ହାତୀ ବେଶ ପାଇଁ ଚାଲିଛି ପ୍ରସ୍ତୁତି

 ପୁରୀ : ଆସନ୍ତା ୧୧ ତାରିଖ ବୁଧବାର ଦିନ ଦେବସ୍ନାନ ପୂର୍ଣ୍ଣମି । ଚତୁର୍ଦ୍ଧାମୂର୍ତ୍ତି ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀମନ୍ଦିର ବେଢା ସ୍ଥିତ ସ୍ନାନ ବେଦୀରେ ବିଜେ କରି ୧୦୮ଗଡ଼ୁ ସୁଶୀତଳ ସୁଗନ୍ଧିତ ଜଳରେ ସ୍ନାନ କରିବା ପରେ ଭକ୍ତମାନଙ୍କୁ ଦର୍ଶନ ଦେବେ ଗଜାନନ ବେଶରେ । ସଂପ୍ରତି ଗଜାନନ ବା ହାତୀ ବେଶର ସାଜ ପ୍ରସ୍ତୁତି ଆଗେଇ ଚାଲିଛି । ଏଥି ସହିତ ଚାଲିଛି ଠାକୁରମାନଙ୍କର ଟାହିଆ ପ୍ରସ୍ତୁତି । ରାଘବ ଦାସ ମଠ ପକ୍ଷରୁ ଶ୍ରୀ ଜଗନ୍ନାଥ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଭୁ ବଳଭଦ୍ରଙ୍କ ହାତୀ ବେଶ ସାଜ ପ୍ରସ୍ତୁତ କରାଯାଉଛି । ସୋଲ, କଦଳୀ ପଟୁକା, ବେତ, ବାଉଁଶ, କନା, ପଇତା ସୁତା, ତାଳପତ୍ର ଓ ଜରି ଜମ୍ବୁରାରେ ଚାଲିଛି ହାତୀ ବେଶ ସାଜର ପ୍ରସ୍ତୁତି । ଗଜାନନ ବେଶରେ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ହାଣ୍ଡିଆ, ତୋରଣ ବା ମୁଖାରବିନ୍ଦ, ଥୋଡ଼ ପାହାଡ଼, ଦନ୍ତ, କର୍ଣ୍ଣ ବଜ୍ରକୁମ୍ଭ, ଆଡ଼କାନି. ପଦ୍ମକଢି, ନାକଚଣା, ଚିତା, ତିଳକ ଓ କରପଲ୍ଲବରେ ସଜ୍ଜିତ କରାଯାଏ । ୨ ଠାକୁରଙ୍କ ଶ୍ରୀ ମସ୍ତକରେ ଶୋଭାପାଏ ନୀଳଚକ୍ର । ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କୁ ହାତୀ ବେଶରେ ସଜ୍ଜିତ କରାଯିବା ପଛରେ ଏକ କିମ୍ବଦନ୍ତି ରହିଛି । ଗଣପତି ଭଟ୍ଟ ନାମକ ଜଣେ ଦକ୍ଷିଣ ଭାରତୀୟ ଭକ୍ତଙ୍କୁ ମହାପ୍ରଭୁ ଏହି ବେଶରେ ଦର୍ଶନ ଦେଇଥିଲେ । ତେଣୁ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣମୀରେ ମହାପ୍ରଭୁଙ୍କୁ ହାତୀ ବେଶରେ ସଜ୍ଜିତ କରିବା ପାଇଁ ବଡ଼ପଣ୍ଡାଙ୍କୁ ସ୍ୱପ୍ନାଦେଶ ହୋଇଥିଲା ବୋଲି ଜନଶ୍ରୁତି ରହିଛି ।