‘ସୁରଭି’ ପ୍ରତିଭା ଚୟନରେ ଚଞ୍ଚକତା 

ବାଲିଅନ୍ତାରୁ ଗୋବର୍ଦ୍ଧନ ଦାସ: ପ୍ରତାପଶାସନ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଗତ ୮ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହାକୁ ବ୍ଲକ ଶିକ୍ଷାବିଭାଗ ଆୟୋଜନ କରିଥିବା ବେଳେ ବ୍ଲକର ଚତୁର୍ଥ ଶ୍ରେଣୀରୁ ଯୁକ୍ତ ୨ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ମାତ୍ର ଏଥିରେ ପ୍ରତିଭା ଚୟନରେ ପ୍ରିୟାପ୍ରୀତି ଓ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି । ଭଲ ପ୍ରଦର୍ଶନ କରିଥିବା ବିଦ୍ୟାଳୟ ସହ ଅନ୍ୟାୟ କରାଯାଇଛି ବୋଲି ଉଭୟ ବିଦ୍ୟାର୍ଥୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି । ପ୍ରକାଶଥାଉକି, ଏହି ସୁରଭି କାର୍ଯ୍ୟକ୍ରମରେ ନୃତ୍ୟରେ ବ୍ଲକରେ ପ୍ରାୟ ୧୪ ଟି ବିଦ୍ୟାଳୟ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ ପଞ୍ଚବଟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦ୍ୱିତୀୟ ସ୍ଥାନରେ ପ୍ରତାପଶାସନ ବାଳିକା ଉଚ୍ଚ ବିଦ୍ୟାଳୟ ଓ ତୃତୀୟ ସ୍ଥାନରେ ପାଣିକଟା ଉଚ୍ଚ ବିଦ୍ୟାଳୟ ରହିଛି । କିନ୍ତୁ ପ୍ରତାପଶାସନ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଅତି ଉଚ୍ଚକୋଟିର ପ୍ରଦର୍ଶନ କରିଥିଲେ ମଧ୍ୟ ସମ୍ପୃକ୍ତ ଶିକ୍ଷା ବିଭାଗର ଚଞ୍ଚକତା ଯୋଗୁଁ ସେମାନଙ୍କୁ ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଘୋଷଣା କରାଯାଇଥିଲା । କିନ୍ତୁ ନିମ୍ନମାନର ପ୍ରଦର୍ଶନ କରିଥିବା ପଞ୍ଚବଟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମ ସ୍ଥାନରେ ସ୍ଥାନିତ କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ପ୍ରତାପଶାସନ ବାଳିକା ଉଚ୍ଚ ବିଦ୍ୟାଳୟ ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇପାରିନଥିଲେ । ଏହାକୁ ନେଇ ସମ୍ପୃକ୍ତ ବିଦ୍ୟାଳୟର  ପ୍ରତିଯୋଗୀ ଓ ସେମାନଙ୍କ ଅଭିଭାବକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିବା ସହ ହୋ-ହଲ୍ଲା କରିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ବେଣୁଧର ଭୋଇ, ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ, ଯୁବନେତା ଶିବ ମଲ୍ଲିକ, ଗଗନ ବେହେରା ପ୍ରମୁଖ ଉକ୍ତ ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ସହ ଉପସ୍ଥିତ ଥିଲେ । ପ୍ରାୟ ଦୀର୍ଘସମୟ ଧରି ହୋ-ହଲ୍ଲା କରିବା ପରେ ବ୍ଲକ ଶିକ୍ଷାଧିକାରୀଙ୍କ ପ୍ରକୋଷ୍ଠକୁ ଯିବାସହ ଏହାର ଜବାବ ମାଗିଥିଲେ । ଏପରିକି ଉକ୍ତ ନୃତ୍ୟର ଭିଡିଓ ସମସ୍ତଙ୍କ ଉପସ୍ଥିତିରେ ଆଉଥରେ ବଡ଼ ଟିଭି ପରଦାରେ ପ୍ରଦର୍ଶନ କରିବାପାଇଁ ସମ୍ପୃକ୍ତ ଅଭିଭାବକ କହିଥିଲେ । ମାତ୍ର ବ୍ଲକ ଶିକ୍ଷାଧିକାରୀ ପ୍ରଜ୍ଞା ପାରମିତା ଜେନା ଏହା ସମ୍ଭବ ନୁହେଁ ବୋଲି କହିବା ସହ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ଚୟନ କରାଯାଇଥିବା ବିଚାରପତିଙ୍କ ନିଷ୍ପତ୍ତି ଅନୁସାରେ ଏହା ହୋଇଛି । ଏଥିରେ ଆମର କୌଣସି ଭୂମିକା ନାହିଁ ବୋଲି କହିଥିଲେ । ଅପରପକ୍ଷରେ ଉଭୟ ବ୍ଲକ ଶିକ୍ଷା ବିଭାଗ, ବିଚାରପତି ଓ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟ ସମସ୍ତେ ସଲାସୁତରା ହୋଇ ପ୍ରିୟାପ୍ରୀତିରେ ଏଭଳି କରିଥିବା ବେଳେ ଏହି ଚଞ୍ଚକତାରେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ସଂଶ୍ଳିଷ୍ଟ ଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ପ୍ରଦର୍ଶନ ଉଚ୍ଚ୍ଚକୋଟିର ଥିବା ସହ ଅତି ଉନ୍ନତ ମାନର ସାଜସଜା ହୋଇଥିଲା । କିନ୍ତୁ କେଉଁ ଆଧାରରେ ଆମକୁ ଅଯୋଗ୍ୟ ଘୋଷଣା କରିଲେ ବୋଲି ଅଭିଯୋଗ କରିଛନ୍ତି । ଏହାକୁ ଉଚ୍ଚ ସ୍ତରୀୟ ତଦନ୍ତ କରିବାପାଇଁ ସମ୍ପୃକ୍ତ ବିଦ୍ୟାର୍ଥୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି ।