କେନାଲରେ ବୁଡି ଯୁବକ ମୃତ
କୁଜଙ୍ଗ : ଭଉଣୀର ଶାଶୂଙ୍କ ପାଇଁ ଦଶାହ କାର୍ଯ୍ୟ ଚାଲିଥିବା ବେଳେ କେନାଲରେ ଭାସିଯାଇ ଆଜି ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତ ବ୍ୟକ୍ତି ହେଲେ ଦୀପ୍ତି ରଞ୍ଜନ ପରିଡା (୨୬) । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ଚାନ୍ଦପୁର ଅଞ୍ଚଳରେ ଏଭଳି ଏକ ଶୋକାକୁଳ ଘଟଣା ଘଟିଛି । ସୂଚନା ଅନୁସାରେ ଆଜି ଚାନ୍ଦପୁର ଗ୍ରାମରେ ପଙ୍କପାଳ ଗାଁର ଦୀପ୍ତି ରଂଜନ ପରିଡାଙ୍କର ଭଉଣୀଙ୍କର ଶାଶୂଙ୍କ ଦଶାହ କର୍ମ ଚାଲିଥିଲା । ଘରେ ଭୋଜିଭାତ ଚାଲିଥିବା ବେଳେ ଦୀପ୍ତି ରଂଜନଙ୍କ ଭିଣୋଇଙ୍କ ସହିତ ପରିବାର ଲୋକେ ଗ୍ରାମ ନିକଟ ତାଳଦଣ୍ଡା କେନାଲ ପାର୍ଶକୁ ମୁଣ୍ଡନ ଓ ଅନ୍ୟ କାର୍ଯ୍ୟ ପାଇଁ ଯାଇଥିଲେ । କେନାଲରେ ଆଜି ଦୀପ୍ତି ରଂଜନଙ୍କ ସହିତ ଅନ୍ୟମାନେ କେନାଲରେ ଗାଧୋଉଥିଲେ । ତେବେ କେନାଲର ଗଭୀରତା ବିଷୟରେ ଜାଣି ନଥିବାରୁ ସେ ଭାସି ଯାଇଥିଲେ । ଦୀପ୍ତି ରଂଜନଙ୍କୁ ଗୁରୁତର ଅବସ୍ଥାରେ ତାଳଦଣ୍ଡା କେନାଲରୁ ଉଦ୍ଧାର କରାଯାଇଥିଲା । କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀପ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।