ବିଧାୟକ କହିଲେ - ଆମ ଦରମା ଓ ପେନସନ ବଢ଼ାନ୍ତୁ
Odisha Vidhansabha

ଭୁବନେଶ୍ୱର : ପୂର୍ବତନ ବିଧାୟକମାନେ ଦୁଃସ୍ଥିତିରେ ଅଛନ୍ତି । ଔଷଧ ଖାଇବାକୁ ବି ଟଙ୍କା ନାହିଁ । ଆଜିକାଲି ଦରଦାମ୍ ବି ବଢ଼ିଗଲାଣି । ନିର୍ବାଚନମଣ୍ଡଳୀ ଗସ୍ତ ଖର୍ଚ୍ଚ ବି ବଢ଼ିଯାଇଛି । ଯେତିକି ଦରମା, ଭତ୍ତା କି ପେନସନ ମିଳୁଛି ତାହା ଯଥେଷ୍ଟ ନୁହେଁ । ଅନ୍ୟ ରାଜ୍ୟଠାରୁ ବି ଓଡ଼ିଶାର ବିଧାୟକ ଓ ପୂର୍ବତନ ବିଧାୟକ କମ୍ ପାଉଛନ୍ତି । ଏନେଇ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ସବୁ ଦଳର ବିଧାୟକମାନେ ଏକ ସ୍ୱରରେ ଦାବି କରିଥିଲେ । ଅପରପକ୍ଷରେ ଗୃହର ଉଦବେଗକୁ ଲକ୍ଷ୍ୟ କରି ବାଚସ୍ପତି ସୁରମା ପାଢ଼ୀ ସରକାରଙ୍କୁ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶୂନ୍ୟକାଳରେ ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେଯେ, ଦରମା ଓ ପେନସନ ବୃଦ୍ଧି ପାଇଁ ୨୦୨୨ରେ ଏକ କମିଟି ଗଠନ କରାଯାଇଥିଲା । ସେହି କମିଟି ବିଧାୟକମାନଙ୍କ ପେନସନ, ଦରମା ଓ ଭତ୍ତା ବୃଦ୍ଧି ପାଇଁ ସୁପାରିଶ୍ କରିଛନ୍ତି । ମେଡ଼ିକାଲ ଭତ୍ତା ଏବେ ମାତ୍ର ୨ ହଜାର ଟଙ୍କା ମିଳୁଛି । ସେହିପରି ଫ୍ୟାମିଲି ପେନସନ ବି ବଢ଼ିବା ଦରକାର ବୋଲି ସେ କହିଥିଲେ ।
ବିଧାୟକ ସନାତନ ବିଜୁଳି ମଧ୍ୟ ଖର୍ଚ୍ଚ ବଢ଼ିଥିବାରୁ ପୂର୍ବତନ ବିଧାୟକଙ୍କ ପେନସନ ବଢ଼ାଇବାକୁ ଦାବି କରିଥିଲେ । ବିଧାୟକ ଭାସ୍କର ମଢେ଼ଇ ମଧ୍ୟ ପୂର୍ବତନ ବିଧାୟକଙ୍କ ଦୟନୀୟ ସ୍ଥିତି ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ।
ବିଧାୟକ ଅଶ୍ୱିନୀ ପାତ୍ର କହିଥିଲେଯେ, ପ୍ରଚଳିତ ବଜାର ମୂଲ୍ୟକୁ ଦେଖି ଦରମା, ଭତ୍ତା ବଢ଼ାଇବା ଦରକାର । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଏହା କମ୍ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଫାଇଲ୍ ରହିଛି ବୋଲି ସେ କହିଥିଲେ ।
ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଥିଲେଯେ, ନେତା ଜାଣେ ସେ କେତେ କଷ୍ଟ ପାଏ । ଜଣେ ନେତାଙ୍କର ଚାରି ପାଞ୍ଚଟା ରୋଗ ନିଶ୍ଚିତ । ୨ ହଜାର ଟଙ୍କାର ମେଡ଼ିକାଲ ଭତ୍ତା ଏଥିପାଇଁ ଯଥେଷ୍ଟ ନୁହେଁ । ଏବେ ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ମାସକୁ ୨ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ କମିଟି ରିପୋର୍ଟ ଆଧାରରେ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଅନରୂପ ପ୍ରସଙ୍ଗ ଉଠାଇ ଗୃହରେ ଉଦ୍ବେଗ ପ୍ରକାଶ କରିଥିଲେ । ଗୃହର ଉଦବେଗକୁ ଲକ୍ଷ୍ୟ କରିବା ପରେ ବାଚସ୍ପତି ସୁରମା ପାଢ଼ୀ ଏନେଇ ସରକାର ଦୃଷ୍ଟିଦେବାକୁ ନିର୍ଦ୍ଦେଶ ଦେଇଥିଲେ ।