ବାରିପଦା : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍ ଅଞ୍ଚଳରେ ଅବସ୍ଥିତ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଆଖପାଖ ସ୍ଥାନରେ ମହାବଳ ବାଘୁଣୀ ‘ଯମୁନା’କୁ ନେଇ ଆତଙ୍କ ଖେଳିଯାଇଛି। ଜଣେ ପର୍ଯ୍ୟଟକ ଯମୁନାର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପର୍ଯ୍ୟଟକମାନେ ମଧ୍ୟ ଜଙ୍ଗଲରେ ପ୍ରବେଶ କରିବାକୁ ସୁରକ୍ଷିତ ମଣୁ ନାହାନ୍ତି।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରରୁ ମୟୂରଭଞ୍ଜ ଆସିଥିବା ଯମୁନାକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍ ଅଞ୍ଚଳରେ ଛଡ଼ାଯାଇଛି। ଗତ ୯ ତାରିଖରେ ଏନ୍କ୍ଲୋଜରରୁ ଯମୁନା ମୁକୁଳିବା ପରେ ଜଙ୍ଗଲ ମଧ୍ୟରେ ଚଳପ୍ରଚଳ ଆରମ୍ଭ କରିଥିଲା। ନିଜର ସୁରକ୍ଷିତ ସ୍ଥାନ ବାଛିବାକୁ ଯାଇ ପାହାଡ଼ ପରେ ପାହାଡ଼ ଚଢ଼ିବା ସହ ଏକ ପର୍ଯ୍ୟଟନସ୍ଥଳୀରେ ପହଞ୍ଚତ୍ଥିବା ନେଇ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଏହି ସମୟରେ ଯମୁନା ଜଣେ ପର୍ଯ୍ୟଟକଙ୍କ ଉପରୁ ଲମ୍ଫ ପ୍ରଦାନ କରିବା ବେଳେ ପାଟିତୁଣ୍ଡ କରିବାରୁ ସେଠାରୁ ସେ ପଳାଇଯାଇଥିଲା। ଫଳରେ ସେଠାରେ ଉପସ୍ଥିତ ପର୍ଯ୍ୟଟକମାନେ ବାଘୁଣୀ ଭୟରେ ଜଙ୍ଗଲ ମଧ୍ୟରୁ ବାହାରକୁ ପଳାଇ ଆସିଥିଲେ। ଉକ୍ତ ପର୍ଯ୍ୟଟନସ୍ଥଳୀ ନିକଟ ପାଦଚଲା ରାସ୍ତାରେ ବନ କର୍ମଚାରୀମାନେ ଉପସ୍ଥିତ ରହି ପର୍ଯ୍ୟଟକମାନଙ୍କୁ ସତର୍କ କରୁଥିବା ସୂଚନା ମିଳଛି।
ଯମୁନା ଦେହରେ ଲାଗିଥିବା ରେଡିଓ କଲାର ମାଧ୍ୟମରେ ବନ ବିଭାଗର ସ୍ବତନ୍ତ୍ର ଟିମ୍ ତା’ର ଗତିବିଧି ଉପରେ ନଜର ରଖିଥିବା କହୁଥିବା ବେଳେ ସହଜ ଖାଦ୍ୟ ଅନ୍ବେଷଣ ଭଳି ସ୍ଥାନ ଚିହ୍ନଟ କରିବା ପରିବର୍ତ୍ତେ ଯମୁନା ବିସ୍ତୀର୍ଣ୍ଣ ଜଙ୍ଗଲରେ ଏପଟସେପଟ ଘୂରି ବୁଲୁଛି। ଶିକାର କରି ନ ପାରି ଜନବସତି ମୁହଁା ହେଉଥିବା ଜଣାପଡ଼ିଛି। ଯମୁନା ଗଁା ଗଣ୍ଡାରେ ପ୍ରବେଶ କଲେ ତା’ର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।