ନିର୍ଣ୍ଣାୟକ ହେବ ଜନଜାତିଙ୍କ ଭୋଟ
ଭୁବନେଶ୍ୱରରୁ ବିଜୟ କୁମାର ଖୁଣ୍ଟିଆ : ଦିନକୁ ଦିନ ଓଡିଶାରେ ବଢି ଚାଲିଛି ନିର୍ବାଚନୀ ଉଷ୍ମତା । ସରଗରମ ହୋଇ ଉଠିଛି ରାଜନୀତିକ ମାହୋଲ । ରାଜ୍ୟରେ ତିନୋଟି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା । ନିର୍ବାଚନ ଲଢେଇରେ ବିଜେଡି ଓ ବିଜେପି ଆଗରେ ଥିବା ବେଳେ ପଛରେ ପଡିଯାଇଛି କଂଗ୍ରେସ । ଏଠାରେ ଦୀର୍ଘ ୨୪ ବର୍ଷ ହେଲା ଶାସନ କରି ଆସୁଥିବା ବିଜେଡିକୁ ଗାଦିଚୁ୍ୟତ କରି ସରକାର ଗଢିବାକୁ ଅଣ୍ଟା ଭିଡିଛି ବିଜେପି । ଏଥର ଦୁଇ ଦଳ ମଧ୍ୟରେ ହେବ କଡା ଟକ୍କର । ତେବେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେଡି ଓ ବିଜେପି ସେମାନଙ୍କର ରଣନୀତିରେ ଆଗକୁ ବଢୁଥିବା ବେଳେ ସରକାର ଗଠନରେ ଆଦିବାସୀ ବା ଜନଜାତିଙ୍କ ଭୋଟ ନିର୍ଣ୍ଣାୟକ ଭୂମିକା ନେବ । ସେଥିପାଇଁ ଆଦିବାସୀଙ୍କୁ ମନାଇବା ପାଇଁ ତିନି ପ୍ରମୁଖ ଦଳ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାର ଆଦିମ ଜନଜାତିଙ୍କୁ ଖୁସି କରିବା ପାଇଁ ବିଭିନ୍ନ ଯୋଜନାମାନ ଘୋଷଣା କରିବା ସହ କୌଣସି ପ୍ରକାର ପ୍ରୟାସ ହାତ ଛଡା କରିନାହାନ୍ତି ।
ଯଦି ଆମେ ଦେଖିବା ଓଡିଶାର ସାଢେ ୪ କୋଟି ଜନସଂଖ୍ୟାର ଶତକଡା ୨୩ ଭାଗ ହେଉଛନ୍ତି ଆଦିବାସୀ ସମୁଦାୟ । ୨୦୧୧ ଜନଗଣନା ଅନୁଯାୟୀ ଓଡିଶାର ୪ କୋଟି ୧୯ ଲକ୍ଷ ୭୪ ହଜାର ୨୧୮ଜଣ ଜନସଂଖ୍ୟାର ୯୫ ଲକ୍ଷ ୯୦ ହଜାର ୭୫୬ ଜଣ ହେଉଛନ୍ତି ଆଦିବାସୀ ସମୁଦାୟ । ଓଡିଶାରେ ଦେଶର ତୃତୀୟ ବୃହତ ଆଦିବାସୀ ସମୁଦାୟ ବସବାସ କରୁଛନ୍ତି । ଯେଉଁଥିରେ ରହିଛନ୍ତି ୬୪ ପ୍ରକାର ସମୁଦାୟ । ତାଭିତରେ ବି ରହିଛନ୍ତି ସ୍ୱତନ୍ତ୍ର ବିରଳ ଆଦିମ ଜନଜାତି ସମୂହ ବା ପିଭିଟିଜି ଗ୍ରୁପ । ରାଜ୍ୟର ଶତକଡା ୪୪ ଭାଗ ଅଞ୍ଚଳରେ ଆଦିବାସୀ ସଂପ୍ରଦାୟ ବସବାସ କରୁଥିବା ବେଳେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, ସୁନ୍ଦରଗଡ, କନ୍ଧମାଳ, କେନ୍ଦୁଝର ଓ ରାୟଗଡାରେ ବୃହତ ଆଦିବାସୀ ସମୁଦାୟ ରହିଥିବା ବେଳେ କଳାହାଣ୍ଡି, ଗଜପତି, ଝାରସୁଗୁଡା, ଦେଓଗଡ, ସମ୍ବଲପୁର ଓ ବାଲେଶ୍ୱର ଜିଲ୍ଲାରେ କିଛି କିଛି ଆଦିବାସୀ ରହିଛନ୍ତି । ଓଡିଶାର ୧୪୭ ବିଧାନସଭା ଆସନରୁ ୩୩ଟି ଆସନ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୨୧ଟି ଲୋକସଭା ଆସନରୁ ୫ଟି ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି । ୨୦୧୯ ନିର୍ବାଚନରେ ୩୩ଟି ଆସନରୁ ବିଜେଡି ୨୦, ବିଜେପି ୧୧ ଓ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିଲେ । ସେହିପରି ୫ ଲୋକସଭା ଆସନରୁ ନବରଙ୍ଗପୁର ଓ କେନ୍ଦୁଝରରୁ ବିଜେଡି, ସୁନ୍ଦରଗଡ ଓ ମୟୂରଭଞ୍ଜରୁ ବିଜେପି ଏବଂ କୋରାପୁଟରୁ କଂଗ୍ରେସ ବିଜୟୀ ହୋଇଥିଲା ।
ନିର୍ବାଚନ ତାରିଖ ଘୋଷଣାର କିଛି ମାସ ପୂର୍ବରୁ ବିଜେଡି ସରକାର ଆଦିବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଓ ସୁବିଧା ଘୋଷଣା କରିଛନ୍ତି । ଗତ ଫେବୃଆରି ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କ ଉପରେ ଥିବା ୪୮ ହଜାର ଫୌଜଦାରୀ ମାମଲା ପ୍ରତ୍ୟାହାର ଘୋଷଣା କରିଛନ୍ତି । ଯେଉଁଥିରେ ରହିଛି ମୁଖ୍ୟତଃ ଜଙ୍ଗଲ ଓ ଅବକାରୀ ସମ୍ବନ୍ଧୀୟ ମାମଲା । ଏହାପରେ ସରକାର ଲାଭ ଯୋଜନାରେ ଲଘୁ ବନଜାତ ଦ୍ରବ୍ୟ କ୍ରୟ କରିବା ପାଇଁ ସାଧାରଣ ସହାୟକ ମୂଲ୍ୟ ଶହେ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହାପରେ ଆଦିବାସୀ ଯୁବକଙ୍କୁ ଜୀବିକା ଯୋଗାଇ ଦେବା ପାଇଁ ୫ଶହ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଘୋଷଣା କରିଛନ୍ତି । ଏହାପରେ ଆଦିବାସୀମାନେ ସେମାନଙ୍କ ଜମି ଅଣଆଦିବାସୀଙ୍କୁ ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏହାପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ପ୍ରଥମେ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ ବା ଏସଡିସି ଗଠନ କରିଥିବା ବେଳେ ଏବେ ତାହା ୧୪ଟି ଅଧିକ ଜିଲ୍ଲାକୁ ପରିବ୍ୟାପ୍ତ ହୋଇଛି । ଏହାସହ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୋନସକୁ ଦିଗୁଣା କରିଥିବା ବେଳେ ଆଦିବାସୀଙ୍କ ଝିଅ ବିବାହ ପାଇଁ ସହାୟତା ରାଶି ୨୫ହଜାର ଟଙ୍କା କରିଛନ୍ତି । ଓଡିଶାରେ ସାଢେ ୮ଲକ୍ଷ କେନ୍ଦୁପତ୍ର ତୋଳିଳି ଥିବା ବେଳେ ସେଥିମଧ୍ୟରୁ ବୃହତ ସଂଖ୍ୟା ହେଉଛନ୍ତି ହରିଜନ, ଆଦିବାସୀ ଓ ମହିଳା । ଏଥିସହ କେନ୍ଦୁପତ୍ରରୁ ଜିସିଟି ହଟାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ୨୧ ପ୍ରକାର ଆଦିବାସୀ ଭାଷାର ସଂରକ୍ଷଣ ଓ ପ୍ରଚାର ପାଇଁ ଓଡିଶା ସରକାର ଏକ କମିଶନ ଗଠନ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି । ତେବେ ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏହାସହ କେନ୍ଦ୍ର ବିଜେପି ସରକାର ପ୍ରଥମ କରି ଆଦିବାସୀ ସଂପ୍ରଦାୟରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ଅବସ୍ଥାପିତ କରିଛନ୍ତି । ଗତ ମାସରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ବଡସାହିରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲ ଉଦଘାଟନ କରିବା ସହ ବିଭିନ୍ନ ଯୋଜନାର ଶିଳାନ୍ୟାସ କରିଛନ୍ତି । ଏହାସହ କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ସଂପ୍ରଦାୟଙ୍କୁ ଭେଟିଛନ୍ତି । ତେବେ ଦେଖିବାକୁ ବାକି ରହିଲା କିଏ ହାତଉଛି ଆଦିବାସୀଙ୍କ ଭୋଟ ।