ପାଣ୍ଡିଆନଙ୍କୁ ଘଡେ଼ଇଙ୍କ ନିଶାନା !
VK pandian Naveen Pattanaik
ଭୁବନେଶ୍ୱର : ବିଜୁ ଜନତା ଦଳ କାହିଁକି ହାରିଲା ? ଗତ ଚାରିମାସ ଧରି ଗାଁଠୁ ସହର ଯାଏଁ ଏହି ଚର୍ଚ୍ଚା ଜୋରଧରିଛି । କିଏ ପାଣ୍ଡିଆନଙ୍କୁ ଏଥିପାଇଁ ଦାୟୀ କରୁଛନ୍ତି ତ ଆଉ କିଏ ବିଜେଡ଼ି କନ୍ଦଳକୁ । ହେଲେ ଏନେଇ ଆଜି ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ମୁହଁ ଖୋଲିଛନ୍ତି । ପରାଜୟ ପାଇଁ କାହା ନାଁ ନନେଲେ ବି ପରୋକ୍ଷରେ ପ୍ରଣବ ପ୍ରକାଶ ଦାସ ଓ ଭିକେ ପାଣ୍ଡିଆନଙ୍କ ଆଡ଼କୁ ନିଶାନା ସାଧିଛନ୍ତି ।
ପ୍ରଫୁଲ୍ଲ କହିଛନ୍ତିଯେ, ପ୍ରାର୍ଥୀ, ପରିଚାଳନା, ପାଣ୍ଠି ଓ ପରିସ୍ଥିତି ପାଇଁ ବିଜେଡ଼ି ହାରିଲା । ତେବେ କାହାକୁ ଲକ୍ଷ୍ୟ କରି ପ୍ରଫୁଲ୍ଲ ଏଭଳି କହିଛନ୍ତି ତାହାକୁ ନେଇ ରାଜନୀତିକ ଚର୍ଚ୍ଚା ହେବା ସ୍ୱାଭାବିକ । ପ୍ରଫୁଲ୍ଲ ବାବୁ ଭାରି ବୁଦ୍ଧିଆ । ସେ ପାଣିକୁ ଫୁଙ୍କିଫୁଙ୍କି ପିଅନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହୁଏ । ମଧ୍ୟରାତ୍ର ଷଡ଼ଯନ୍ତ୍ର ଘଟଣା ପରେପରେ ଏକ ମନ୍ତବ୍ୟକୁ ନେଇ ତାଙ୍କୁ ପାଣ୍ଡିଆନଙ୍କ ପରାମର୍ଶରେ ନବୀନ ହିଁ ଦଳରୁ ବହିଷ୍କାର କରିଦେଇଥିଲେ । ତେଣୁ ନାଁ ନନେଇ ବେଳକାଳ ଉଣ୍ଡି ସେ ପିନ୍ ମାରିଦେଇଛନ୍ତି । ବିଜେଡ଼ିରେ ସମସ୍ତେ ଜାଣନ୍ତି, ପାଣ୍ଡିଆନ୍ ପ୍ରାର୍ଥୀ ଚୟନ କରୁଥିଲେ । ପାଣ୍ଡିଆନ୍ ଓ ବବି ଦାସ ହିଁ ନିର୍ବାଚନ ପରିଚାଳନା କରୁଥିଲେ । ପ୍ରାର୍ଥୀମାନଙ୍କୁ ପାଣ୍ଠି ପ୍ରଦାନର ଦାୟିତ୍ୱ ହିଁ ଏମାନଙ୍କ ଉପରେ ନିର୍ଭରଶୀଳ ଥିଲା । ଅର୍ଥାତ୍ ଘଡେ଼ଇଙ୍କ ମନ୍ତବ୍ୟ କାହାଆଡ଼କୁ ଇଙ୍ଗିତ କରୁଛି, ତାହା ବୁଝିବା ଲୋକ ଠିକ୍ ଧରିନେବେ । ଆଉ ଗୋଟିଏ କଥା ସେ କହିଛନ୍ତି, ତାହାହେଉଛି ପରିସ୍ଥିତି । ନିର୍ବାଚନ ବେଳେ ଓଡ଼ିଆ ଅସ୍ମିତା ହିଁ ପରିସ୍ଥିତି ବିଗାଡ଼ି ଦେଇଥିଲା । ଗୋଟିଏ ପଟେ ନବୀନ ବାବୁ ଫୁଲଯୋଶରେ ପ୍ରଚାର ମଇଦାନକୁ ଓହ୍ଲାଇପାରିନଥିଲେ । ସେପଟେ ସୁପର ସିଏମ୍ ପାଣ୍ଡିଆନ୍ ବାବୁ କିନ୍ତୁ ସାରା ଓଡ଼ିଶା ଘାଣ୍ଟି ପକାଇଥିଲେ । ଯାହାକି ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବା ସହ ବିଜେପିର ଅସ୍ମିତା ପ୍ରସଙ୍ଗକୁ ଆହୁରି ମଜବୁତ୍ କରିଦେଇଥିଲା ।
ପ୍ରଫୁଲ୍ଲଙ୍କ ଏହି ତେରେଛା ବାଣ ବିଜେଡ଼ିର ମାମଲତକାରମାନଙ୍କୁ ଅସ୍ତବ୍ୟସ୍ତ କରିଦେବା ବି ସ୍ୱାଭାବିକ । ସେପଟେ ପ୍ରଫୁଲ୍ଲ ଏମିତି କହିଛନ୍ତିଯେ, ସିଧାସଳଖ ଭାବେ ତାଙ୍କୁ କେହି ପ୍ରଶ୍ନ କରିପାରିବେ ନାହିଁ କି ଏନେଇ ପୁଅ ପ୍ରୀତିରଞ୍ଜନ ଘଡେ଼ଇ ମଧ୍ୟ ଅକଳରେ ପଡ଼ିବେ ନାହିଁ ।