ଏମ୍ଡବ୍ଲୁସିରେ କେନ୍ଦ୍ରମନ୍ତ୍ରୀ : ୫ଜିରେ ଭାରତର ଦ୍ରୁତ ଅଭିବୃଦ୍ଧି

 ନୂଆଦିଲ୍ଲୀ: ସ୍ପେନ୍ର ବାର୍ସିଲୋନାରେ ଅନୁଷ୍ଠିତ ବିଶ୍ୱ ମୋବାଇଲ କଂଗ୍ରେସ (ଏମଡବ୍ଲୁସି) ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଶ୍ୱର ସର୍ବବୃହତ ମୋବାଇଲ ଓ ଟେଲି ଯୋଗାଯୋଗ କ୍ଷେତ୍ରର ସମ୍ମିଳନୀରେ ଉଚ୍ଚସ୍ତରୀୟ ସିଇଓମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଅଧିବେସନରେ ସେ ଯୋଗ ଦେଇ ବିଶ୍ୱ ମୋବାଇଲ କଂଗ୍ରେସରେ ୫ଜି କ୍ଷେତ୍ରରେ ଭାରତର ଦ୍ରୁତ ଅଭିବୃଦ୍ଧି, ବିଶ୍ୱର ସବୁଠାରୁ ଶସ୍ତା ଡାଟା ମୂଲ୍ୟ, ସ୍ୱଦେଶୀ ୪ଜି/୫ଜି ସାଇବର ସୁରକ୍ଷା ପଦକ୍ଷେପ ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ଭାରତର ଟେଲିକମ କ୍ଷେତ୍ରରେ ବିପ୍ଲବ ଓ ଟେକ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ପ୍ରତିବଦ୍ଧତା ନେଇ ଏମ୍ଡବ୍ଲୁସି ୨୦୨୫ରେ ଆଲୋଚନା କରାଯାଇଥିଲା । ‘ଗ୍ଲୋବାଲ ଟେକ ଗଭର୍ଣ୍ଣାନ୍ସ : ରାଇଜିଂ ଟୁ ଦି ଚ୍ୟାଲେଞ୍ଜ’ ଏବଂ ‘ଆଣ୍ଡ ବାଲାନ୍ସିଂ ଇନୋଭେସନ ଆଣ୍ଡ ରେଗୁଲେସନ: ଗ୍ଲୋବାଲ ପରସ୍ପେକଟିଭସ ଅନ୍ ଟେଲିକମ ପଲିସି’ ଉପରେ ଆୟୋଜିତ ସ୍ୱତନ୍ତ୍ର ଅଧିବେସନରେ ବିଭାଗୀୟ ମନ୍ତ୍ରୀ ଉଦବୋଧନ ଦେଇଥିଲେ ।  ଭାରତର ଟେକ ଗଭର୍ଣ୍ଣାନ୍ସ ପାଇଁ ନୂତନ ପ୍ରକ୍ରିୟା, ସମୂହତା, ସ୍ଥାୟିତ୍ୱ ଓ ବିଶ୍ୱାସ ଜରୁରୀ ବୋଲି ମନ୍ତ୍ରୀ କହିଥିଲେ । ଦେଶର ନାଗରିକଙ୍କ ସୁବିଧା ପାଇଁ କାମ କରୁଥିବା ଆଧାର ଓ ଭାରତ ନେଟର ସଫଳତା ଉପରେ ବିଭାଗୀୟ ମନ୍ତ୍ରୀ ଆଲୋକପାତ କରିଥିଲେ । ଏମ୍ଡବ୍ଲୁସିରେ ଭାରତ ସରକାରଙ୍କ ଟେଲି କମୁ୍ୟନିକେସନ ମନ୍ତ୍ରଣାଳୟର ସହଯୋଗ କ୍ରମେ ଏଠାରେ ହୋଇଥିବା ଭାରତ ପାଭିଲିୟନକୁ ମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଏହି ପାଭିଲିୟନରେ ହାର୍ଡୱେୟାର ଓ ସଫ୍ଟୱେୟାର କ୍ଷେତ୍ରରେ ଭାରତର ବଛା ବଛା ୩୮ଟି ଟେଲିକମ ଯନ୍ତ୍ରାଂଶ ପ୍ରସ୍ତୁତକାରୀ କମ୍ପାନୀ ଅଂଶଗ୍ରହଣ କରିଥିଲେ । ଭାରତ ପାଭିଲିୟନ ଗସ୍ତ ଅବସରରେ ଭିଭିଡିଏନ ଦ୍ୱାରା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏଆଇ ପର୍ଯ୍ୟବେସିତ ୱାଇଫାଇ-୭କୁ ବିଭାଗୀୟ ମନ୍ତ୍ରୀ ଲୋକାର୍ପଣ କରିଥିଲେ ।