‘ନୂଆପଡା’ ପାଇଁ ସର୍ବଦଳୀୟ ବୈଠକ : ଗଣମାଧ୍ୟମରେ ମନଇଚ୍ଛା ବିଜ୍ଞାପନ ଛାପି ପାରିବେନି ଦଳ ଓ ପ୍ରାର୍ଥୀ
ଭୁବନେଶ୍ୱର : ନଭେମ୍ବର ୧୧ରେ ହେବାକୁ ଥିବା ନୂଆପଡା ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ କହିଲେଯେ, ଚଳିତ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଇସିଆଇ ଜାରି କରିଥିବା ମାର୍ଗଦର୍ଶିକାର କଡାକଡି ଅନୁପାଳନ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ ।
ଚଳିତ ଉପନିର୍ବାଚନରେ ୧,୨୪,୧୦୮ ଜଣ ପୁରୁଷ ଭୋଟର ରହିଥିବାବେଳେ ୧,୨୯,୪୯୫ ଜଣ ମହିଳା, ୨୧ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କ ସହ ମୋଟ ୨,୫୩,୬୨୪ ଜଣ ଭୋଟର ଚୂଡାନ୍ତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । ଚଡାନ୍ତ ଭୋଟର ତାଲିକାରେ ୯,୪୨୯ ଜଣ ଯୁବ ଭୋଟର ରହିଥିବାବେଳେ ୩୯୮୮ ଜଣ ଦିବ୍ୟାଙ୍ଗ ଭୋଟର ଏବଂ ୧୭୮୬ ଜଣ ୮୫ ବର୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ ରହିଛନ୍ତି । ଚଳିତ ଉପନିର୍ବାଚନ ପାଇଁ ୫୬ଟି ନୂତନ ବୁଥ୍ ପ୍ରତିଷ୍ଠା ହୋଇଛି ।
ଉପନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ବୈଦ୍ୟୁତିକ, ମୁଦ୍ରଣ ଓ ସାମାଜିକ ଗଣମାଧ୍ୟମ ଏବଂ ୱେବମିଡିଆ ସମେତ ସିନେମାହଲ୍, ରେଡିଓ, ପୋଷ୍ଟର ଓ ହୋଡିଂ ଆଦି ଜରିଆରେ ବିଜ୍ଞାପନ ଜାରି ପୂର୍ବରୁ ଆୟୋଗଙ୍କ ଅନୁମତି ଜରୁରୀ । ଏଥିସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଅପରାଧିକ ସମ୍ପୃକ୍ତି ନେଇ ଘୋଷଣାନାମା ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶ କରିବା ସହ ଆୟୋଗଙ୍କୁ ଏ ବାବଦରେ ଅବଗତ କରାଇବା ବାଧ୍ୟତାମୂଳକ କରାଯାଇଛି । ଦଳ ଓ ପ୍ରାର୍ଥୀଙ୍କ ଖର୍ଚ୍ଚର ବିବରଣୀ, ତାରକା ପ୍ରଚାରକଙ୍କ ତାଲିକା ଏବଂ ଆଦର୍ଶ ଆଚରଣ ବିଧିର ସଠିକ୍? ଅନୁପାଳନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ପ୍ରମୋଦ କୁମାର ସାହୁ ଓ ରାମଚନ୍ଦ୍ର କିସ୍କୁ, ଯୁଗ୍ମ ଶାସନ ସଚିବ ଗୋପୀନାଥ କୁଅଁର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଓ ଅନାମିକା ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।