁଆ ନେତା ୨୦୧୯ରେ ଟିକେଟ ପାଇ ଜିତିଥିଲେ  । ୨୦୨୪ରେ ବି ଟିକେଟ ପାଇବାକୁ ଆଶା ରଖିଥିଲେ  । କିନ୍ତୁ ଚନ୍ଦ୍ରଶେଖରଙ୍କୁ ସାଇଡ଼୍‌ କରି ଭ୍ରୁଗୁ ବକ୍ସିପାତ୍ରଙ୍କୁ ପାଣ୍ଡିଆନ୍‌ ଦଳରେ ମିଶାଇଦେଲେ  । ସେପଟେ ବିକ୍ରମ ପଣ୍ଡା ବ୍ରହ୍ମପୁରରେ ଭଲ ସଂଗଠନ କରିଥିଲେ  । କିନ୍ତୁ ପ୍ରଦୀପ ପାଣିଗ୍ରାହୀଙ୍କୁ ପାନେ ଦେବାକୁ ତାଙ୍କୁ ଗୋପାଳପୁର ପଠାଇ ଦିଆଗଲା  । ଧର୍ମେନ୍ଦ୍ରଙ୍କର ଘନିଷ୍ଠ ଅନୁଗତ ଥିବାରୁ ଭ୍ରୁଗୁଙ୍କୁ ଆଣି ଧର୍ମେନ୍ଦ୍ରଙ୍କୁ ଝଟକା ଦେବାକୁ ଯୋଜନା କରାଯାଇଥିଲା  । ବ୍ରହ୍ମପୁରରେ ଯେଉଁ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦଳ ୟୁଜ୍‌ ଆଣ୍ଡ ଥ୍ରୋ କରିଥିଲା ସେ ଏବେ ବିଧାୟକ ହୋଇଛନ୍ତି  । ଗାଏମୋଟ୍‌ କହିଲେ ପ୍ରଦୀପଙ୍କ ପାଇଁ ଜାଲ ବିଛାଉବିଛାଉ ଜାଲରେ ବିଜେଡ଼ି ହିଁ ପଡ଼ିଗଲା  ।

ବାଲେଶ୍ୱରରେ ରବୀନ୍ଦ୍ର ଜେନା ବିଜେଡ଼ିକୁ ମଜବୁତ କରିବାକୁ ବହୁତ କିଛି କରିଛନ୍ତି  । ଦଳ ପାଇଁ କୋଟିକୋଟି ଟଙ୍କା ବି ଖର୍ଚ୍ଚ କରିଛନ୍ତି  । ମୟୂରଭଞ୍ଜରେ ଯଦି ସ୍ୱାମୀ ସ୍ତ୍ରୀଙ୍କୁ ଟିକେଟ ଦିଆଯାଇପାରିଲା, ବାଲେଶ୍ୱରରେ ଦେଇଥିଲେ ବି କିଛି ଅସୁବିଧା ହୋଇନଥା’ନ୍ତା  । ଅନ୍ୟ ବିଜେଡ଼ି ନେତାଙ୍କୁ ବି ଦିଆଯାଇପାରିଥା’ନ୍ତା  । ହେଲେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡ଼ି ଟିକେଟ୍‌ ମିଳିଲା  । ଗତ ଏକ ଦଶନ୍ଧି ଧରି ପ୍ରତିଦିନ ନବୀନ ଓ ପାଣ୍ଡିଆନଙ୍କ ବିରୋଧରେ ଗରଳ ବାହାର କରୁଥିବା ଲେଖାଶ୍ରୀଙ୍କୁ ଟିକେଟ ମିଳିବା ଘଟଣା ଦଳର ଅନେକ ନେତାଙ୍କୁ ପସନ୍ଦ ଆସିନଥିଲେବି ସେମାନେ ଗାଲମୁଣ୍ଡା ଆଉଁଷି ନୀରବ ରହିବାକୁ ବାଧ୍ୟ ହୋଇଥିଲେ  । ଧର୍ମେନ୍ଦ୍ରଙ୍କର ଖାସ ଅନୁଗତ ଥିଲେ ଲେଖାଶ୍ରୀ  । ତେଣୁ ଧର୍ମେନ୍ଦ୍ରଙ୍କୁ ନୀଚ୍ଚା ଦେଖାଇବାକୁ ଏଭଳି ଏକ ଉଦ୍ୟମ କରାଯାଇଥିଲା  ।