୬ରେ ରେଳ ବନ୍ଦ ଆନେ୍ଦାଳନ 

ତାଳଚେର: ତାଳଚେର ବ୍ଲକ ବନ୍ତୋଲ ରେଳଫାଟକ ପ୍ରଭାବିତ ଅଞ୍ଚଳବାସୀଙ୍କୁ ନେଇ ତାଳଚେର ରେଳଷ୍ଟେସନ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ବନ୍ତୋଲ ପଂଚାୟତବାସୀଙ୍କ ପକ୍ଷରୁ ବାରମ୍ବାର ଏହି ରେଳଫାଟକ ଠାରେ ଅଣ୍ଡରପାସ୍ ଓ ଜଳନିଷ୍କାସନକୁ ନେଇ ସମସ୍ତ ରେଳବିଭାଗର କର୍ମଚାରୀଙ୍କୁ ଅବଗତ କରାଇବା ସହ ଜିଲ୍ଲା ପ୍ରାଶାସନ ଓ କେନ୍ଦ୍ରରେଳମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କେହି ହେଲେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଯାହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବା ସହିତ ଆସନ୍ତା ଜାନୁଆରୀ ୬ତାରିଖ ହେବାକୁ ଥିବା ରେଳବନ୍ଦ ଆନେ୍ଦାଳନ ତୀବ୍ରତର କରିବା ନେଇ ଏହି ବୈଠକ ଆହ୍ୱାନ ଦିଆଯାଇଛି । ତାଳଚେର, ବନ୍ତୋଲ, ଜଗନ୍ନାଥପୁର, ସନ୍ଥପଡ଼ା, ଘଂଟପଡ଼ା, ଗୁରୁଜାଙ୍ଗୁଲି, ହାଣ୍ଡିଧୂଅାଁ ଓ ପ୍ରଭାବିତବାସୀଙ୍କ ପାଇଁ ଏହି ରାସ୍ତାଟି ଅତି ଜରୁରୀ ହୋଇଥିବାରୁ ବାରମ୍ବାର ଟ୍ରେନ ଚଳାଚଳ ଜନିତ ଫାଟକ ଅହରହ ପଡୁଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଦୈନନ୍ଦିନ ଏହି ୫ଟି ରେଳଧାରଣାରେ ପ୍ରାୟ ଦେଢ଼ଶହଟି ୱାଗନ ଯାତାୟତ କରିଥାନ୍ତି । ଫଳରେ ଅଂଚଳବାସୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଡ଼ାକ୍ତରଖାନା, ଚାଷବାସ, ସାପ୍ତାହିକ ହାଟ ଓ ତାଳଚେର ଷ୍ଟେସନକୁ ଯାତାୟତ ନ କରିବା କିମ୍ବା ଯେ କୌଣସି ପରିସ୍ଥିତିରେ ବିକଳ୍ପ ରାସ୍ତା ନଥିବା ଯୋଗୁଁ ଜନସାଧାରଣ ଅସହାୟ ହୋଇପଡ଼ିଛନ୍ତି ବୋଲି ଅଭିଯୋଗ ହୋଇଥାଏ । ଆଜିର ଏହି ବୈଠକରେ ଜନବିକାଶ କଲ୍ୟାଣ ସଂଘ ସଭାପତି ଭୂପେନ ଥମ୍ବ, ଅଭୟ ପାଣି, ବିଜୟ ପ୍ରଧାନ, ଉଚ୍ଛନ୍ନ ପଟ୍ଟନାୟକ, ହାଡ଼ିବନ୍ଧୁ ବିଶ୍ୱାଳ, ସୁବାଷ ରାଉତ, ଚିତରଞ୍ଜନ ପ୍ରଧାନ, ବିନୋଦ ଲାଲ, ରାଜକିଶୋର ସାହୁ, ଦିଗାମ୍ବର ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।