ପଞ୍ଚାୟତ ଉପରେ ବିଜେପି ଆଖି

Odisha BJP

ପଞ୍ଚାୟତ ଉପରେ ବିଜେପି ଆଖି

ଭୁବନେଶ୍ୱର : ପଞ୍ଚାୟତ ଉପରେ ଏବେ ଆଖି ପକାଇଛି ଭାରତୀୟ ଜନତା ପାର୍ଟି  । ଯେମିତି ହେଲେ ପଞ୍ଚାୟତକୁ କବଜା କରିବାକୁ ପଡ଼ିବ  । ଦଳର ଶକ୍ତି ଓ ସଂଗଠନ ବଢ଼ାଇବାକୁ ପଡ଼ିବ  । ଏନେଇ ବିଜେପି ରଣନୀତି କରିଛି  । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା  । ଚଳିତ ମାସରୁ ବିଜେପି ସାଂଗଠନିକ ଶକ୍ତି ବୃଦ୍ଧି କରିବାକୁ ବ୍ୟାପକ କାର୍ଯ୍ୟକ୍ରମମାନ ଗ୍ରହଣ କରିଛି  । ଅଗଷ୍ଟ ବିପ୍ଳବରୁ ସାଂଗଠନିକ ବିପ୍ଳବ ଆରମ୍ଭ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି  । ଗୋଟିଏ ପଟେ କେନ୍ଦ୍ର ସରକାର ବି ଓଡ଼ିଶା ଉପରେ ଫୋକସ କରିଛନ୍ତି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଭେଟି ଗୁରୁ ମନ୍ତ୍ରୀ ଦେଇଛନ୍ତି  । ସେପଟେ ଆରଏଏସର ମୁଖ୍ୟ ମୋହନ ଭାଗବତ ମଧ୍ୟ ଓଡ଼ିଶା ଗସ୍ତରେ ଆସି ସଂଘର ସ୍ୱୟଂସେବକମାନଙ୍କୁ ଟିପ୍ସ ଦେଇଛନ୍ତି  । ଶାସକ ବିଜୁ ଜନତା ଦଳ ଏବେ ଦୋଛକିରେ ରହିଛି  । ନବୀନଙ୍କ ପରେ ସଂଗଠନ ରହିବ କି ନାହିଁ ସେନେଇ ବିଜେଡ଼ି କର୍ମୀଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି  । ତେଣୁ ଅନେକ ତୃଣମୂଳସ୍ତରର ନେତା ଏବେଠାରୁ ବିଜେପି ସହ ଯୋଗସୂତ୍ର ଆରମ୍ଭ କରିଦେଇଛନ୍ତି  । ପଞ୍ଚାୟତସ୍ତରରେ ବିଜେଡ଼ି ନେତାଙ୍କ ମନରେ କୋକୁଆ ଭୟ ସୃଷ୍ଟିହୋଇଛି  । ବ୍ଳକରେ ବିଲ୍‌ ବନ୍ଦ ହେବା ପରେ ବିଜେଡ଼ି ଠିକାଦାରମାନେ ବି ଅକଳରେ ପଡ଼ିଯାଇଛନ୍ତି  । ଆଗାମୀ ଦିନରେ ମୋହନ ସରକାର ଆହୁରି କଠୋର ହେବାକୁ ଯାଉଛି  । ଅନେକ ବିଜେଡ଼ି ଠିକାଦାରଙ୍କ ଉପରେ ବିଜେପି ସରକାର ଚଢ଼ାଉ କରିବାର ବି ସମ୍ଭାବନା ରହିଛି  । ବେଳ ଥାଉଥାଉ ବନ୍ଧ ବାନ୍ଧିବା ନ୍ୟାୟରେ ବିଜେଡ଼ି ନେତାମାନେ ରୁଦ୍ଧଦ୍ୱାର ବୈଠକ ଆରମ୍ଭ କରିଦେଇଛନ୍ତି  । ଏହି ମଉକାରେ ଫାଇଦା ନେବାକୁ ବିଜେପି ବି ଆକ୍ରମଣାତ୍ମକ ରଣନୀତି କରିଛି  । ହଠାତ୍‌ ବିଜେଡ଼ି ନେତାମାନଙ୍କୁ ନିଜ ଶିବିରକୁ ଦଳ ନେବନାହିଁ  । ଯେଉଁ ଯେଉଁ ନେତାମାନଙ୍କର ଭାବମୂର୍ତ୍ତି ଭଲ ରହିଛି, ହାତରେ ଭଲ ଭୋଟ୍‌ ରହିଛି ସେହି ନେତାମାନଙ୍କୁ ବାଛିବାଛି ଦଳ ନେବ  । ବିଜେଡ଼ି ବିଧାୟକମାନେ ମଧ୍ୟ ବିଜେପି ଯୋଗସୂତ୍ରରେ ରହିଥିବା ନେଇ କେତେକ ବିଜେପି ନେତା ଦାବି ମଧ୍ୟ କରିଛନ୍ତି  । ଆଗାମୀ ଦିନରେ ନିଜର ଭବିଷ୍ୟତ ପାଇଁ ସେମାନେ ଅଙ୍କକଷିବା ଆରମ୍ଭ କରିଛନ୍ତି  । ଗତ ନିର୍ବାଚନରେ ଟିକେଟ ପାଇନଥିବା ନେତାମାନେ ଆଉ ବିଜେଡ଼ି ସଂଗଠନ ଉପରେ ଧ୍ୟାନ ଦେଉନାହାନ୍ତି  । ଦଶହରା ପରେ ବିଜେପି ବଡ଼ ଧରଣର ମିଶ୍ରଣ ପର୍ବ ଆରମ୍ଭ କରିବାକୁ ଯାଉଛି  । ଏବେ ପ୍ରଶାସନ ଉପରେ ଧ୍ୟାନ ଦିଆଯାଉଥିବାରୁ ସଂଗଠନ କାମ ମନ୍ଥର ରହିଛି  । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ବି ଓଡ଼ିଶାରେ ବଡ଼ ସମାବେଶ କରିବାର ସମ୍ଭାବନା ଅଛି  । ବିଜେଡ଼ି ଏବେ ଇଣ୍ଡି ମେଣ୍ଟକୁ ଢଳୁଥିବାରୁ ବିଜେଡ଼ିକୁ ଦୁର୍ବଳ କରିବା ପାଇଁ ଦିଲ୍ଲୀରେ ବି ଅଙ୍କକଷା ଚାଲିଛି  । ଯାହାକୁ ନେଇ ଏବେ ବିଜେଡ଼ି ଶିବିରରେ ଭାଳେଣି ପଡ଼ିଯାଇଛି  ।