ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଫିଙ୍ଗିଦେଲେ

ଅନୁଗୋଳ: ଶନିବାର ଅପରାହ୍ନରେ ଖେଳିବାକୁ ଯାଇ ଫେରି ନ ଥିଲେ ଝିଅ। ପରିବାର ଲୋକ ଦିନ ଓ ରାତି ସାରା ଖୋଜାଖୋଜି କରି ନିରାଶ ହୋଇ ପଡ଼ିଥିଲେ। ତେବେ ରବିବାର ସକାଳେ ପୁନର୍ବାର ଖୋଜିବାକୁ ଯାଇ ଭଉଣୀର କ୍ଷତବିକ୍ଷତ ମୃତଦେହ ଗାଁ ନାଳରେ ମୁହଁ ମାଡ଼ି ପଡ଼ିଥିବା ଦେଖିଥିଲେ ମୃତକଙ୍କ ଭାଇ ମୁକ୍ତି ସେଠ। ମୁକ୍ତି ଅଭିଯୋଗ କରିଛନ୍ତି ଯେ, ମୋ’ ଭଉଣୀକୁ କେହି ବଳାତ୍କାର ଓ ପରେ ହତ୍ୟା କରିଛି। ତା’ର ଦେହ ସାରା ତଣ୍ଟି, ହାତ, କାନ ପାଖରେ କଟା ଦାଗ ରହିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ବ୍ଲକ ବାଳୁଅକଟା ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗାଁରେ। ମୃତକ ହେଲେ ଗାଁର ଅକ୍ଷୟ ସେଠଙ୍କ ପଞ୍ଚମ ଶ୍ରେଣୀରେ ପଢୁଥିବା ଝିଅ ଜସ୍ମିନ ସେଠ(୧୧)। ଘଟଣା ସମ୍ପର୍କରେ ଖବର ପାଇ ଅନୁଗୋଳ ସଦର ଥାନା ପୋଲିସ, ବନ୍ତଳା ଅଗ୍ନିଶମ ବଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ତେବେ ଘଟଣାରେ ସଂପୃକ୍ତ ଦୋଷୀକୁ ଧରିବା ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ଅନୁଗୋଳ ବନ୍ତଳା ମୁଖ୍ୟ ରାସ୍ତା ଶାବଳ ଭଙ୍ଗାଠାରେ ଅବରୋଧ କରିବା ସହ ମୃତ ଶରୀର ଘଟଣାସ୍ଥଳରୁ ଉଠାଇବାକୁ ଦେଉ ନ ଥିବା ବେଳେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଆସିବାକୁ ଦାବିରେ ଅଟଳ ଥିଲେ। ଘଟଣାସ୍ଥଳରେ ସଦର ଆଇଆଇସି ମୃଣାଳ କାଲ, ଏସ୍ଡିପିଓ ରମାକାନ୍ତ ମହାଳିକ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ବୁଝାଶୁଝା କରିବା ଜାରି ରହିଛି।