ବହିଷ୍କାର ପୂର୍ବରୁ ଇସ୍ତଫା ଦେଲି: ଭାଗିରଥୀ

ଆନନ୍ଦପୁର : ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ମୁହଁ ଖୋଲିଛନ୍ତି ଆନନ୍ଦପୁରର ବିଧାୟକ ଭାଗିରଥି ସେଠୀ । ଆନନ୍ଦପୁରରେ ଦଳ ଅଭିମନୁ୍ୟ ସେଠୀଙ୍କୁ ପ୍ରାର୍ଥୀ କରିଥିବାରୁ ସେ ଦଳ ଛାଡିଲେ । ସାମ୍ବାଦିକ ସମ୍ମିଳନୀ କରି ଦଳର ଗୁମର ଖୋଲିବା ସହିତ ସେ ନାମ ନନେଇ କୁଚକ୍ରାନ୍ତକାରୀଙ୍କ ଚକ୍ରାନ୍ତରେ ଶୀକାର ହୋଇଥିବା କହିଥିଲେ । ୨୦୧୯ରେ ଜୟଦେବ ଜେନାଙ୍କୁ ୪୩ ହଜାରରୁ ଉର୍ଦ୍ଧ ଭୋଟରେ ପରାସ୍ତ କରିଥିବାରୁ ଚଳିତ ନିର୍ବାଚନରେ ତାଙ୍କୁ ଟିକେଟ ଦିଆଯିବ ବୋଲି ଦଳ ପକ୍ଷରୁ ପ୍ରତିଶୃତି ଦିଆଯିଇଥିଲା । ମାତ୍ର ଦଳ ତାଙ୍କୁ କୁଚକ୍ରୀଙ୍କ ପ୍ରରୋଚନାରେ ଟିକେଟ ଦେଇନାହିଁ । ପାଟଣା ବିଧାୟକ ମାତ୍ର ୫ ହଜାର ବ୍ୟବଧାନ ଭିତରେ ଜିତିଥିଲେ ମଧ୍ୟ ତାଙ୍କୁ ପ୍ରଥମ ପର୍ଯ୍ୟାୟରେ ଦଳ ଟିକେଟ ଘୋଷଣା କରିଛି । ଏସବୁକୁ ଅନୁମାନ କଲେ ଦଳ ତାଙ୍କୁ ବହିଷ୍କାର କରିଦେବ ବୋଲି ସେ ସନେ୍ଦହ କରିଥିଲେ । ତେଣୁ  ନିଜ ଆଡୁ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି କହିଥଲେ । ଏବେ ସେ ସ୍ୱାଧୀନ ଏବଂ ତାଙ୍କ ପୁତୁରା ଶାନ୍ତନୁକୁ ଆଗକୁ ଛାଡ଼ିବେ ବୋଲି କହିଛନ୍ତି । ସେହିପରି ବର୍ତମାନ ଦଳ ଟିକେଟ ଦେଇଥିବା ଅଭିମନ୍ୟୁ ସେଠୀ ଙ୍କ ସ୍ତ୍ରୀ ସାବିତ୍ରୀ ସେଠୀଙ୍କୁ ସେ ଦୁଇ ଦୁଇ ଥର ହାଟଡିହି ବ୍ଳକ ଚେୟାରମ୍ୟାନ କରିଥିବା ବେଳେ ଆଜି ସେ ତାଙ୍କୁ ଧୋକା ଦେଇଛନ୍ତି ବୋଲି କହିଥିଲେ ।