ବିଜେଡ଼ିକୁ ଡରାଇଲେ ଛାତ୍ରନେତା

Naveen Pattanaik Biju Janata Dal VK Pandian

ବିଜେଡ଼ିକୁ ଡରାଇଲେ ଛାତ୍ରନେତା

ଭୁବନେଶ୍ୱର : ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  । ବିଧାୟକ ବାବୁ ସିଂ, ଅମର ନାୟକ, ପ୍ରଶାନ୍ତ ଜଗଦ୍ଦେବ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର  । ମୟୂରଭଞ୍ଜର ଲୁଲୁଙ୍ଗରେ ଏମିତି ଦେଢ଼ ଶହରୁ ଉଦ୍ଧ୍ୱର୍ ନେତା ଠୁଳ ହୋଇଥିଲେ  । ଦଳ ସିନା ବଦଳିଯାଇଛି  । ହେଲେ ମନ ଏବେବି ଏକ ଅଛି  । ୧୯୮୦ ଦଶକର ଲଢୁଆ ଛାତ୍ରନେତାମାନେ ଏମିତି ବାର୍ତ୍ତା ଦେଇ ରାଜ୍ୟ ରାଜନୀତିକୁ ଚହଲାଇ ଦେଇଛନ୍ତି  । ବିଶେଷକରି ହଠାତ୍‌ ଏଭଳି ବନ୍ଧୁମିଳନ ବିଜେଡ଼ିରେ କମ୍ପନ ସୃଷ୍ଟି କରିଛି  ।

ଅଶୀ ଦଶକର ଟାଣୁଆ ଯୁବ ନେତା ରାଜା ମହାନ୍ତିଙ୍କ ସଂଯୋଜନାରେ ଏକ ବଡ଼ ଧରଣର ବନ୍ଧୁମିଳନ ହୋଇଛି  । ଓଡ଼ିଶାର କୋଣ ଅନୁକୋଣରୁ ତତ୍କାଳୀନ ଜନତା ଦଳର ଯୁବ ଓ ଛାତ୍ରନେତାମାନେ ଏକାଠି ହୋଇଛନ୍ତି  । ଅଶୀ ଦଶକର ଏହି ଟାଣୁଆ ନେତାମାନଙ୍କର ଗୋଟିଏ ସାମଞ୍ଜସ୍ୟ ରହିଛି  । ସେମାନେ ସବୁ ଜନତା ଦଳର ଆଗଧାଡ଼ିର ଛାତ୍ରନେତା ଥିଲେ  । ଜାନକୀବାବୁଙ୍କ ଶାସନ ସମୟରେ ସେମାନେ ହିଁ ବିଜୁବାବୁଙ୍କ ରଣନୀତି କାର୍ଯ୍ୟକାରୀ କରିବାର ମୁଖ୍ୟ ପୁରୋଧା ସାଜିଥିଲେ  । ପ୍ରତିକୂଳ ସ୍ଥିତିରେ ସେମାନେ ଲଢେ଼ଇ କରି ନିଜର ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ  । ହେଲେ ବିଜେଡ଼ି ଶାସନକୁ ଆସିବା ପରେ କାଁ ଭାଁ କିଛି ନେତାଙ୍କୁ ଛାଡ଼ି ବାକି ସବୁ ଛାତ୍ରନେତାଙ୍କୁ ଦଳ କୋଣଠେସା କରିଦେଇଥିଲା  । କୋଟରୀ ଶାସନ ପାଇଁ ଅନେକ ପ୍ରତିଭାଶାଳୀ ଛାତ୍ରମାନଙ୍କୁ ନଜର ଅନ୍ଦାଜ କରାଯାଇଥିଲା  । କିନ୍ତୁ ଏବେ ବିଜେଡ଼ିରେ ସବୁ କିଛି ଠିକ୍‌ ଚାଲିନାହିଁ  । ଆଗଭଳି ନବୀନବାବୁଙ୍କ ଶୃଙ୍ଖଳାର ଛାଟର ଦମ୍‌ ବି ନାହିଁ  ।  ଏଭଳି ଏକ ସନ୍ଦିକ୍ଷଣରେ ବିଜୁ ପରିବାରର ଆଗଧାଡ଼ିର ଛାତ୍ରନେତା ଏକାଠି ହେବା ଘଟଣା ନବୀନ ନିବାସରୁ ନେଇ ଶଙ୍ଖ ଭବନ ଯାଏଁ ଚର୍ଚ୍ଚାର ବିଷୟ ପାଲଟିଛି  ।

ଏହି ବନ୍ଧୁମିଳନର ଅନ୍ୟ ଏକ ବିଶେଷତ୍ୱ ହେଉଛି, ସବୁବେଳେ ଏକାଠି ହୋଇ ରହିବାର ସଂକଳ୍ପ  । ଆଜି କିଏ ପଦ ପାଇଛି ଆଉ କିଏ ପଦ ପାଇନାହିଁ  । କିନ୍ତୁ ପୁରୁଣା ନେତାମାନେ ସମସ୍ତେ ସମସ୍ତଙ୍କ ପାଇଁ ଠିଆ ହେବାର ସଂକଳ୍ପ ନେଇଛନ୍ତି  । ମୟୂରଭଞ୍ଜରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଓ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ ବି ସାମିଲ୍‌ ହୋଇଥିଲେ  । ସେହିପରି ଆୟୋଜକ ରାଜାଙ୍କୁ ବି ନେଇ ଚର୍ଚ୍ଚା ହେବା ସ୍ୱାଭାବିକ  । ରାଜା ହେଉଛନ୍ତି ଦିଲ୍ଲୀପ ରାୟଙ୍କ ଡାହାଣ ହାତ  । ବିଜେଡ଼ି ଗଢ଼ିବାରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କର କ’ଣ ଭୂମିକା ରହିଛି ତାହା ସାରା ରାଜ୍ୟ ଜାଣିଛି  । ବିଜେଡ଼ିରେ ପାଣ୍ଡିଆନ୍‌ ଓ ବବି ରାଜକୁ ନେଇ ଦଳରେ ତୁମ୍ବିତୋଫାନ୍‌ ହେଉଥିବାବେଳେ ଅଶୀ ଦଶକର ଛାତ୍ରନେତାମାନେ ନୂଆ ସମୀକରଣ କଲେ ଆଶ୍ଚର୍ଯ୍ୟ ହେବାର ନାହିଁ  ।

ସୂଚନାଯୋଗ୍ୟଯେ, ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କେନ୍ଦୁଝର ବିଜେଡ଼ି ସଭାପତି ଆଶିଷ ଚକ୍ରବର୍ତ୍ତୀ, କରଞ୍ଜିଆ ବ୍ଳକ ଅଧ୍ୟକ୍ଷ କିନା ପରିଜା, କଳାହାଣ୍ଡି ବିଜେଡ଼ି ଉପସଭାପତି ପ୍ରଦୀପ ମୁଣ୍ଡା, ଗଞ୍ଜାମ ସମବାୟ ସଂଘ ସଭାପତି ତଥା ବରିଷ୍ଠ ବିଜେଡ଼ି ନେତା କୈଳାସ ରଣା, ବରିଷ୍ଠ ବିଜେଡ଼ି ନେତା ଅନୀଲ ସାଜୁ ଓ ଯୋଗେନ୍ଦ୍ର ସ୍ୱାଇଁ, ଧର୍ମେଶ ପ୍ରଧାନ, ଜୟନ୍ତ ବିଶ୍ୱାଳ, କେଦାର ପୃଷ୍ଟିଙ୍କ ସମେତ ବାରିପଦା, ମୋରଡ଼ା, କରଞ୍ଜିଆ, ବଡ଼ସାହିର ବହୁ ନେତା ଉପସ୍ଥିତ ଥିଲେ  ।