ସ୍ତ୍ରୀର ଆତ୍ମହତ୍ୟା ଧମକ ବି ବ୍ଲାକମେଲିଂ
କଟକ : ସ୍ତ୍ରୀ ବାରମ୍ବାର ଆତ୍ମହତ୍ୟା କରିବାକୁ ଧମକ ଦେବା କେବଳ ଅତ୍ୟାଚାର ନୁହେଁ ବରଂ ସ୍ୱାମୀଙ୍କ ପ୍ରତି ମାନସିକ ଅତ୍ୟାଚାର ବୋଲି ଓଡ଼ିଶା ହାଇକୋର୍ଟ ମତ ଦେଇଛନ୍ତି । ଏହା ସ୍ୱାମୀଙ୍କୁ ବ୍ଳାକମେଲିଂ ବୋଲି ହାଇକୋର୍ଟ କହିଛନ୍ତି ।
ସୂଚନା ଅନୁଯାୟୀ, ୨୦୦୩ ମସିହାରେ ବିବାହ କରିଥିବା ଜଣେ ବ୍ୟକ୍ତି ୨୦୦୯ ମସିହାରେ ନିଷ୍ଠୁରତାର ଆଧାରରେ ଛାଡ଼ପତ୍ର ମାଗିଥିଲେ । ସେ କୋର୍ଟକୁ କହିଥିଲେଯେ, ତାଙ୍କ ସ୍ତ୍ରୀଙ୍କ ଆଚରଣ ତାଙ୍କ ପାଇଁ ବିବାହ ଜାରି ରଖିବା ଅସମ୍ଭବ ହୋଇପଡ଼ିଥିଲା । ତାଙ୍କ ଅଭିଯୋଗରେ ନିରନ୍ତର ଝଗଡ଼ା, ଆର୍ଥିକ ନିୟନ୍ତ୍ରଣ, ଆତ୍ମହତ୍ୟାର ବାରମ୍ବାର ଧମକ ଓ ତାଙ୍କ ବୃଦ୍ଧ ପିତାମାତାଙ୍କୁ ବଳ ପୂର୍ବକ ବାହାର କରିଦେବା ଅନ୍ତର୍ଭୁକ୍ତ ଥିଲା । ମାମଲାର ଶୁଣାଣି କରି କଟକ ପରିବାର ଅଦାଲତ ସ୍ୱାମୀଙ୍କ ଦ୍ୱାରା ସ୍ଥାୟୀ ଭରଣପୋଷଣ ଭାବରେ ୬୩ ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ବିବାହ ଭାଙ୍ଗିବା ପାଇଁ ମଞ୍ଜୁରୀ ଦେଇଥିଲେ । ତଥାପି ମହିଳା ଜଣକ ତାଙ୍କ ଦାମ୍ପତ୍ୟ ଜୀବନକୁ ଫେରାଇ ଆଣିବା ପାଇଁ ଓଡ଼ିଶା ହାଇକୋର୍ଟରେ ପରିବାର କୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରିଥିଲେ ।
ଜୀବନସାଥୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ କ୍ଷତି ପହଞ୍ଚାଇବା ପାଇଁ ବାରମ୍ବାର ଆତ୍ମହତ୍ୟା କରିବାକୁ କିମ୍ବା ତାଠାରୁ ଖରାପ ଧମକ କେବଳ ଭାବପ୍ରବଣତାକୁ ଅତିକ୍ରମ କରିଯାଏ, ଏହା ଭାବପ୍ରବଣ ଦୁର୍ବଳତାର ଘୋର ଅପବ୍ୟବହାର ଓ ମାନସିକ ଯୁଦ୍ଧର ଏକ ସ୍ପଷ୍ଟ ରୂପକୁ ଦର୍ଶାଏ ବୋଲି ବିଚାରପତି ବିପି ରାଉତରାୟ ଓ ଚିତ୍ତରଂଜନ ଦାଶଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି । ଏପରି ଆଚରଣର ପ୍ରଭାବ କେବଳ ବୈବାହିକ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନୁହେଁ, ବରଂ ପୀଡ଼ିତ ପତି/ପନôୀଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଭାବ ପ୍ରବଣ ସ୍ଥିରତା ଉପରେ ଏକ ସ୍ଥାୟୀ ଦାଗ ଛାଡ଼ିଥାଏ ବୋଲି ଖଣ୍ଡପୀଠ କହିଛନ୍ତି ।