ନବୀନଙ୍କୁ ‘କଟାକ୍ଷ’ ଯନ୍ତ୍ରଣା
Naveen Patanaik, Odisha

ଇଲେଇତି କଲେ ଶାରଦା ଓ ଜୟ
ଭୁବନେଶ୍ୱର : ଗାଁରେ ଗୋଟିଏ ଲୋକପ୍ରିୟ ଲୋକକଥା ଶୁଣିବାକୁ ମିଳେ । ରାବଣ ମରିକି ପଡ଼ିଥାଏ । ରାମ ପଚାରିଲେ ମୋ ତୀରଟା ଟିକେ ଜୋରରେ ବାଜିଛି । କଷ୍ଟ ହେଉଥିବ । ରାବଣ କହିଲେ, ତମ ତୀର ଯେତିକି ଯନ୍ତ୍ରଣା ନଦେଉଛି, ତା’ଠୁ ବେଶୀ କଷ୍ଟ ଦେଉଛି ସେ ମାଙ୍କଡ଼ଗୁଡ଼ା ଯେଉଁ ଖତେଇ ହେଉଛନ୍ତି... ଅର୍ଥାତ୍ ରାବଣକୁ ପରାସ୍ତ କରିବା ପରେ ବାନରସେନା ଉତ୍ସବମୁଖର ହୋଇ ଯାଇଥିଲେ । ଏବେ ଠିକ୍ ସମାନ କଥା ବିଜେଡ଼ି ଓ ନବୀନଙ୍କ କ୍ଷେତ୍ରରେ ପରିଲକ୍ଷିତ ହେଉଛି । ଚବିଶ ନିର୍ବାଚନ ଦରଜ ନବୀନଙ୍କୁ ଯେତିକି କଷ୍ଟଦେଉନି, ନିଜ ଦଳ ତଥା ବିଜେପି ଓ କଂଗ୍ରେସ ନେତାଙ୍କ କଟାକ୍ଷ ସେତିକି ଯନ୍ତ୍ରଣା ଦେଉଛି ।
ଏକଦା ନବୀନଙ୍କର ଅତି ପ୍ରିୟ ଥିବା ପ୍ରସନ୍ନ ପାଟ୍ଟଶାଣୀ ବିଜେଡ଼ିକୁ ଭର୍ତ୍ସନା କରିଛନ୍ତି । ନବୀନଙ୍କ ଆତ୍ମା ବୋଲି ରାଜନୀତିକ ମହଲରେ ଚର୍ଚ୍ଚିତ ପାଣ୍ଡିଆନଙ୍କ ପ୍ରତି ବି କଡ଼ା ଟିପ୍ପଣୀ ଦେଇଛନ୍ତି । ସେହିପରି ପୁରୁଖା ନେତା ଅମର ପ୍ରସାଦ ଶତପଥି ମଧ୍ୟ ସିଧାସଳଖ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ବିଜେଡ଼ି ସଭାପତିଙ୍କୁ ଆହ୍ୱାନ ଦେଇଛନ୍ତି । ଖାଲି ସେତିକିନୁହେଁ ଭୁବନେଶ୍ୱରରୁ ନେଇ ବ୍ରହ୍ମପୁର ଯାଏଁ ବିଜେଡ଼ି ନେତାଙ୍କ ମଧ୍ୟରେ ହେଉଥିବା କନ୍ଦଳ ନବୀନଙ୍କ କ୍ଷତକୁ ଆହୁରି ବିଦାରି ଦେଉଛି ।
ଆଜି କଟାଘା’ରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଓ ଜୟ ନାରାୟଣ ମିଶ୍ର ବି ଚୁନ ମାରିଛନ୍ତି । ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ବିଜେଡ଼ିକୁ କଟାକ୍ଷ କରି କହିଛନ୍ତିଯେ, ବିଜେଡ଼ି ନେତାମାନଙ୍କୁ ଚାକର ଭଳି ରଖିଥିଲା । ଏବେ ସେମାନେ ପ୍ରତିଶୋଧ ମୁଡ୍କୁ ଆସି ଯାଇଛନ୍ତି । ନେତାମାନେ ଗାତ ଖୋଳିଲେ, ଦରି ପାରିଲେ, ଟେଣ୍ଟ ବାନ୍ଧିଲେ, ଚେୟାର ବୋହିଲେ । ବିଜେଡ଼ିର ଆୟୁଷ ଖୁବ୍ କମ୍ । ଖୁବଶୀଘ୍ର ବିଜେଡ଼ି ଖିନଭିନ ହୋଇଯିବ । ସେ ଦଳ ଆଉ ରହିବ ନାହିଁ । ସେହିପରି ବିଜେଡ଼ି ପାଖରେ ଆଉ ନେତୃତ୍ୱ ନାହିଁ । ଅନେକ ନେତା ବିଜେପି ସହ ଯୋଗସୂତ୍ରରେ ରହିଛନ୍ତି । ବହୁ ଜଲଦି ବିଜେଡ଼ି ଭାଙ୍ଗି ଛିନ୍ନଛତ୍ର ହୋଇଯିବ । ବିଜେଡ଼ିର ବହୁ ନେତାଙ୍କ ଦୁର୍ନୀତି କଥା ବି ବିଚାର ହେବବୋଲି ସେ ଚେତାବନୀ ଦେଇଛନ୍ତି ।
ଅପରପକ୍ଷରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ ବାକ୍ସ୍ଫୋଟ ଆଜିକାଲି ଢେ଼ର ଚର୍ଚ୍ଚାରେ ରହିଛି । ନିକଟରେ ସେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ରଙ୍କୁ ଧୋଇଛନ୍ତି । କେଉଁ ଏକ ପ୍ରସଙ୍ଗରେ ସଂତୃପ୍ତ କହିଥିଲେଯେ, ବିଜେପି ଗାଡ଼ି ଲଗାଇ ଲୋକ ନେଉଛି । ଏହାର ଜବାବରେ ଶାରଦା କହିଛନ୍ତି, ବିଜେପି ଯଦି ଗାଡ଼ିରେ ନେଉଛି, ବିଜେଡ଼ି କ’ଣ ରେଳରେ ଲୋକଙ୍କୁ ନେଉଥିଲା ? ଖାଲି ସେତିକିନୁହେଁ ସଂତୃପ୍ତ ଜଣେ ରାଜନୈତିକ ବ୍ୟକ୍ତି ନୁହଁନ୍ତି । ସେ ଯେଉଁ ହିସାବରେ ବିଜେଡ଼ିର ପ୍ରାର୍ଥୀ ହେଲେ ବିଜେପିକୁ ସେଭଳି ଭାବନ୍ତୁ ନାହିଁ । ବିଜେପି ହେଉଛି ଏକ ବିଚାରଧାରାର ଦଳ । ବିଜେଡ଼ି ଓ ବିଜେପି ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ସେ ଯୋଗ୍ୟ କି ଅଯୋଗ୍ୟ କଟକବାସୀ ତାହାର ନିଷ୍ପତ୍ତି ନେଇସାରିଛନ୍ତି । ବିଜେଡ଼ିରେ ନବୀନ ବାବୁଙ୍କର କ୍ରେଜ୍ ରହିଛି । ଦଳର କର୍ମୀଙ୍କ ନିକଟରେ ନବୀନ ନମ୍ବର ୱାନ୍ ବୋଲି କହିଛନ୍ତି ।
ଖାଲି ସେତିକିନୁହେଁ, କଂଗ୍ରେସ ନେତା ମହମ୍ମଦ ମୋକିମ୍ ବି ବିଜେଡ଼ିକୁ ଛାଡ଼ିଲେନି । ପୂର୍ବରୁ ସେ ଦେବାଶିଷ ସାମନ୍ତରାୟଙ୍କ କଂଗ୍ରେସ-ବିଜେଡ଼ି ମେଣ୍ଟ ପ୍ରସଙ୍ଗରେ ଟାର୍ଗେଟ୍ କରିଥିଲେ । ଆଜି ସେ କହିଛନ୍ତି କଂଗ୍ରେସ ସହ ବିଜେଡ଼ି ଓ ବିଜେପିର ଅନେକ ନେତା ଯୋଗସୂତ୍ରରେ ରହିଛନ୍ତି । ବିଶେଷକରି ବିଜେଡ଼ିର ବହୁ ନେତା ଯୋଗାଯୋଗରେ ଅଛନ୍ତି । ପିସିସି ସଭାପତି ଚୟନ ପରେ ସେମାନେ କଂଗ୍ରେସକୁ ଆସିବେ ବୋଲି ମୋକିମ୍ କହିଛନ୍ତି ।