ଓଡ଼ିଶାକୁ ‘ଆଳୁ’ ଅଡୁଆ
POTATO CRISIS IN ODISHA

ବଙ୍ଗ ଆଳୁ ପାଇଁ ଆଲୋଚନା
ମମତାଙ୍କ ସହ କଥା ହେଲେ ମୋହନ
ଆଳୁ ଯୋଗାଣ ସ୍ୱାଭାବିକ ପାଇଁ ମମତାଙ୍କ ପ୍ରତିଶ୍ରୁତି
ଚୋରାଚାଲାଣ ରୋକିବାକୁ ସିସିଟିଭି ଲଗାଇଲେ ବଙ୍ଗ ସରକାର
ଭୁବନେଶ୍ୱର : ଦି ସପ୍ତାହ ପରେ ବି ତୁଟୁନାହିଁ ଆଳୁ ଅଡୁଆ । ଏବେବି ରାଜ୍ୟରେ ଆଳୁର ତିରୋଟ ସ୍ଥିତି ଲାଗି ରହିଛି । ୟୁପିରୁ ଆଳୁ ଆଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଯୋଗାଣ ସ୍ୱାଭାବିକ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ଜାରିରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲୋଚନା କରି ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଲେଯେ, ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ୱାଭାବିକ ହୋଇଥିଲା । ମାତ୍ର କିଛିଦିନ ପରେ ପୁଣି ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଏଥିପ୍ରତି ଧ୍ୟାନ ଦେଇ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁରୋଧ କରିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ସୂଚନାଯୋଗ୍ୟଯେ, ଗତ କିଛି ସପ୍ତାହ ଧରି ସରକାରଙ୍କୁ ଆଳୁ ନାକେଦମ୍ କରିସାରିଲାଣି । ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ପରେ ୟୁପିରୁ ଆଳୁ ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନିଆଯାଇଛି । ନାଫେଡ଼ ଜରିଆରେ ଆଳୁ ଆଣି ୩୦ ଟଙ୍କାରେ ଯୋଗାଇଦେବାକୁ ମଧ୍ୟ ଯୋଜନା କରାଯାଇଛି । ହେଲେ ୟୁପି ଆଳୁ ଓଡ଼ିଶା ଲୋକଙ୍କୁ ସେଭଳି ପସନ୍ଦ ଲାଗୁନାହିଁ । ପତଳା ଚୋପା ହୋଇଥିବାରୁ ଏହା ଶୀଘ୍ର ସଢ଼ିଯିବା ସହ ସ୍ୱାଦ ମଧ୍ୟ ଖାସ୍ ନୁହେଁ । ସେହିପରି ୟୁପି ବହୁତ ଦୂର ବାଟ ହୋଇଥିବାରୁ କେଜି ପିଛା ପରିବହନ ଖର୍ଚ୍ଚ ପାଖାପାଖି ୨ରୁ ୩ ଟଙ୍କା ପଡ଼ିଯାଉଛି । ଅର୍ଥାତ୍ ଆଳୁ ସିଜିନ୍ ଥାଉ କି ନଥାଉ ପରିବହନ ଖର୍ଚ୍ଚ ବଢୁଥିବାରୁ ଦାମ୍ ବି ଦୁଇ ତିନି ଟଙ୍କା ବଢ଼ିବା ନିଶ୍ଚିତ । ଆଳୁ ସ୍ୱାଭାବିକ କରିବା ପାଇଁ ପୂର୍ବରୁ ନବୀନ ପଟ୍ଟନାୟକ ଚିଠି ଲେଖିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦିଲ୍ଳୀରେ ମମତାଙ୍କ ସହ ଆଲୋଚନା କରିଥିଲେ । ତଥାପିବି ଆଳୁ ଯୋଗାଣ ସ୍ୱାଭାବିକ ହୋଇପାରିନାହିଁ । ତେବେ ମମତା ପ୍ରତିଶ୍ରୁତି ଦେଇଥିବାରୁ ବଙ୍ଗରୁ ଆଳୁ ଆସିପାରିବ ବୋଲି ଆଶା କରାଯାଉଛି ।
ନିଜ ରାଜ୍ୟର ସ୍ଥିତିକୁ ଅନୁଶୀଳନ କରି ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି । ତେବେ କେତେକ ବ୍ୟବସାୟୀ ଚୋରାରେ ଆଳୁ କାରବାର କରି ଆସୁଥିଲେ । ଏହା ଜାଣିବା ପରେ ବଙ୍ଗ ସରକାର ସୀମାନ୍ତ ଗାଁମାନଙ୍କରେ ସିସିଟିଭି ଲଗାଇ ଦେଇଛନ୍ତି । ଫଳରେ ଚୋରା ଆଳୁ ଚାଲାଣର ବାଟ ବି ବନ୍ଦ ହୋଇଯାଇଛି ।