ଏଥର ନୂଆ ନେତା ବାଛିବ ବ୍ରହ୍ମଗିରିି

ଏଥର ନୂଆ ନେତା ବାଛିବ ବ୍ରହ୍ମଗିରିି


ଭୁବନେଶ୍ୱରରୁ ଶ୍ରୀକାନ୍ତ କୁମାର ରାଉତ : ଏକଦା ବ୍ରହ୍ମଗିରି ଥିଲା ଲୁଲୁ ମହାପାତ୍ରଙ୍କ ଗଡ଼ । କିନ୍ତୁ ପରେ ଲୁଲୁଙ୍କ ହାତରୁ ବ୍ରହ୍ମଗିରିକୁ ଛଡ଼ାଇ ଆଣିଥିଲେ ସଞ୍ଜୟ କୁମାର ଦାସବର୍ମା । ଏବେ ସ୍ଥିତି ପୂରା ବଦଳିଯାଇଛି । ୨୦୧୯ରେ ହାରିବା ପରେ ସଂଜୟ ବ୍ରହ୍ମଗିରିର ମୋହ ତୁଟାଇ ସତ୍ୟବାଦୀରେ ଆଶ୍ରୟ ନେଇଛନ୍ତି । ସେପଟେ ଲୁଲୁଙ୍କ ଝିଅ ପ୍ରଥମ ଥର ପାଇଁ ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡ଼ି ଓ ବିଜେପିର କଡ଼ା ଟକ୍କର ଭିତରେ ସ୍ଥିତି ଜାହିର କରିବାକୁ କଂଗ୍ରେସ ବି ନୂଆ ପ୍ରାର୍ଥୀ ଦେଇଛି । ଗାଏମୋଟ ଦେଖିଲେ ବ୍ରହ୍ମଗିରିବାସୀ ନୂଆ ନେତା ବାଛିବାକୁ ଯାଉଛନ୍ତି ।
ବ୍ରହ୍ମଗିରିର ୨୫ ବ୍ଲକ, କୃଷ୍ଣପ୍ରସାଦ ବ୍ଲକର ୨୧ ବ୍ଲକ ଓ ପୁରୀ ସଦର ବ୍ଲକର ୧୧ ପଞ୍ଚାୟତକୁ ନେଇ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି । ଲୁଲୁଙ୍କୁ ଦୁଇ ଦୁଇଥର ହରାଇ ରାଜ୍ୟ ରାଜନୀତିର ବଡ଼ ଚେହେରା ଭାବେ ଉଭା ହୋଇଥିଲେ ସଞ୍ଜୟ । ବିଜେଡ଼ିରେ ବି ତାଙ୍କର ଢ଼େର ପତିଆରା ରହିଥିଲା । ତେବେ ୨୦୧୯ରେ ଲୁଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ତାଙ୍କୁ ହରାଇ ଝଟକା ଦେଇଥିଲେ । ଲୁଲୁଙ୍କ ସଂଗଠନ ଓ ବିଜେପିର କ୍ରେଜ ପାଇଁ ସଂଜୟଙ୍କୁ ପୁଣିଥରେ ବ୍ରହ୍ମଗିରିରୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ସେହଦିନ ଠାରୁ ବ୍ରହ୍ମଗିରି ବଦଳରେ ସତ୍ୟବାଦୀ ପାଇଁ ଗୋଟି ଚଳାଇବା ଆରମ୍ଭ କରିଥିଲେ । ଯେଉଁଥିପାଇଁ ସଞ୍ଜୟ ଓ ଉମା ସାମନ୍ତରାୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଶେଷରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିବାରୁ ଏବେ ଉମା ବ୍ରହ୍ମଗିରି ମଇଦାନକୁ ଡେଇଁବା ପାଇଁ ବାଧ୍ୟ ହୋଇଛନ୍ତି । ସତ୍ୟବାଦୀରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ଉମା ଏବେ ବ୍ରହ୍ମଗିରି ପାଇଁ ନୂଆ ମୁହଁ ।
୨୦୧୯ରେ ଲୁଲୁଙ୍କ ଝିଅ ଉପାସନାଙ୍କର ନିର୍ବାଚନ ଲଢ଼ିବା ବୟସ ହୋଇନଥିଲା । ତେଣୁ ସେଠାରୁ ଦାଦା ଲଳିତେନ୍ଦୁ ପ୍ରାର୍ଥୀ ହୋଇ ବାଜିମାତ କରିଥିଲେ । କିନ୍ତୁ ଚବିଶ ପାଇଁ ସେ ଦୀର୍ଘଦିନ ଧରି ଗୋଟିଚାଳନା କରିବା ସହ ଦାଦାଙ୍କୁ ବ୍ରହ୍ମଗିରି ରାଜନୀତିରୁ ଦୂରେଇ ରଖିଥିଲେ । ପ୍ରଥମେ ବିଜେଡ଼ିରୁ ଲଢ଼ିବା ପାଇଁ ଉପାସନା ଯୋଜନା କରିଥିଲେବି ସଞ୍ଜୟଙ୍କ ପାଇଁ ସେ ଶଙ୍ଖ ଫୁଙ୍କି ପାରିନଥିଲେ । ଫଳରେ ବାଧ୍ୟହୋଇ ସେ ବିଜେପିରୁ ଲଢ଼ିବାକୁ ଯାଉଛନ୍ତି । ବାପାଙ୍କ ଅମଳରୁ ସେ ବ୍ରହ୍ମଗିରି ରାଜନୀତି ସହ ଜଡ଼ିତ ଥିଲେବି ନିର୍ବାଚନୀ ମଇଦାନରେ ନବାଗତ ଭାବେ ଉଭା ହୋଇଛନ୍ତି । ଲୁଲୁଙ୍କ ପରେ ବ୍ରହ୍ମଗିରିରେ କଂଗ୍ରେସ ସଂଗଠନ ଦୋହଲିଯାଇଛି । ଲୁଲୁଙ୍କ ଝିଅ ସହ ପୁରୁଣା କଂଗ୍ରେସ କର୍ମୀମାନେ ପଦ୍ମ ପୋଖରୀରେ ବୁଡ଼ ପକାଇଛନ୍ତି । ଏଭଳି ସ୍ଥିତିରେ ପୂର୍ବ ଗୌରବ ଫେରାଇ ଆଣିବା ପାଇଁ କଂଗ୍ରେସ ନୂଆ ଚେହେରା ମିତ୍ରଭାନୁ ମହାପାତ୍ରଙ୍କ ଉପରେ ଭରସା ରଖିଛି ।