ଖଲିକୋଟ : ବିଜେପି ମୁହାଁ ରାଣୀ ଗୋଷ୍ଠୀ
Odisha Politics

ଭୁବନେଶ୍ୱର : ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ପରେ ଖଲିକୋଟ ରାଜନୀତି ନୂଆ ମୋଡ଼ନେଇଛି । ରାଣୀଙ୍କ ସମର୍ଥକମାନେ ଏବେ ବିଜେପି ମୁହାଁ ହୋଇଥିବା ଦେଖିବାକୁ ମିଳୁଛି । ଯାହାକି ବିଜେଡ଼ି ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କ ଅଡୁଆ ବଢ଼ାଇଦେଇଛି ।
୨୦୦୯ ସୀମା ପୁନଃ ନିର୍ଦ୍ଧାରଣ ଅନୁଯାୟୀ, ଖଲିକୋଟ ବ୍ଳକ, ପୁରୁଷୋତ୍ତମପୁର ବ୍ଳକର ୧୫ ଗ୍ରାମ ପଞ୍ଚାୟତ, ଖଲିକୋଟ ଏନଏସି ଓ ପୁରୁଷୋତ୍ତମପୁର ଏନଏସିକୁ ନେଇ ଖଲିକୋଟ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି । ଏକଦା ଏହା ଥିଲା ରାଣୀ ଭି. ସୁଜ୍ଞାନୀ କୁମାର ଦେଓଙ୍କ ଗଡ଼ । ତେବେ ୨୦୦୯ରେ ଏହି ଆସନଟି ସଂରକ୍ଷିତ ହୋଇଯାଇଥିଲା । ଏଠାରୁ ରାଣୀ ଲଢ଼ିନପାରିଲେ ବି ତାଙ୍କ ପରାମର୍ଶରେ ହିଁ ବିଜେଡ଼ି ଟିକେଟ ଦେଇ ଆସୁଥିଲା । ୨୦୦୯ ଓ ୨୦୧୪ରେ ରାଣୀଙ୍କ ଅନୁଗତ ପୂର୍ଣ୍ଣଚନ୍ଦ୍ର ସେଠୀ ଟିକେଟ ପାଇ ବାଜିମାତ କରିଥିବାବେଳେ ୨୦୧୯ରେ ସୂର୍ଯ୍ୟମଣି ବୈଦ୍ୟ ବିଧାୟିକା ହୋଇଥିଲେ । ତେବେ ସୂର୍ଯ୍ୟମଣି ନିଜେ ବିଧାୟିକା ଥିବାବେଳେ ତାଙ୍କ ସ୍ୱାମୀ ଦୈତାରୀ ବେହେରା ଖଲିକୋଟ ବ୍ଳକ ଅଧ୍ୟକ୍ଷ ରହିଥିଲେ । ଯାହାକୁ ନେଇ ଦୀର୍ଘଦିନ ଧରି ରାଣୀଙ୍କ ଅନୁଗତମାନଙ୍କ ସହ ବିବାଦ ମଧ୍ୟ ଉପୁଜିଥିଲା । ସୂର୍ଯ୍ୟମଣିଙ୍କ ଟିକେଟ କାଟିବାକୁ ସେମାନେ ଦାବି କରିଆସୁଥିଲେ ମଧ୍ୟ ଏଥର ଦଳ ତାଙ୍କୁ ରିପିଟ୍ କରିଛି । ସେପଟେ ପୂର୍ଣ୍ଣଚନ୍ଦ୍ର ସେଠୀ ଏକଦା ରାଣୀଙ୍କ ଖାସ ଅନୁଗତ ଥିବାବେଳେ ସେ ବିଜେପିରେ ଯୋଗଦେଇ ଟିକେଟ ପାଇଛନ୍ତି । ଫଳରେ ରାଣୀଙ୍କ ପୁରୁଣା ସମର୍ଥକମାନେ ଏବେ ପୂର୍ଣ୍ଣଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଅନ୍ୟତମ ବିଜେଡ଼ି ଆଶାୟୀ ତଥା ଖଲିକୋଟ ଏନଏସି ଅଧ୍ୟକ୍ଷ ନିରଞ୍ଜନ ବେହେରାଙ୍କ ରଣନୀତି ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ସୂର୍ଯ୍ୟମଣିଙ୍କ ବିରୋଧରେ ଏବେ ବଡ଼ ଗୋଷ୍ଠୀ ମୁଣ୍ଡ ଟେକିଥିବାରୁ ସେ ଅକଳରେ ପଡ଼ିଯାଇଛନ୍ତି ।
ବିଜେଡ଼ି ଓ ବିଜେପି ମଧ୍ୟରେ ପୁଣିଥରେ ଜୋରଦାର ଲଢେ଼ଇ ହେବା ନିଶ୍ଚିତ ହୋଇଯାଇଛି । ତେବେ କଂଗ୍ରେସ ଏଥର ନୂଆ ରଣନୀତି ଆପଣାଇଛି । ଉଭୟ ସୂର୍ଯ୍ୟମଣି ଓ ପୂର୍ଣ୍ଣଚନ୍ଦ୍ର ଖଲିକୋଟ ବ୍ଳକର ହୋଇଥିବାବେଳେ କଂଗ୍ରେସ ପୁରୁଷୋତ୍ତମପୁର ବ୍ଳକର ଚିତ୍ରସେନ ବେହେରାଙ୍କୁ ମଇଦାନକୁ ଛାଡ଼ିଛି । ଏସବୁ ଅଙ୍କ ଭିତରେ ୨୦୧୯ରେ ୪୨ ହଜାରରୁ ଉଦ୍ଧ୍ୱର୍ ଭୋଟରେ ଜିତିଥିବା ସୂର୍ଯ୍ୟମଣିଙ୍କୁ କିଭଳି ପୂର୍ଣ୍ଣଚନ୍ଦ୍ର ମୁକାବିଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।