ଅଦିନିଆ ବର୍ଷା ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଅଦିନିଆ ବର୍ଷାରେ ୬ଟି ପାକ୍ସର ୧୭ ମଣ୍ଡିରେ ୫୨୯୩୦ ବସ୍ତା ଧାନ ପଡିରହିଥିବା ବେଳେ ୯୧୭୯ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ିଥିବା ଜଣାପଡିଛି । ୧୭ଟି ମଣ୍ଡି ମଧ୍ୟରୁ ୮ଟି ମଣ୍ଡିରେ ସେଡ୍ ନଥିବାରୁ ଉକ୍ତ ମଣ୍ଡିରେ ପଡିରହିଥିବା ଧାନ ବର୍ଷାରେ ଭିଜିଥିବା ଦେଖିବାକୁ ମିଳିଛି । ଏହି ମଣ୍ଡିଗୁଡିକ ଜୁନାଗଡ଼ ଆରଏମସି ମାଧ୍ୟମରେ ପରିଚାଳିତ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ମଣ୍ଡି ବ୍ୟବସ୍ଥା ସୁଧୁରି ପାରିନାହିଁ । ମଣ୍ଡିର ଭିତ୍ତିଭୂମି ନିର୍ମାଣ ପାଇଁ ନିୟନ୍ତ୍ରିତ ବଜାର କମିଟି ୨% ନେଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମଣ୍ଡି ବ୍ୟବସ୍ଥା ଫେଲ ମାରିଛି ।
ବର୍ତ୍ତମାନ ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ସେଡ ନଥିବା ଯୋଗୁଁ ଖୋଲା ଆକାଶ ତଳେ ଚାଷୀଙ୍କ କୁଇଣ୍ଟାଲ କୁଇଣ୍ଟାଲ ଧାନ ମଣ୍ଡିରେ ଭିଜୁଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ବା ଆରଏମସି ଗୋଲାମୁଣ୍ଡା, ଧର୍ମଗଡ଼ ଓ ଜୁନାଗଡ଼ ବ୍ଲକକୁ ନେଇ ଗଠିତ ହୋଇଛି । ଚଳିତ ଖରିଫ ଋତୁରେ ଜୁନାଗଡ଼ ଆରଏମସି ପକ୍ଷରୁ ଗୋଲାମୁଣ୍ଡା ବ୍ଲକରେ ୧୭ଟି ମଣ୍ଡିରୁ ବୋରଗୁଡା ମଣ୍ଡି ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ଚୟନ ହୋଇଥିବା ବେଳେ ୧୬ଟି ମଣ୍ଡିରେ ପାକ୍ସ ଧାନ କ୍ରୟ କରୁଛନ୍ତି । ଗୋଲାମୁଣ୍ଡା ପାକ୍ସର ମଣ୍ଡିରେ ୪୫୬୦ ବସ୍ତା, ବୃନ୍ଦାବାହାଲରେ ୩୫୦ବସ୍ତା, ମାନଝରୀ ୬୬୯୭ ବସ୍ତା ଥିବା ବେଳେ ବର୍ତ୍ତମାନ ମାନଝରୀ ଧାନମଣ୍ଡି ଗୋଲାମୁଣ୍ଡା ଧାନମଣ୍ଡିରେ ସଂଯୁକ୍ତ ହୋଇରହିଛି । ମହାଳିଙ୍ଗ ପାକ୍ସରେ ଦୁଇଟି ମଣ୍ଡି ଥିବାବେଳେ ମହାଲିଙ୍ଗରେ ୩୪ ଶହ ବସ୍ତା, କୁହୁରାରେ ୨୦୪ ବସ୍ତା, ବଡଚେର ଗାଁ ପାକ୍ସର ଧାନମଣ୍ଡିରେ ୨୦୫୭ ବସ୍ତା, ଉଛଲାରେ ୬୭୪୨ ବସ୍ତା ଚପରିଆ ପ୍ୟାକ୍ସର ସାନଚେର ଗାଁ ୬୭୫ ବସ୍ତା, ଖଲିଆପାଲି ୧୩୧୮ ବସ୍ତା ଚପରିଆ ୧୫୦୧ ବସ୍ତା ଦଶପୁର ପାକ୍ସରେ ୬୧୮୦ ବସ୍ତା, ଧାମନପୁର ୪ ହଜାର ବସ୍ତା, ଘୋଟିଆ ୭୭୭୭ ବସ୍ତା ସେହିଭଳି ଫରଙ୍ଗ ଫ୍ୟାକ୍ସରେ ଚାରୋଟି ମଣ୍ଡି ଥିବାବେଳେ ଫରଙ୍ଗରେ ୮୦ ବସ୍ତା, ଫୁଣ୍ଡାରେ ୨୫୪୪ ବସ୍ତା, ରେଙ୍ଗସାପାଲି ୧୮୪୫ ବସ୍ତା, ବୋରଗୁଡା ୩୦୦୦ ବସ୍ତା ଅଦିନିଆ ବର୍ଷାରେ ମଣ୍ଡିରେ ପଡିରହିଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ୧୭ ମଣ୍ଡି ମଧ୍ୟରୁ ବୋରଗୁଡା ମଣ୍ଡି ସ୍ୱୟଂ ସହାୟକ ଗୋଷ୍ଠି ଚଳାଉଥିବା ଜଣାପଡିଛି ।
ସବୁଠୁ ବିଡମ୍ବନାର ବିଷୟଯେ, ଆଜିବି ୧୭ ମଣ୍ଡି ମଧ୍ୟରୁ ୮ ମଣ୍ଡିରେ ସେଡ ନାହିଁ । ସେଡ୍ ନଥିବା ମଣ୍ଡିଗୁଡିକ ମଧ୍ୟରୁ ଖଲିଆପାଲି, ସାନଚେର ଗାଁ, କୁହୁରା, ମାନଝରି, ଫରଙ୍ଗ, ରେଙ୍ଗସାପାଲି, ବୋରଗୁଡା, ବଡ଼ଚେର ଗାଁ ଏହି ଧାନ ମଣ୍ଡିରେ ଭିଜୁଛି ଚାଷୀଙ୍କ ଧାନ । ମଣ୍ଡିର ଭିତ୍ତିଭୂମି ନିର୍ମାଣ ପାଇଁ ନିୟନ୍ତ୍ରିତ ବଜାର କମିଟି ଚାଷୀଙ୍କ ଠାରୁ ୨ ପ୍ରତିଶତ ନେଇଥାନ୍ତି । ହେଲେ ପରିତାପର ବିଷୟ ଆଜି ଜୁନାଗଡ଼ ଆରଏମସି ଅଧୀନରେ ଥିବା ଗୋଲାମୁଣ୍ଡା ବ୍ଲକର ୮ଟି ମଣ୍ଡିରେ ସେଡ ନାହିଁ । ଚାଷୀମାନେ ଦିନ ଦିନ ଧରି ଖରା, ବର୍ଷା ଓ ଶୀତକୁ ସାଥି କରି ଧାନକୁ ଜଗିବସିଥାନ୍ତି । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜନେତା ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ମଧ୍ୟ ଏ ଦିଗରେ ଧ୍ୟାନ ଦିଅନ୍ତି ନାହିଁ । ଯାହାଫଳରେ ଆଜି ବି ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗିଥିବା ବେଳେ ଗତ ୨୪ ବର୍ଷର ବିଜେଡି ସରକାର ଏ ଦିଗରେ ଧ୍ୟାନ ଦେଲେ ନାହିଁ । ବର୍ତ୍ତମାନ ବିଜେପି ସରକାର ଓଡ଼ିଶାରେ ନିଜର ସାମ୍ରାଜ୍ୟ ଆରମ୍ଭ କରିଛନ୍ତି । ଏ ଦିଗରେ ପ୍ରଶାସନ ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବା ପାଇଁ ଚାଷୀ ମହଲରେ ଦାବି କରିଛନ୍ତି ।