ହଜିବାକୁ ବସିଲାଣି ପାଟପୋକ !
ବୁଗୁଡ଼ା : ପ୍ରକୃତିର ଅନନ୍ୟ ଆକର୍ଷଣ ଲାଲଟୁକୁଟୁକୁ ସାଧବ ବୋହୂ ଭାବେ ପରିଚିତ ପାଟପୋକ । ମୌସୁମୀର ଆଗମନ ଓ ବର୍ଷାଦିନେ ବିଶେଷ କରି ଗ୍ରାମାଞ୍ଚଳରେ ଦେଖାଯାଆନ୍ତି । ବର୍ଷା ମାଟିକୁ ଛୁଇଁବା ପରେ ଧରଣୀ ରାଣୀର କୋଳରୁ ଜନ୍ମ ନିଅନ୍ତି ଏହି ପୋକ । ବର୍ଷା ଭିଜା ନରମ ମାଟିକୁ ଫଟାଇ ପଦାକୁ ଆସୁଥିବା ପାଟପୋକଙ୍କ ସୌନ୍ଦର୍ଯ୍ୟ ବେଶ୍ ମନୋରମ । ଉର୍ବର ଜମିରେ ପ୍ରଥମ ବର୍ଷା ପାଣିରେ ଏମାନେ ଜନ୍ମ ନେଇଥାନ୍ତି । ମାଟି ଭିତରେ ବର୍ଷାଜଳ ପହଞ୍ଚି ଅନୁକୂଳ ତାପମାତ୍ରା ପାଇଲେ ଏହି ପୋକର ଅଣ୍ଡାରୁ ଛୁଆ ବାହାରିଥାଏ । ଚାଷ ପ୍ରଧାନ ବୁଗୁଡା ଅଞ୍ଚଳରେ ବର୍ଷା ପୂର୍ବରୁ କୃଷକମାନେ ଜମିରେ ଅଖିମୁଠି ଅନୁକୂଳ କରିଥାନ୍ତି । ଏହି ପୋକ ଚାଷଜମିରୁ ବାହାରିଲେ ଚାଷୀମାନେ ସେମାନଙ୍କ ଜମି ବେଶ୍ ଉର୍ବର ଥିବା ଜାଣୁଥିଲେ । ବର୍ତ୍ତମାନ ଏହି ପୋକ ଆଉ ଦେଖିବାକୁ ମିଳୁ ନାହାନ୍ତି । ବର୍ଦ୍ଧିତ ତାପମାତ୍ରା ଓ ବର୍ଷାର ଅନିୟମିତତା ସାଙ୍ଗକୁ ଚାଷ ଜମିରେ ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ହେବା ଫଳରେ ଏହି ପୋକ ନଷ୍ଟ ହୋଇଯାନ୍ତି ।