ରାହୁଲଙ୍କ ଉପସ୍ଥିତିରେ ତେଜସ୍ବୀ ନିଜକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ବିହାରର ଆରାଠାରେ ଶନିବାର କଂଗ୍ରେସର ଭୋଟର ଅଧିକାର ଯାତ୍ରାରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କ ସହ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଯୋଗ ଦେଇଛନ୍ତି। ତେବେ ରାହୁଲ ଓ ଅଖିଳେଶଙ୍କ ଉପସ୍ଥିତିରେ ମଞ୍ଚ ଉପରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ତେଜସ୍ବୀ ନିଜକୁ ବିହାର ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିଆ ବ୍ଲକ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ବିହାର ଭୋଟର ତାଲିକାରେ ହୋଇଥିବା ଏସ୍ଆଇଆର୍ ଦେଶର ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଆକ୍ରମଣ ବୋଲି ଏହି ଅବସରରେ ରାହୁଲ କହିଛନ୍ତି। ଦେଶରେ ଭାଜପା, ଆରଏସ୍ଏସ୍ ଏବଂ ଇସିଙ୍କ ପକ୍ଷରୁ ଭୋଟ ଚୋରି କରାଯାଉଛି। ବିହାରରୁ ଆରମ୍ଭ ହୋଇଥିବା ଭୋଟର ଅଧିକାର ଯାତ୍ରା ଲୋକଙ୍କ ଭୋଟ ଚୋରି ବିରୋଧରେ ଦେଶବ୍ୟାପୀ ଏକ ବ୍ୟାପକ ଆନ୍ଦୋଳନରେ ପରିଣତ ହେବ ବୋଲି ରାହୁଲ କହିଛନ୍ତି। ପ୍ରକାଶ ଯେ, ରାହୁଲ ଇଣ୍ଡିଆ ବ୍ଲକ୍ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କିଛି ଦିନ ତଳେ ତେଜସ୍ବୀ ଏକ ସଭାରେ କହିଥିଲେ।