ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ: ‘ଗୁଣାତ୍ମକ ଶିକ୍ଷା ଦ୍ୱାରା ସୁସ୍ଥ ସମାଜ ଗଠନ ହୋଇଥାଏ’
ଅନୁଗୁଳ: ଅନୁଗୋଳ ସହରର ହାଟଛକ ସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ପବିତ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଯୋଗଦାନ କରି ଆଜିର ସମାଜରେ ଶିଶୁ ମାନଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସୁସ୍ଥ ସମାଜ ଗଠନ କରାଯାଇ ପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।
ସଂସ୍କୃତି ପରମ୍ପରା ପର୍ଯ୍ୟବେଶିତ ଶିକ୍ଷା ପ୍ରଦାନ ଦ୍ୱାରା ଶିଶୁର ଆଚରଣ ଉଚ୍ଚାରଣ ବ୍ୟବହାରିକ ଜ୍ଞାନର ବୃଦ୍ଧି ଘଟିଥାଏ । କିନ୍ତୁ ଆମେ ସଂସ୍କୃତି ପରମ୍ପରାକୁ ଭୁଲି ଯାଇ ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିକୁ ଆପଣାଇ ନେଇଛନ୍ତି । ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳ ଶିଶୁ ମାନଙ୍କ ମଧ୍ୟରେ ପ୍ରାୟ ଆତ୍ମବିଶ୍ୱାସ ଦୁର୍ବଳ ଆଉ ହୀନମନ୍ୟତା ଯୋଗୁଁ ଅନେକ ମେଧାବୀ ଶିଶୁ ଭୟ ଓ ଉଦାସ ଯୋଗୁଁ ଆଗକୁ ବଢ଼ି ପାରନ୍ତି ନାହିଁ । ତେଣୁ ପ୍ରତ୍ୟେକ ପିତା ମାତା ଶିଶୁ ମାନଙ୍କୁ ଆତ୍ମବିଶ୍ୱାସ ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ମତପ୍ରକାଶ କରିଥିଲେ । ସେହିପରିି ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଓଷ୍ଟାର ପୂର୍ବତନ ସଭାପତି ସରୋଜ ପାଣିଗ୍ରାହୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ କଲ୍ୟାଣ କିଶୋର ମହାନ୍ତି ଯୋଗ ଦେଇ ଶିଶୁ ମାନଙ୍କୁ କିଭଳି ଗଢ଼ି ତୋଳିବାକୁ ହେବ ଆଉ ସମାଜରେ ଜଣେ ଭଲ ମଣିଷ ସୃଷ୍ଟି କରି ପାରିବା ସେ ସଂପର୍କରେ ଆଲୋକପାତ କରିଥିଲେ । ଟ୍ରଷ୍ଟ ଚେୟାରମ୍ୟାନ ତଥା ସଭାପତି ସୁଶାନ୍ତ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଥିବାବେଳେ ପ୍ରଧାନ ଆଚାର୍ଯ୍ୟ ପବିତ୍ର ଦେହୁରୀ ବାର୍ଷିକ ବିବରଣୀ ପାଠ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥଲେ । ଏହି ଅବସରରେ ବାର୍ଷିକ କ୍ରୀଡାର ଚାମ୍ପିୟନ, କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥଲେ । ବିଦ୍ୟା ମନ୍ଦିରର ଶିକ୍ଷୟତ୍ରୀ ବନ୍ଦନା ତ୍ରିପାଠୀଙ୍କୁ "ସେବାନିଧି ସମ୍ମାନ’ ପ୍ରଦାନ କରାଯାଇଥିଲା । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିର ସମ୍ପାଦିକା ଜ୍ୟୋସ୍ନାରାଣୀ ପ୍ରଧାନ, ଆଚାର୍ଯ୍ୟ ସିଦ୍ଧାର୍ଥ ଶେଖର ସାହୁ, ଅଚାର୍ଯ୍ୟା ନିରୁପମା ଗଡନାୟକ, ଲିଲି ବେହେରା, କବିତା ସତପଥୀ, ପୂଜାରାଣୀ ପାତ୍ର, ସଂଯୁକ୍ତା ଭୋଇ, ଲିପ୍ସା ରଥ, ସ୍ୱର୍ଣ୍ଣପ୍ରଭା କର, ସ୍ନେହଲତା ରଥ, ଲିପ୍ସା ପ୍ରିୟଦର୍ଶୀନୀ, ଲୋପାମୁଦ୍ରା ସାହୁ, ଆୟା ମଞ୍ଜୁଲତା ଦେହୁରୀ, ବାହନ ଚାଳକ କ୍ରୀଷ୍ଣା ପ୍ରଧାନ, ଦିଲ୍ଲୀପ ମଣ୍ଡଳ, ଚଗୁଲୁ ଗଡନାୟକ ପ୍ରମୁଖ ପରିଚାଳନା କରିଥିଲେ ।