ବୋଇତ ବନ୍ଦାଣ ମହୋତ୍ସବ ଉଦ୍ଘାଟିତ
ଅନୁଗୁଳ: ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ୱାରା ସ୍ଥାନୀୟ ସଭାଘର ଠାରେ ୩୯ ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲା ଓକିଲ ସଂଘ ସଭାପତି ଦିଲୀପ ସାହୁ ମୁଖ୍ୟଅତିଥି ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳାକାରର ସଂସ୍କୃତି ପରମ୍ପରାରକୁ ବଜାୟ ରଖିବାର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ । କଳାକାର ସଭାପତି ବୀରେନ୍ଦ୍ର କୁମାର ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିଲେ । କଳାକାରର ବରିଷ୍ଠ ସଦସ୍ୟ ଚୈତନ୍ୟ ସାହୁ, ପ୍ରତିଷ୍ଠାତା ସଭ୍ୟ ଶରତ ମାଝୀ, କି ବୋର୍ଡÿ ବାଦକ ଯୋଗେଶ୍ୱର ଦାସଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଉପଦେଷ୍ଟା ଭୂପେଶ ଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ଡ.କୃଷ୍ଣ ଚନ୍ଦ୍ର ଦାସ, କ୍ଷୀରୋଦ ପାତ୍ର, ଇନ୍ଦିରା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବିଚାରକ ଭାବେ ଓଡିଶୀ ନୃତ୍ୟଗୁରୁ ପିତାମ୍ବର ବିଶ୍ୱାଳ, ଓଡିଶୀ ସଂଗୀତ ଗୁରୁ ଜୀବନାନନ୍ଦ ବରାଳ, ଶାସ୍ତ୍ରୀୟ ବାଦ୍ୟ ଗୁରୁ ସୌମ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀଙ୍କ ମୂଲ୍ୟାଙ୍କନ କରିଥିଲେ । ଆୟୋଜିତ ରଙ୍ଗଭରୋ, ଚିତ୍ରାଙ୍କନ, ଓଡିଶୀ ନୃତ୍ୟ, ଲଘୁ ନୃତ୍ୟରେ ବିଭିନ୍ନ ଅନୁଷ୍ଠାନର ତିନିଶହରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଡ ବୈରାଗୀ ଚରଣ ମଲ୍ଲିକ ମଞ୍ଚ ସଂଚାଳନ କରିଥିବା ବେଳେ ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।