ବ୍ରହ୍ମବରଦା-ବନ୍ଧଢିଅ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ମରଣଯନ୍ତା

ବ୍ରହ୍ମବରଦା:  ରାଜ ସରକାର ନଦୀକୂଳ ବର୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ସୁରକ୍ଷିତ ଜୀବନଯାପନ ପାଇଁ ପ୍ରତି ନଦୀବନ୍ଧ ରାସ୍ତାକୁ ପ୍ରସସ୍ତ ଓ ସୁଦୃଢୀକରଣ କରୁଛନ୍ତି । ନଦୀବନ୍ଧ ରାସ୍ତାକୁ ପିଚୁ କରିବା ସହିତ ନଦୀ ତଟବନ୍ଧ ଗୁଡିକ ପଥର ପ୍ୟାକିଂ ମଧ୍ୟ କରାଯାଉଛି । ଏଥିପାଇଁ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ତା ସହିତ ଏହାର ରକ୍ଷଣା ବେକ୍ଷଣ ଓ ସ୍ଥାୟୀ ମରାମତି ମଧ୍ୟ କରାଯାଉଛି । କିନ୍ତୁ ସରକାରଙ୍କ ତରଫରୁ ଏତେ ସବୁ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ରସଲପୁର ବ୍ଲକ ବ୍ରହ୍ମବରଦା-ବନ୍ଧଢିଅ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ମରଣଯନ୍ତା ପାଲଟିଛି । ବନ୍ଧ ରାସ୍ତାରେ ସୃଷ୍ଟି ବିରାଟ ଗର୍ତ ସତେ ଯେପରି ମୃତୁ୍ୟକୁ ହାତଠାରି ଡାକୁଛି । ଉକ୍ତ ରାସ୍ତା ଦେଇ ଗଲାବେଳେ ସାମାନ୍ୟ ଟିକେ ଅନ୍ୟମନସ୍କ ହେଲେ ଗର୍ତରେ ପଡି ଜୀବନ ଯିବାର ସମ୍ଭାବନା ସୃଷ୍ଟି ହୋଇଛି । ବନ୍ଧ ରାସ୍ତାଟି ଖାଲଖମାରେ ଭର୍ତୀ ହୋଇଥିବା ବେଳେ ବର୍ଷା ଯୋଗୁ ମାଳମାଳ ରେନକଟ ମାନ ସୃଷ୍ଟି ହୋଇଛି । ଯାହାଦ୍ୱାରା ସାଧାରଣ ଲୋକେ ଉକ୍ତ ରାସ୍ତା ଦେଇ ଯାତାୟତ କରିବାରେ ବିରାଟ ବିରାଟ ଗର୍ତରେ ପଡି ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ।
ଏହା ସହିତ କିଛି ବାଲି ମାଫିଆ ମାନେ ଉକ୍ତ ନଦୀବନ୍ଧର ରାସ୍ତାକୁ କାଟି ନଦୀ ଭିତରକୁ ଗଡ଼ାରାସ୍ତା କରି ଟ୍ରାକ୍ଟର ଯୋଗେ ଦୈନିକ ଶହଶହ ଟ୍ରିପ ବାଲି ଉଠାଇ ଉକ୍ତ ନଦୀବନ୍ଧ ରାସ୍ତା ଦେଇ ଯିବାଆସିବା କରିବା ଦ୍ୱାରା ନଦୀବନ୍ଧ ସଂକୁଚିତ ହେବା ସହ ର୍ଦୁବଳ ହେବାରେ ଲାଗିଛି । ଆହୁରି ପୁଣି ଏବେ ବର୍ଷା ଦିନ ଚାଲିଥିବାରୁ ବ୍ରହ୍ମବରଦା ବାସୀଙ୍କୁ ଘାରିଛି ବନ୍ୟା ପାଣିର ଚିନ୍ତା । କାରଣ ବ୍ରାହ୍ମଣୀ ନଦୀର ଏହି ର୍ଦୁବଳ ନଦୀ ବନ୍ଧରେ ପୂର୍ବରୁ ଅନେକ ଥର ଘାଇ ହେବା ସହ ଗୋଟେ ଶିଶୁର ଜୀବନ ମଧ୍ୟ ଯାଇଛି । ଏହା ମଧ୍ୟରେ ଘାଇ ସୃଷ୍ଟି ହେବାକୁ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ବ୍ରହ୍ମବରଦା-ବନ୍ଧଢିଅ ବ୍ରାହ୍ମଣୀ ନଦୀବନ୍ଧର ସୁଦୃଢୀକରଣ ଅଧପନ୍ତରୀୟା ଅବସ୍ଥାରେ ପଡିରହିଛି । ତା ଛଡା ବ୍ରହ୍ମବରଦା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ସହ ଏଠାରେ ସାପ୍ତାହିକ ହାଟ ହେଉଥିବାରୁ ହୋଇଥିବାରୁ ବନ୍ଧଢିଅ, ଗୋଳକୁଣ୍ଡ, ହରିପୁର, ବାଲିଆ, ଯମପଡା, ସ୍ୱାଇଁଖଣ୍ଡ, ବାଲିଆ ଆଦି ଅଂଚଳର ହଜାର ହଜାର ଲୋକେ ଉକ୍ତ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ଦେଇ ଯିବାଆସିବା କରିଥାନ୍ତି । ଚଳିତ ବର୍ଷ ବ୍ରହ୍ମଣୀରେ ବନ୍ୟା ପାଣି ଆସିଲେ ପୁଣି ଉକ୍ତ ନଦୀବନ୍ଧରେ ଘାଇ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଯାହାକୁ ନେଇ ଗ୍ରାମବାସୀ ମାନେ ଆତଙ୍କିତ ହୋଇ ରହିଛନ୍ତି । ଯଦି ତୁରନ୍ତ ନଦୀ ବନ୍ଧର ସୁଦୃଢୀ କରଣ କରାନଯାଏ ତେବେ ବନ୍ୟାରେ ଘାଇ ସୃଷ୍ଟି ହେଲେ ବ୍ରହ୍ମବରଦା ପଂଚାୟତ ବହୁ କ୍ଷୟକ୍ଷତି ଘଟିବ ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି । ତେଣୁ ତୁରନ୍ତ ଉକ୍ତ ନଦୀବନ୍ଧକ ରାସ୍ତାକୁ ପ୍ରଶସ୍ତ ଓ ସୁଦୃଢୀକରଣ ସହ ନଦୀବନ୍ଧ ରାସ୍ତାରେ ସୃଷ୍ଟି ବିରାଟ ଗର୍ତରେ ମାଟି ପକାଇ ସମତୁଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।