ବିପଦଜନକ ଅବସ୍ଥାରେ ଗ୍ରାମ୍ୟ ଉନ୍ନୟନ ରାସ୍ତା
ହିଞ୍ଜିଳିକାଟୁରୁ ବିଶ୍ୱମ୍ବର ସାହୁ: ହିଞ୍ଜିଳିକାଟୁ ଗ୍ରାମ୍ୟ ଉନ୍ନୟନ ବିଭାଗର ବୁଗୁଡ଼ାପଲ୍କି ଠାରୁ ବଳରାମପୁର ଓ ଖଈରବେଠି ଅଲାରିଗଡ କୁରୁଳା ଘୋଡାହଡ ସେତୁ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି । ଏହି ରାସ୍ତାଦେଇ ବିଭିନ୍ନ ଗ୍ରାମର ଶହଶହ ଲୋକେ ଯାତାୟାତ କ୍ଷେତ୍ରରେ ବହୁ ଅସୁବିଧା ଦେଖାଦେଉଛି । ଏହି ରାସ୍ତା ଦେଇ ଅଲାରିଗଡ, ଖଈରବେଠି, ବୁଗୁଡାପଲ୍କି, ବଳୟାମପୁର, ଖଲିଙ୍ଗି, ପ୍ରଭୁତି ରାଜସ୍ୱ ଗ୍ରାମର ଲୋକମାନେ ହିଞ୍ଜିଳିକାଟୁ ଗୋଷ୍ଠୀ ଉପଖଣ୍ଡ ଚିକିସôାଳୟ, ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟକୁ ଯାତାୟାତ କରିଥାନ୍ତି । ବିଶେଷକରି ଛାତ୍ରୀଛାତ୍ର ମହାବିଦ୍ୟାଳୟ, ସରକାରୀ ତାଲିମ୍ ଶିକ୍ଷାକେନ୍ଦ୍ରକୁ ଯାତାୟାତ ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି । ରାସ୍ତାର ସମସ୍ୟା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଅବଗତ କରିଥିଲେ ମଧ୍ୟ ଫଳ ଶୂନ । ଅନ୍ୟପକ୍ଷରେ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ନିମ୍ନମାନର କାମ କରି ପଇସା ସବୁ ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ରାସ୍ତା କାମ ସରିବାର ମାସ କେଇଟାବି ଗଲାନି । ଚଳିତ ଲଗାଣ ବର୍ଷାରେ ରାସ୍ତା ଫାଟି ଆଁ କରିବା ସହ ଗାତ ହୋଇଯାଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ହେବାପରେ ଯନ୍ତ୍ରୀ ଜେନା ନାଇକ ବେଳେ ବେଳେ ହିଞ୍ଜିଳିକାଟୁ କାର୍ଯ୍ୟଳୟକୁ ଆସି ବୁଲି ଯାଉଥିବା ଓ କାର୍ଯ୍ୟାଳୟ ରେ ନରହିବା ଅଭିଯୋଗ ହୋଇଛି । ଯନ୍ତ୍ରୀଙ୍କ ମୋବାଇଲ, ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ପାଢି ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ବ୍ରହ୍ମପୁର ସରବେନ୍ଦୁ ସୁତରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସମ୍ଭବପର ହୋଇ ନାହିଁ । ରାସ୍ତାକାମ ଏପରି ହୋଇଛି ଯେ ଗୋଡ଼ ଘସାରିଲେ ଗୁଡ଼ି ଉଠିଯାଉଛି, ହାତରେ ରାମ୍ପିଲେ ବି ରାସ୍ତାରୁ ଗୁଡ଼ି ଉଠି ଯାଉଛି । ହିଞ୍ଜିଳିରେ ସହକାରୀ ଯନ୍ତ୍ରୀ, କିମ୍ବା କନିଷ୍ଠ ଯନ୍ତ୍ରୀପ୍ରାୟତଃ ରହୁନାହାନ୍ତି । ବେଳେ ବେଳେ ଆସୁଛନ୍ତି । ସେଥିପାଇଁ ଠିକାଦାରମାନଙ୍କ ମନମାନି ଚାଲିଛି । ଦୁର୍ନୀତି ନିବାରଣ ବିଭାଗ କାମର ଭିତିରିଆ ତଦନ୍ତ ଆରମ୍ଭ କଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଶୁଣିବାକୁ ମିଳୁଛି ।