କାଠ କାଟିବାକୁ ମନା କରିବାରୁ ଯୁବକଙ୍କୁ କୋଦାଳ ଚୋଟ ; ଅଭିଯୁକ୍ତ ଗିରଫ

କାଠ କାଟିବାକୁ ମନା କରିବାରୁ ଯୁବକଙ୍କୁ କୋଦାଳ ଚୋଟ ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ସନ୍ଧ୍ୟା ସମୟରେ କାଠ କାଟିବାକୁ ବାରଣ କରିବାରୁ ରାଗରେ ଯୁବକଙ୍କୁ କୋଦାଳ ଚୋଟ । ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ ପୁଲିସ ୯୨ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି ଦଫା ୩୪୧, ୩୨୩, ୨୯୪, ୪୨୭, ୩୭୯, ୫୦୬ରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ପାଞ୍ଚଗାଁ ସାମନ୍ତରାୟ ସାହିର ସରୋଜ ସାମନ୍ତରାୟ ।
ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଅଭିଯୋଗକାରୀ ରବୀନ୍ଦ୍ର ନାୟକ ଧାନ ଖେତରୁ ସାଇକେଲ ଯୋଗେ ଘରକୁ ଫେରିବା ବେଳେ ଅଭିଯୁକ୍ତ ଜଣଙ୍କ କାଠ କାଟୁଥିବା ଦେଖି ସନ୍ଧ୍ୟା ସମୟରେ କାଠ କାଟିବାକୁ ବାରଣ କରିଥିଲେ । ଏହା ଶୁଣି ନିଶାଗ୍ରସ୍ତ ଅବସ୍ଥାରେ ଥିବା ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ସେହି ରାସ୍ତା ଦେଇ ଆଉ ନଆସିବାକୁ କହିଥିଲା ଏବଂ ଅଭିଯୋଗକାରୀଙ୍କ ସାଇକେଲରେ ଟଙ୍ଗା ଯାଇଥିବା କୋଦାଳରେ ଆକ୍ରମଣ କରିଥିଲା । ସେତିକି ବେଳେ ଅଭିଯୋଗକାରୀ ହାତ ଦେଖାଇ ଦେବାରୁ ତାଙ୍କ ହାତରେ କୋଦାଳ ଚୋଟ ବାଲିଥିଲା । ଏହାପରେ ପୁଣି ଅଭିଯୁକ୍ତ ତାଙ୍କୁ ହତ୍ୟା ଧମକ ଦେବା ସହ ତାଙ୍କ ସାଇକେଲକୁ ବାଡେଇ ଭାଙ୍ଗି ଦେଇଥିଲା । ଏନେଇ ଅଭିଯୋଗକାରୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିଛି ।