ଭାଇ ସେବାରେ ଭଉଣୀ: ମିଳୁନି ସହାୟତା, ଦୁର୍ଦ୍ଦିନରେ ବିତୁଛି ଜୀବନ


ନୂଆପଡାରୁ ପରମେଶ୍ୱର ବାରିକ :  ଭାରତୀୟ ସଂସ୍କୃତିରେ ଭାଇ ଭଉଣୀ ସଂପର୍କ ଅତି ପବିତ୍ର । ଭଉଣୀ କେବେ ଭାଇ ହାତରେ ରାକ୍ଷୀ ବାନ୍ଧି ଦିଏ ତ କେବେ ଜିଉଁତିଆ ପିନ୍ଧାଇ ଦିଏ । ଭାଇର ସୁସ୍ଥ ନିରାମୟ ଜୀବନର କାମନା କରେ । ଭାଇ ମଧ୍ୟ ଭଉଣୀ ସୁରକ୍ଷାର ଦାୟିତ୍ୱ ବହନ କରିଥାଏ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚନାବେଡା ଗ୍ରାମ । ଗ୍ରାମର ଟିକେରାମ ବେହେରା ଓ ପଦ୍ମାବତୀ ବେହେରା ଭାଇ ଭଉଣୀ । ସ୍ୱର୍ଗତ ବିଶ୍ୱନାଥ ବେହେରା ତାଙ୍କ ବାପା ଟିକେରାମ ବୟସରେ ବଡ ତାଙ୍କ ବୟସ ସତୁରି ବର୍ଷ । ଦୀର୍ଘ ତିରିଶ ବର୍ଷ ହେଲା ଭାଇ ଭଉଣୀ ଗୋଟିଏ ଘରେ ରହୁଛନ୍ତି । ତାଙ୍କ ଦୁଇ ଜଣଙ୍କ ଛଡ଼ା ଆଉ କେହି ନାହାନ୍ତି । ବିଶ୍ୱନାଥ ତିନିଥର ବାହା ହୋଇଥିଲେ, ହେଲେ ପ୍ରତିଥର ପନôୀ ମାନେ ଛାଡି ଚାଲି ଯାଇଥିଲେ । ସେହିପରି ପଦ୍ମାବତୀ ସୁସ୍ଥ ରହୁ ନଥିବାରୁ ବାହାଘରର ପାଞ୍ଚ ବର୍ଷ ପରେ ସ୍ୱାମୀ ଛାଡି ଦେଲେ । ସେହିଦିନରୁ ଦୁଇ ଭାଇ ଭଉଣୀ ଏକାଠି ରହୁଛନ୍ତି । ଦୁହେଁ ଦୁହିଙ୍କର ଦୁଃଖ ସୁଖର ସାଥି । ଅଭାବ ଅସୁବିଧାରେ ଭାଙ୍ଗି ନ ପଡ଼ି ଏତେ ବର୍ଷ ବିତି ଗଲା । ଏବେ କିନ୍ତୁ ଦୁହେଁ ଅସହାୟ ହୋଇ ପଡିଛନ୍ତି । ଟିକେରାମ ଆଉ ଉଠି ବସି ପାରୁ ନାହାନ୍ତି । ପଦ୍ମା ତାଙ୍କର ସବୁ ସେବା କରୁଛନ୍ତି । ଖୁଆଇବା ସହ ସ୍ନାନ ଶୌଚ ସବୁ କରାଉଛନ୍ତି । କିଛି ମାସ ତଳେ ପଦ୍ମାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିଲା । ସେଥିପାଇଁ ସେ ପୂର୍ବପରି କାମ କରି ପାରୁ ନାହାନ୍ତି । ତାଙ୍କୁ ଏବେ ୫୮ ବର୍ଷ ବୟସ କିନ୍ତୁ ଦର ବୃଦ୍ଧା ପ୍ରାୟ ଦିଶିଲେଣି । ଭାଇ ପାଇଁ ବାଧ୍ୟ ହୋଇ ସବୁ କାମ କରୁଛନ୍ତି । ଦୁଇ ଭାଇ ଭଉଣୀଙ୍କ ଆୟ କହିଲେ ମାସିକ ଭତ୍ତା ଓ ଦଶ କିଲୋଗ୍ରାମ ଚାଉଳ । ଅଙ୍ଗୁଳି ଚିହ୍ନ ଦେଇ ପାରି ନଥିବାରୁ କିଛି ମାସ ହେଲା ଟିକେରାମଙ୍କୁ ଚାଉଳ ମିଳି ନ ଥିବା ଅଭିଯୋଗ ହେଉଛି । ଅନେକ ସମୟରେ ପରଘରୁ ମାଗି ଖାଇବାକୁ ପଡେ । ଘରର ଅବସ୍ଥା କହିଲେ ନସରେ । ଭଙ୍ଗା ଦଦରା ମାଟି ଘରେ ବର୍ଷ ବର୍ଷ ଧରି ରହିଥିଲେ ମଧ୍ୟ ସରକାରଙ୍କ ଆବାସ ଯୋଜନାରେ ସେମାନେ ସାମିଲ ହୋଇ ପାରି ନାହାନ୍ତି । ସେମାନଙ୍କ ପୁଅ ଝିଅ ନଥିବା ବେଳେ ଏଡେ ବଡ ଦୁନିଆରେ ଆହା କହିବାକୁ, ସାହା ହେବାକୁ କେହି ନାହିଁ । ସେମାନଙ୍କୁ ଅନ୍ତୋଦୟ କାର୍ଡ ସହିତ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି ହେଉଛି । ଏନେଇ ଖଡ଼ିଆଳ ବିଡ଼ିଓଙ୍କୁ ପଚାରିବାରୁ ନିୟମ ମୁତାବକ ସହଯୋଗ କରାଯିବ ବୋଲି କହିଛନ୍ତି ।