ଚୋରା ମଦ ବିକ୍ରିକୁ ନେଇ ଉତ୍ତେଜନା
କାକଟପୁର : ଅସ୍ତରଙ୍ଗ ବ୍ଲକ ସରିପୁର ଗ୍ରାମରେ ଚୋରା ମଦ ବ୍ୟବସାୟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ପ୍ରକାଶ ଯେ, ସରିପୁର ଗ୍ରାମର ବନବିହାରୀ ଦାସ ନାମକ ଜଣେ ଯୁବକ ଦୀର୍ଘ ବର୍ଷ ହେବ ଲକ୍ଷାଧିକ ଟଙ୍କାର ମଦ ବିକ୍ରି କରିଆସୁଛି । ସବୁଠୁ ଦୁଃଖଦାୟକ ଘଟଣା ଏହି ବେଆଇନ ଚୋରା ମଦ ବ୍ୟବସାୟ କେନ୍ଦ୍ରଟି ଯେଉଁଠି, ସେହି ସ୍ଥାନରେ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ ଓ ଗ୍ରାମରେ ମନ୍ଦିର ରହିଛି । ଏହି ଘଟଣା ପାଇଁ ଗ୍ରାମାଞ୍ଚଳ ପରିବେଶ ସମ୍ପୂର୍ଣ୍ଣ ପ୍ରଦୂଷଣ ହେବାରେ ଲାଗିଛି । ଗ୍ରାମବାସୀଙ୍କ ଅଭିଯୋଗ ବିଦ୍ୟାଳୟ ପଡିଆରେ ଏତେ ପରିମାଣରେ ମଦ ବୋତଲ ଫିଙ୍ଗା ଯାଉଛି, ଯାହାକି ଫଳରେ ଅନେକ ପିଲା ଆହତ ହେଉଛନ୍ତି । ସେହିପରି ଗ୍ରାମର ମନ୍ଦିରକୁ ସକାଳ ଓ ସନ୍ଧ୍ୟାରେ ଲୋକେ ସଞ୍ଜ ଦେବାକୁ ଯାତାୟାତ କରୁଛନ୍ତି । ଆଉ ଏହି ସ୍ଥାନରେ ବାହାର ଲୋକଙ୍କ ମଦର ପସରା ଏତେ ପରିମାଣରେ ବୃଦ୍ଧି ପାଇଛି ଯେ, ସ୍ଥାନୀୟ ମହିଳାଙ୍କୁ ଅନେକ ସମୟରେ ନିଶାଡିଙ୍କ ଅସାମାଜିକ କଥାର ଶିକାର ହେବାକୁ ପଡୁଛି । ଯାହାଫଳରେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏହି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଗତକାଲି ଗ୍ରାମରେ କିଛି ଯୁବକ ଏହାକୁ ବିରୋଧ କରିଥିଲେ । ଆଉ ତା’ ପୂର୍ବରୁ ଅସ୍ତରଙ୍ଗ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ମାତ୍ର ଗ୍ରାମବାସୀଙ୍କ ଅଭିଯୋଗ ଅସାଧୁ ବ୍ୟବସାୟୀ ମାରଣାସ୍ତ୍ର ଧରି ପ୍ରତିବାଦ କରୁଥିବା ଯୁବକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବା ସହ ଧମକ ଚମକ ଦେଇଛନ୍ତି । ଆଉ ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମର ଶତାଧିକ ଝିଅ ବୋହୂ ମହିଳାମାନେ ଏକାଠି ହୋଇ ଏହି ଅସାଧୁ ମଦ ବ୍ୟବସାୟ ଅନୁଷ୍ଠାନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଅସ୍ତରଙ୍ଗ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଗ୍ରାମବାସୀଙ୍କ ସହାୟତାରେ କିଛି ମଦ ପେଟି ମଧ୍ୟ ଜବତ କରିଛି । ଆଉ ଏହା ସହ ବେଆଇନ ମଦ ବ୍ୟବସାୟୀକୁ ଅଟକ ରଖିଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବିଦ୍ୟାଳୟ ସହିତ ଆଧ୍ୟାତ୍ମିକ ପୀଠ ଆଉ ତା ସହିତ ଗ୍ରାମ ଭିତରେ ଲକ୍ଷ ଲକ୍ଷ ଟଙ୍କା ପରିମାଣରେ ଖୁଲମଖୁଲା ମଦ ବିକ୍ରି କରାଯାଉଛି । ମାତ୍ର ସ୍ଥାନୀୟ ପୋଲିସ ପ୍ରଶାସନ ପାଖରେ କାହିଁକି ଏଯାଏ ଖବର ନାହିଁ । ତା ପରେ ଗ୍ରାମବାସୀଙ୍କ ଅଭିଯୋଗ ଅସ୍ତରଙ୍ଗ ପୋଲିସ ଏହି ସ୍ଥାନକୁ ଅନେକ ସମୟରେ ଆସୁଛି, ଆଉ ମଦ ପେଟି କିଛି ଜବତ କରୁଛି । ମାତ୍ର ବ୍ୟବସାୟୀଙ୍କ ଉପରେ ଏଯାଏଁ କଡା କାର୍ଯ୍ୟାନୁଷ୍ଠାନ କାହିଁକି ନେଉନାହାନ୍ତି । ଯାହାକୁ ନେଇ ବ୍ୟବସାୟୀ ଜଣଙ୍କ ଦିନକୁ ଦିନ ତାର ପସରା ବୃଦ୍ଧି କରୁଛି । ଏବେ ଅସ୍ତରଙ୍ଗ ପୋଲିସ ଉପରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସନେ୍ଦହ ବୃଦ୍ଧି ପାଇବାରେ ଲାଗିଛି । ଏହି ଘଟଣା ଉପରେ ଆଗାମୀ ଦିନରେ ଆଇନଗତ ଆଉ ଦୃଢ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ଗ୍ରାମରେ ମହିଳାମାନେ ଆଗାମୀ ଦିନରେ ଅସ୍ତରଙ୍ଗ ଥାନା ଘେରାଉ କରିବା ସହ ରାଜରାସ୍ତାରେ ଏହାକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।