ସୁଜିତଙ୍କ ସ୍ଥାନରେ ‘ସୁଜିତ୍’ :    ଥିଲେ ବିଜେଡ଼ି ସାଂସଦ, ହେବେ ବିଜେପି ସାଂସଦ  

 ଭୁବନେଶ୍ୱର:  ରାଜ୍ୟସଭା ଉପନିର୍ବାଚନ ପାଇଁ ସୁଜିତ୍ କୁମାର ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ରାଜ୍ୟସଭା ସାଂସଦ ପଦରୁ ସୁଜିତ୍ ଇସ୍ତଫା ଦେବା ପରେ ଉପନିର୍ବାଚନ ହେଉଛି । ତେବେ ବିଜେଡ଼ି ଛାଡ଼ିଥିବା ସୁଜିତଙ୍କୁ ବିଜେପି ଟିକେଟ ଦେଇଥିଲା  । ଫଳରେ ସୁଜିତ୍ ଏବେ ନିଜ ସ୍ଥାନରେ ହିଁ ରାଜ୍ୟସଭାକୁ ଯିବେ  । ଫରକ ଏତିକି, ପୂର୍ବରୁ ସେ ବିଜେଡ଼ି ସାଂସଦ ଥିବାବେଳେ ଏବେ ବିଜେପି ସାଂସଦ ହେବେ  ।
ଗତକାଲି ସୁଜିତ କୁମାରଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା  । ବିଧାନସଭା ସଚିବଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ  । ସୂଚନାଯୋଗ୍ୟଯେ, ୨୦୨୪ ସେପ୍ଟେମ୍ବର ୬ରେ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡ଼ିରୁ ମଧ୍ୟ ଇସ୍ତଫା ଦେଇଥିଲେ  । ପୂର୍ବରୁ ମମତା ମହନ୍ତ ବିଜେଡ଼ି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପି ଟିକେଟରେ ରାଜ୍ୟସଭାକୁ ଯିବାରେ ସଫଳ ହୋଇଥିଲେ  । ସୁଜିତଙ୍କ ଇସ୍ତଫା ପରେ ରାଜନୀତିକ ଅଳିନ୍ଦରେ ଅନୁରୂପ ଚର୍ଚ୍ଚା ହେଉଥିଲା  । ଯାହାକି ସତ୍ୟରେ ପରିଣତ ହୋଇଛି  । ସୁଜିତ୍ ରାଜ୍ୟସଭା ପାଇଁ ନିର୍ବାଚିତ ବୋଲି ଘୋଷଣା ହେବା ପରେ ୨୦୨୬ ଅପ୍ରେଲ ୨ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିବ  ।