ବୈଶାଖ ନ ଆସୁଣୁ ଉକ୍ରଟ ଜଳସଂକଟ
ତାଳଚେର: ତାଳଚେର ଉପଖଣ୍ଡ ଦେଇ ଚିରୋସ୍ରୋତା ବ୍ରାହ୍ମଣୀନଦୀ ବୋହି ଯାଉଥିଲେ ମଧ୍ୟ ତାଳଚେର ବ୍ଲକ ଧରମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜନ୍ଦାବାହାଳ ଗ୍ରାମରେ ମାଘମାସ ନ ସରୁଣୁ ଏବେ ଠାରୁ ଉକ୍ରଟ ଜଳସଂକଟ ଦେଖାଦେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ଗ୍ରାମରେ ୨ହଜାରରୁ ଊଦ୍ଧ୍ୱର୍ ସଂଖ୍ୟକ ଜନସାଧାରଣ ବସବାସ କରୁଥିବାବେଳେ ଜଳକଷ୍ଟକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରି ମେଗାପାନୀୟ ଜଳପ୍ରକଳ୍ପ ନିର୍ମାଣ କରାଯାଇଥିଲା । ମାତ୍ର ଉକ୍ତ ପ୍ରକଳ୍ପରେ ୧୦ରୁ ୧୨ଦିନ ମଧ୍ୟରେ ପ୍ରାୟ ୧୫ରୁ ୨୦ମିନିଟ୍ ପାଣି ଦିଆଯାଉଥିବା ହେତୁ ଗ୍ରାମବାସୀମାନେ ନାହିଁ ନ ଥିବା ହଇରାଣ ହରକତ ହେଉଥିବା ଅଞ୍ଚଳବାସୀମାନେ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ ଅନୁଯାୟୀ, ନିଟକଟରେ ବ୍ରାହ୍ମଣୀନଦୀ ବୋହି ଯାଉଥିଲେ ମଧ୍ୟ ବର୍ଷା ଏବଂ ଶୀତଋତୁରେ ଯଦି ଏତେ ପରିମାଣରେ ଜଳସଂକଟ ଦେଖାଦେଉଛି, ତେବେ ବୈଶାଖ ମାସରେ ସ୍ଥିତ କ’ଣ ଯେ, ହେବ ତାହା ଆଜି ଠାରୁ ଆକଳନ କରିବା ସମ୍ଭବପର ନୁହେଁ । ଏସମ୍ପର୍କରେ ଗ୍ରାମବାସୀମାନେ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଆପତି ଅଭିଯୋଗ କରୁଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ଗ୍ରାମାବସୀମାନେ ପ୍ରକାଶ କରିଛନ୍ତି । ସେହିଭଳି ତାଳଚେର ପୌରାଚଂଳ ଓ ଅନ୍ୟାନ୍ୟ ଗ୍ରାମାଚଂଳରେ କୋଇଲା ଖଣି ଅତି ନିକଟତର ଓ ଖଣି ଗୁଡ଼ିକ ଅତି ଗଭୀରତମ ହୋଇଥିବାରୁ ଏଠାରେ ପ୍ରାୟ ୧୨ମାସରୁ ୮ ମାସ ଜଳସଂକଟ ଦେଖାଦେଇଥାଏ । ତେବେ କଳକାରଖାନା ଓ କଲୋନୀ ଗଡ଼ିକୁ ସମଲ ବ୍ୟାରେଜ ନଦୀବନ୍ଧରୁ ଅପର୍ଯ୍ୟାପ୍ତ ପାଣି ଯୋଗାଇ ଦିଆଯାଉଥିବା ବେଳେ ସେହିଭଳି ସମଲ ଠାରେ ଖୋଦ୍ ମେଗାପ୍ରକଳ୍ପ ଯୋଜନାରେ ତାଳଚେର ଅଞ୍ଚଳବାସୀଙ୍କୁ କାହିଁକି ନୀରବଚ୍ଛିନ୍ନ ଭାବେ ଜଳଯୋଗାଣ କରାଯାଉ ନାହିଁ ତାକୁ ନେଇ ବିଭିନ୍ନ ମହଲରେ ହେଉଛି ଚର୍ଚ୍ଚା । ଏଠାରୁ କୋଟି କୋଟି ଟଙ୍କା ଡ଼ବଲ ଇଞ୍ଜିନ ସରକାର ରାଜସ୍ୱ ନେଉଥିବା ବେଳେ ଅଞ୍ଚଳବାସୀଙ୍କୁ କାହିଁକି ପ୍ରତ୍ୟେକ କ୍ଷେତ୍ରରେ ଅଣଦେଖା କରାଯାଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।